ସ୍ୱଚ୍ଛଭାରତ ମିସନ ଫେଲ୍‌, ରାସ୍ତା କଡ଼ରେ ମଳତ୍ୟାଗ

ସଚେତନତା ପାଇଁ ଅଣ୍ଟା ଭିଡ଼ିଲେ ଯୁବଗୋଷ୍ଠୀ

ବାଲିପାଟଣା: ବାଲିପାଟଣା ବ୍ଲକରେ ସ୍ବଚ୍ଛ ଭାରତ ମିସନ ଫେଲ୍‌ ମାରିଛି। ରାସ୍ତା କଡ଼ରେ ମଳତ୍ୟାଗ ଏକ ପ୍ରକାର ଗମ୍ଭୀର ସମସ୍ୟା ପାଲଟିଛି। ଲୋକଙ୍କ ଭିତରେ ସଚେତନତାର ଅଭାବ ହେଉ କିମ୍ବା ସରକାରଙ୍କର ସ୍ୱଚ୍ଛ ଭାରତ ମିସନରେ ଶୌଚାଳୟ ନିର୍ମାଣରେ ଅନିୟମିତତା ଯୋଗୁ ଏପରି ସମସ୍ୟା ସୃଷ୍ଟି ହେଉଥିବା ସାଧାରଣରେ ଅଭିଯୋଗ ହେଉଛି। ସରାଟ ଶାସନ କିଛି ଯୁବକ ସ୍ୱଚ୍ଛତାର ବାର୍ତା ନେଇ ଅଣ୍ଟା ଭିଡ଼ିଛନ୍ତି। ଗ୍ରାମର ମନ୍ଦିର, ବିଦ୍ୟାଳୟ, ରାସ୍ତାକଡ଼ରେ ବ୍ୟାନର ମାରି ସଚେତନତା ବାର୍ତା ଦେଉଛନ୍ତି।

ସ୍ୱଚ୍ଛ ଭାରତ ମିସନରେ ବାଲିପାଟଣା ବ୍ଲକର ୧୭ଟି ପଞ୍ଚାୟତରେ ୬ ହଜାର ଶୌଚାଳୟ ନିର୍ମାଣ ସରିଛି। ଆଗାମୀ ଦିନରେ ଆଉ ୪ ହଜାର ଶୌଚାଳୟ ନିର୍ମାଣ ହେବାର ଲକ୍ଷ୍ୟ ରହିଥିବା ଆରଡବ୍ଲ୍ୟୁଏସଏସ କନିଷ୍ଠ ଯନ୍ତ୍ରୀ ସୁନିତା ମହାନ୍ତି କହିଛନ୍ତି। କିନ୍ତୁ ପ୍ରକୃତ ପକ୍ଷେ ଉପଯୁକ୍ତ ହିତାଧିକାରୀ ଏହି ଯୋଜନାରୁ ବାଦ ପଡ଼ିଥିବାରୁ ଯୋଜନାର ସଫଳ ରୂପାୟନ ହୋଇପାରିନାହିଁ। ଏପରିକି ବିଦ୍ୟାଳୟ ଚତୁପାର୍ଶ୍ବରେ ମଧ୍ୟ ମଳତ୍ୟାଗ କରିବା ଦ୍ୱାରା ସମସ୍ୟା ପାଲଟିଛି। ଫଳରେ ଶ୍ରେଣୀଗୃହରେ ପାଠ ପଢ଼ାଇବା ସମ୍ଭବ ହେଉନାହିଁ। ଏପରି ସମସ୍ୟା ବାଲିପାଟଣା ବ୍ଲକ ପମ୍ପାଲୋ ପଞ୍ଚାୟତର ସରାଟ ଶାସନ ବିଦ୍ୟାଳୟ ନିକଟରେ ଉତ୍କଟ ହୋଇଛି। ଉକ୍ତ ବିଦ୍ୟାଳୟ ପରିସରରେ ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ପିଲା‌ମାନେ ଖାଦ୍ୟ ଖାଇବା ସମୟରେ ସମସ୍ୟା ଭୋଗୁଛନ୍ତି। ସେହିପରି ବାଲିପାଟଣାରେ ବ୍ଲକ, ତହସିଲ, ଅଗ୍ନିଶମ କାର୍ଯ୍ୟାଳୟ, ଥାନା, ଜଳସେଚନ ବିଭାଗ, ପଶୁ ସମ୍ପଦ ବିଭାଗ, ସ୍କୁଲ, କଲେଜ, ଏକାଧିକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭଳି ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ ରହିଛି। ପ୍ରତ୍ୟେକ ଦିନ ହଜାର ହଜାର ଜନସାଧାରଣ ବିଭିନ୍ନ କାର୍ଯ୍ୟରେ ଆସୁଛନ୍ତି। କିନ୍ତୁ ସରକାରଙ୍କ ତରଫରୁ ଜନସାଧାରଣଙ୍କ ନିମନ୍ତେ ବାଲିପାଟଣା ଛକଠାରୁ ବଜାର ମଧ୍ୟରେ ଶୌଚଳୟ ହୋଇପାରୁନାହିଁ। ଫଳରେ ବାଲିପାଟଣା ହାଟ ଏବଂ ବଜାର ରାସ୍ତା କଡ଼ରେ ପରିସ୍ରା କରିବା ଦ୍ୱାରା ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ସରକାରଙ୍କ ତରଫରୁ ଏହି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଉପରେ ନଜର ଦେଇ ଅଧିକରୁ ଅଧିକ ସଚେତନତା ସୃଷ୍ଟି କରାଇବା ସହିତ ସ୍ୱଚ୍ଛ ଭାରତ ମିସନରେ ପ୍ରତ୍ୟେକ ପରିବାରକୁ ଶୌଚାଳୟ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର