ସାଇଟ୍‌ସେଭର୍ସ ପକ୍ଷରୁ ସଚେତନତା ଅଭିଯାନ, ‘ଆଇନ୍‌କୁ କଡ଼ାକଡ଼ି କଲେ ସୁଫଳ ମିଳିବ’

ଭୁବନେଶ୍ବର: ଭିନ୍ନକ୍ଷମଙ୍କ ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ବତନ୍ତ୍ର ନିୟମ କରିଛନ୍ତି। ସେମାନେ କିଭଳି ସରକାରୀ ଓ ବେସରକାରୀ‌ କ୍ଷେତ୍ରରେ ନିଯୁକ୍ତି ପାଇବେ। ସମାଜରେ ସ୍ବାଭିମାନର ସହ ବଞ୍ଚିବେ ଓ ସ୍ବାବଲମ୍ବୀ ହେବେ ସେଥିପ୍ରତି ଆମ ସମସ୍ତଙ୍କର ଦାୟିତ୍ବ ରହିଛି। ଅଜି ମଧ୍ୟ ଅନେକ ସରକାରୀ ଯୋଜନା ବିଷୟରେ ଜାଣିନଥି‌ବେ। ଆମେ ସେମାନଙ୍କ ବିକାଶ ପାଇଁ ଯେଉଁ ସବୁ ପଦକ୍ଷେପ ନେବା କଥା ତା’ଠାରୁ ବହୁ ପଛରେ ରହିଛନ୍ତି। ଏହା ଆମକୁ ସ୍ବୀକାର କରିବାକୁ ପଡ଼ିବ ବୋଲି ଭିନ୍ନକ୍ଷମ କମିସନ୍‌ର ଅଧ୍ୟକ୍ଷା ସୁଲୋଚନା ଦାସ କହିଛନ୍ତି।

ଆଜି ହୋଟେଲ୍‌ ଏକ୍ସଲେନ୍ସି ଠାରେ ସାଇଟ୍‌ସେଭର୍ସ ପକ୍ଷରୁ ଆୟୋଜିତ ଏକ ସଚେତନତା ଅଭିଯାନ ‘ଇନ୍‌କ୍ଲୁଡ୍‌ ଅଲ୍‌’ରେ ମୁଖ୍ୟ ଅତିଥିଭାବ ଯୋଗଦେଇ ଅଧ୍ୟକ୍ଷା ଶ୍ରୀମତୀ ଦାସ କହିିଲେ, ସରକାର କରିଥିବା ଆଇନ୍‌କୁ ସମସ୍ତ କ୍ଷେତ୍ରରେ କଡ଼ାକଡ଼ି ଭାବେ ଲାଗୁ କଲେ ନିଶ୍ଚିତ ସୁଫଳ ମିଳିବ। ଏହାଛଡ଼ା ଭିନ୍ନକ୍ଷମଙ୍କ ନିଯୁକ୍ତି ପାଇଁ ଖୁବଶୀଘ୍ର ପଞ୍ଜୀକରଣ ବ୍ୟବସ୍ଥା କରାଯିବ। ଯୋଗ୍ୟତା ଅନୁଯାୟୀ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତ କରିବା ସହ ସ୍ବାବଲମ୍ବୀ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ ଗ୍ରୁପ୍‌’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ କହିଥିଲେ ଯେ, ଆମେ ସବୁବେଳେ ଜାତି, ଧର୍ମକୁ ନେଇ ବିଭିନ୍ନ ଫୋରମ୍‌ରେ ଆଲୋଚନା କରୁଛନ୍ତି। ହେଲେ ଭିନ୍ନକ୍ଷମଙ୍କୁ ନେଇ କେବେ‌ କେହି ଆଲୋଚନା କରୁନାହାନ୍ତି। ସେମାନଙ୍କୁ ଦୁର୍ବଳ ଭାବିବା ଅନୁଚିତ୍। ସେମାନଙ୍କ ପାଖରେ ଦକ୍ଷତା ରହିଛି। ହେଲେ ସେମାନଙ୍କ ଦକ୍ଷତାକୁ ଚିହ୍ନଟ କରି ସଠିକ୍‌ ଦିଗରେ କାର୍ଯ୍ୟ କରାଇଲେ ସେମାନଙ୍କ ବିକାଶ ହୋଇପାରିବ। ଅନ୍ୟତମ ସମ୍ମାନିତ ଅତିଥିଭାବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଉପସଚିବ ଅମ୍ବିକା ପ୍ରସାଦ ପଟ୍ଟନାୟକ ଓ ପ୍ରଶାସକ ସନ୍ନ୍ୟାସୀ ବେହେରା ଯୋଗ ଦେଇଥିଲେ।

ଏହି ଅବସରରେ ଅନୁଷ୍ଠାନର ଏକ ପୁସ୍ତକକୁ ଉନ୍ମୋଚନ କରାଯିବା ସହ ଅଭିଯାନ ଗାଡ଼ିର ଶୁଭାରମ୍ଭ କରାଯାଇଥିଲା। ଏହି ଅଭିଯାନ ଗାଡ଼ିଟି କଟକ ଓ ଭୁବନେଶ୍ବରରେ ଥିବା ଶତାଧିକ ସଂସ୍ଥାକୁ ଯାଇ ସଚେତନ କରାଇବ। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ରାଜ୍ୟ ପ୍ରୋଗ୍ରାମ୍‌ ମ୍ୟାନେଜର ଆକବର ମେହଫୁଜ୍‌ ଆଲମ ପରିଚାଳନା କରିଥିଲେ। ଲୋକପ୍ରିୟା କାନୁନ୍‌ଗୋ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଜଗନ୍ନାଥ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର