ଗାନ୍ଧୀ ଜୟନ୍ତୀରୁ ସ୍କୁଲ ସ୍ତରରୁ ଆରମ୍ଭ ହେବ ସଚେତନତା, ବିଏମ୍‌ସିକୁ ପରିମଳ ଚିନ୍ତା

ଭୁବନେଶ୍ବର: ରାଜଧାନୀର ପରିମଳ ବ୍ୟବସ୍ଥା ସଜାଡ଼ିବାକୁ ବିଏମ୍‌ସି ପକ୍ଷରୁ ନୂଆ ଢଙ୍ଗରେ ପରିମଳ ଓ ପରିବେଶ ସଚେତନତା ସୃଷ୍ଟି କରାଯିବ। ଆସନ୍ତା ଗାନ୍ଧୀ ଜୟନ୍ତୀରୁ ଶିକ୍ଷାନୁଷ୍ଠାନରୁ ସଚେତନତା ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ପିଲାଙ୍କ ମାଧ୍ୟମରେ ପରିବାରରେ ଏବଂ ପରିବାର ଲୋକଙ୍କ ମାଧ୍ୟମରେ ସମାଜରେ ପରିମଳ ବ୍ୟବସ୍ଥା ସଜାଡ଼ିବାକୁ ସଚେତନତା ସୃଷ୍ଟି କରାଯିବ।

ଏଥିପାଇଁ ଅକ୍ଟୋବର ୨ରୁ ସ୍କୁଲରେ ପ୍ରା‌ର୍ଥନା ପରେ ଛାତ୍ରଛାତ୍ରୀଙ୍କୁ ପରିମଳ ବାବଦରେ ଶିକ୍ଷା ଦିଆଯିବ। ଏଥିରେ ସମସ୍ତେ ଶପଥ ନେବେ ଯେ ମୁଁ ସଫେଇବାଲାର ଭୂମିକା ନେବି। ଜଣେ ସଫେଇ ବାଲା ହେବା ପାଇଁ କ’ଣ କ’ଣ କରିବାକୁ ହେବ, ତା’ର ତାଲିକା ପିଲାଙ୍କୁ ଦିଆଯିବ। ଏଥିରେ ଘରେ ପଲିଥିନ୍ ବ୍ୟବହାର ନକରିବା, ଓଦା ଅଳିଆର ପରିମାଣ କମାଇବା, ଦୁଇଟି ଅଳିଆ ଡବା ବ୍ୟବହାର କରି ଓଦା ଓ ଶୁଖିଲା ଆବର୍ଜନାକୁ ପୃଥକ୍‌ ପୃଥକ୍‌ ରଖିବା। ଛାତ୍ରଛାତ୍ରୀମାନେ ଯାହା ଶିଖିବେ ତାକୁ ଘରେ କରିବେ। ଘରଲୋକଙ୍କୁ ସଚେତନ କରାଇବେ। ଏହାପରେ ସେମାନଙ୍କ ଘର ଲୋକଙ୍କୁ ନେଇ ଆବାସିକ ସଂଘଗୁଡ଼ିକୁ ସଚେତନ କରାଯିବ। ସେମା‌େନ ମଧ୍ୟ ନିଜକୁ ସଫେଇ ବାଲା କହି ଶପଥ ନେବେ। ଏହି କାର୍ଯ୍ୟକ୍ରମ ୩ଟି ପର୍ଯ୍ୟାୟରେ ହେବ। ଅକ୍ଟୋବର ୨, ୧୪ ନଭେମ୍ବର ଏବଂ ୩ ଜାନୁଆରିରେ ହେବ। ରାଜଧାନୀର ବିଭିନ୍ନ ଅଞ୍ଚଳରେ ଏହିଭଳି କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର