ସହରର ସହରୀ ଅଞ୍ଚଳକୁ ଟାର୍ଗେଟ୍‌, ଅଭିଯାନରେ ସାମିଲ ହେବେ ବିଜୁ ଯୁବ ବାହିନୀ

ବର୍ଷା ଦିନିଆ ରୋଗ ସଚେତନତା କାର୍ଯ୍ୟକ୍ରମ, ଗତମାସରେ ୩ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ବର: ବର୍ଷାଦିନ ଆରମ୍ଭ ହୋଇ ଯାଇଥିବା ବେଳେ ରାଜଧାନୀରେ ଡେଙ୍ଗୁ, ମ୍ୟାଲେରିଆ ଓ ଡାଇରିଆ ପାଇଁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ତେବେ ରାଜଧାନୀରେ ଥିବା ବସ୍ତି ଅଞ୍ଚଳଗୁଡ଼ିକ ସବୁବେଳେ ଅଧିକ ଗୁରୁତ୍ବ ଦିଆଯାଉଥିବା ବେଳେ ସହର ଭିତରେ ଥିବା ସହରୀ ଅଞ୍ଚଳ ବାଦ୍ ପଡ଼ି ଯାଉଛି। ତେଣୁ ସହରୀ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମକୁ ଅଧିକ ଗୁରୁତ୍ବ ଦେବା ଲାଗି ନିଷ୍ପତ୍ତି ହୋଇଛି। ବିଜୁ ଯୁବ ବାହିନୀଙ୍କ ସଦସ୍ୟ ଜରିଆରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯିବ। ରାଜଧାନୀର କେଉଁ କେଉଁ ଅଞ୍ଚଳରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯିବ ଖୁବଶୀଘ୍ର ଏ ସଂପର୍କରେ ନିଷ୍ପତ୍ତି ନିଆଯିବ।

ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ରାଜଧାନୀର ୪ଶହରୁ ଅଧିକ ବସ୍ତି ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ଡେଙ୍ଗୁ, ମ୍ୟାଲେରିଆ ଭଳି ଭେକ୍ଟର ବାହିତ ରୋଗର ନିୟନ୍ତ୍ରଣ ଲାଗି ପଦକ୍ଷେପ ନିଆଯାଉଛି। ମାତ୍ର ରାଜଧାନୀରେ ଥିବା ଆପାର୍ଟମେଣ୍ଟଗୁଡ଼ିକରେ ସଚେତନତା କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ସଚେତନତା କାର୍ଯ୍ୟକ୍ରମରେ ଆପାର୍ଟମେଣ୍ଟ ଗୁଡ଼ିକରେ ପ୍ରାୟତଃ ସହଯୋଗ ମିଳି ନ ଥାଏ। ଡେଙ୍ଗୁ ମଶା ସ୍ବଚ୍ଛ ପାଣିରେ ଅଣ୍ଡା ଦେଉଥିବାରୁ ଆପାର୍ଟମେଣ୍ଟ ଗୁଡ଼ିକରେ ସଚେତନତା ଜରୁରୀ ହୋଇ ପଡ଼ିଛି। ତେଣୁ ଆପାର୍ଟମେଣ୍ଟ ଗୁଡ଼ିକରେ ଥିବା ସୋସାଇଟକୁ ସଚେତନତା କାର୍ଯ୍ୟକ୍ରମରେ ସାମିଲ କରାଯିବ, ଯଦି ଏଥିରେ ମଧ୍ୟ ସହଯୋଗ ନ ମିଳେ ତାହାଲେ ଆପାର୍ଟମେଣ୍ଟ ଗୁଡ଼ିକ ଆଗରେ ଲିଫଲେଟ୍‌ କିମ୍ବା ବଡ଼ ବ୍ୟାନର ଲଗାଯିବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ଏହି କାର୍ଯ୍ୟକ୍ରମରେ କେତେ ସଂଖ୍ୟକ ବିଜୁ ବାହିନୀର ସଦସ୍ୟ ସାମିଲ ହେବେ ଏହାର ତାଲିକା ପ୍ରସ୍ତୁତ କରାଯିବ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଥିପାଇଁ ସ୍ବତନ୍ତ୍ର ତାଲିମ୍ ପ୍ରଦାନ କରାଯିବା ସହିତ ଲିଫଲେଟ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

ଅପରପକ୍ଷରେ ୫ ପ୍ରକାର ରୋଗର ସ୍କ୍ରିନିଂ ପାଇଁ ନିଷ୍ପତ୍ତି ହୋଇଛି। ରୁବେଲା, ଡେଙ୍ଗୁ, ମ୍ୟାଲେରିଆ, ଚିକେନଗୁନିଆ ଓ ସ୍କ୍ରବ୍ ଟାଇଫସର ଚିହ୍ନଟ ଓ ଏହାକୁ ଷ୍ଟ୍ରିମ୍‌ଲାଇନ୍ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ମିଳିମିଳା ଏବେ କମ୍ ସଂଖ୍ୟାରେ ଦେଖିବାକୁ ମିଳୁଛି। ଅନ୍ୟସବୁ ରୋଗ ପାଇଁ ରୋଗୀଙ୍କ ରକ୍ତ, ପରିସ୍ରା ନମୁନା ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯିବ। ପୂର୍ବରୁ ଏହାକୁ କେବଳ ସସପେକ୍ଟେଡ୍‌ ବା ସ‌ନ୍ଦେହରେ ରଖାଯାଉଥିବା ବେଳେ ପରୀକ୍ଷାଗାରରେ ସ୍ପଷ୍ଟ ହେବା ପରେ ଯାହାଫଳରେ ପୋଲିଓ ଭଳି ଏସବୁ ରୋଗର ମଧ୍ୟ ତଦାରଖ ହୋଇପାରିବ। ଆରଏମ୍‌ଆରସିରେ ଏହାର ପରୀକ୍ଷା କରାଯିବ। ମୋଡିଫାଏଡ୍ ମିଜିଲିସ୍ ରୁବେଲା ସର୍ଭେଲାନ୍‌ସ ଜରିଆରେ ଏହାକୁ ଅଧିକ କ୍ରିୟାଶୀଳ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହିସବୁ ରୋଗର ନମୁନା ସଂଗ୍ରହ ସହିତ ନମୁନାକୁ ଆଣୁଥିବା ବ୍ୟକ୍ତିମାନଙ୍କ ପାଇଁ ମଧ୍ୟ ସହାୟତା ରାଶି ରହିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚ୍‌ଓ ପକ୍ଷରୁ ଏଥିପାଇଁ ସହାୟତା ଯୋଗାଇ ଦିଆଯିବ। ରାଜ୍ୟବ୍ୟାପୀ ଏହି ଅଭିଯାନ ଚାଲିବ ବୋଲି ବିଭାଗର ଅଧିକାରୀ କହିଛନ୍ତି।

ଉଲ୍ଲେଖ ଯେ, ଗତମାସରେ ରାଜଧାନୀରେ ୩ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଏହି ସମସ୍ତ ରୋଗୀ ରାଜ୍ୟ ବାହାରେ କାର୍ଯ୍ୟ କରୁଥିବା ବେଳେ ଓଡ଼ିଶାକୁ ଚିକିତ୍ସା ପାଇଁ ଆସିଥିବା ବେଳେ ଚିହ୍ନଟ ହୋଇଛନ୍ତି। ଏଥିରେ ୨ଜଣ ସଫ୍‌ଟୱେୟର ଇଞ୍ଜିନିୟର ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର