ପୁଲିସ-ଜନତା ଜନ ସମ୍ପର୍କ ସଭା: ରାଜଧାନୀରେ ଖୋଲିବ ଆଉ ୩ଟି ଫାଣ୍ଡି

ଡ୍ରଗସ କାରବାରକୁ ନେଇ ବଢ଼ୁଛି ଚିନ୍ତା, ଟ୍ରାଫିକ ସମସ୍ୟା କଲାଣି କଲବଲ

ଭୁବନେଶ୍ୱର: କମିସନରେଟ ପୁଲିସର ଜୋନ-୫ ଅଞ୍ଚଳ ଏବେ ପୁଲିସ ପାଇଁ ଚିନ୍ତା ବଢ଼ାଇଛି। ସ୍ଥାନୀୟ ଅଞ୍ଚଳରେ ହୁହୁ ହୋଇ ନିଶା କାରବାର ବଢ଼ି ଚାଲିଛି। ଟ୍ରାଫିକ ସମସ୍ୟାରେ କଲବଲ ହେଉଛନ୍ତି। ରସୁଲଗଡ଼ରୁ ପଳାସୁଣୀ, ସତ୍‌ସଙ୍ଗ ବିହାର ଛକ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଭାବେ ଗଣା ଗଲାଣି। ପଳାସୁଣୀ ଛକରେ ବସ ଓ ଅଟୋ ଚାଳକଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଛି। ଆଜି କମିସନରେଟ୍‌ ପୁଲିସ ପକ୍ଷରୁ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଫିଜିକ୍ସ ପରିସରରେ ଆୟୋଜିତ ଏକ ଜନସମ୍ପର୍କ ସଭା‌ରେ ଏଭଳି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ। ଯାହାର ପ୍ରତି ଉତ୍ତରରେ ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଛନ୍ତି, ଖୁବ ଶୀଘ୍ର ଜୋନ-୫ ଅଞ୍ଚଳରେ ଆଉ ୩ଟି ଫାଣ୍ଡି ପ୍ରତିଷ୍ଠା ହେବ। ପ୍ରଥମ ପର୍ଯ୍ୟାୟରେ ସାଲିଆସାହି ପରେ ପାଣ୍ଡରା ଓ ଭିଏସଏସନଗରରେ ଏହା ପ୍ରତିଷ୍ଠା କରାଯିବ। ଯେଉଁଠି ପୁଲିସ ବିଭାଗର ଘର ନ ଥିବ ସେଠାରେ ଘର ଭଡ଼ା ନିଆଯାଇ ଫାଣ୍ଡି ପ୍ରତିଷ୍ଠା କରାଯିବା। ଫାଣ୍ଡି ପ୍ରତିଷ୍ଠା ହେଲେ ନିଶା କାରବାରଠାରୁ ଆରମ୍ଭ କରି ଅପରାଧ ଓ ଅପରାଧୀମାନଙ୍କ ଉପରେ ନଜର ରଖି ପାରିବ ପୁଲିସ।

ଏହି ଅବସରରେ ପୁଲିସ କମିସନର ଶ୍ରୀ ମହାନ୍ତି କହିଲେ, ସୌହାର୍ଦ୍ୟପୂର୍ଣ୍ଣ ସହାବସ୍ଥାନ ପାଇଁ ଆଇନ କିମ୍ବା କାର୍ଯ୍ୟାନୁଷ୍ଠାନ ନୁହେଁ, ବରଂ ଭାଗୀଦାରିର ଆବଶ୍ୟକତା ରହିଛି। ପୁଲିସର ଆଭିମୁଖ୍ୟ ଜନତା ବୁଝିବା ଜରୁରୀ। ଜନତାଙ୍କ ଭାବପ୍ରବଣତା ସହ ପୁଲିସ ସାମିଲ ହେବା ଜରୁରୀ। ମଞ୍ଚେଶ୍ବର, ସହିଦନଗର ଓ ନୟାପଲ୍ଲୀ ଥାନା ଅଧୀନ ଶତାଧିକ ବାସିନ୍ଦା ଯୋଗଦେଇ ଟ୍ରାଫିକ୍‌ ସମସ୍ୟା ଠାରୁ ଆରମ୍ଭ କରି ଆଇନ ଶୃଙ୍ଖଳା ପରିସ୍ଥିତି, ଛିନ୍‌ତାଇ ପ୍ରଭୃତି ସମସ୍ୟାର ସମାଧାନ ପାଇଁ ଉତ୍ତର ଚାହିଁଥିଲେ। ନିଶା ବ୍ୟବସାୟ ସହ ଅନ୍ୟାନ୍ୟ ଅପରାଧ ଉପରେ ରୋକ୍‌ ଲଗାଇବା ପାଇଁ ଶାନ୍ତି କମିଟି ଉପରେ ମଧ୍ୟ ଲୋକମାନେ ପ୍ରସ୍ତାବ ଦେଇଛନ୍ତି। କମିସନର ଏହା ଉପରେ ଗୁରୁତ୍ବର ସହ ବିଚାର କରି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତା ଛଡ଼ା ଏଭଳି ଏକ ଖୋଲାଖୋଲି ଆଲୋଚନା ପାଇଁ ପୁଲିସ ପ୍ରୟାସ କରିଥିବାରୁ ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ଅନେକ ବରିଷ୍ଠ ନାଗରିକ ମତବ୍ୟକ୍ତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଡିସିପି ଅନୁପ କୁମାର ସାହୁ, ଅତିରିକ୍ତ ଡିସିପି (ଅପରାଧ)ଏଲ୍‌ଡି ମହାପାତ୍ର, ଜୋନ୍‌-୩ ଏସିପି କିଶୋର ମୁଣ୍ଡଙ୍କ ସମେତ ତିନୋଟି ଥାନାର ଆଇଆଇସି ଉପସ୍ଥିତ ଥିଲେ। ଆଗକୁ ପ୍ରତ୍ୟେକ ଜୋନ୍‌ରେ ଏଭଳି ସଭା ହେବା ସହ ଲୋକଙ୍କ ଅଭିଯୋଗ ଓ ପରାମର୍ଶ ଉପରେ ଗୁରୁତ୍ବ ଦିଆଯିବ। ସାଧାରଣ ଲୋକ କ’ଣ ଚାହୁଁଛନ୍ତି ସେ ନେଇ ପୁଲିସ ଜାଣିବାକୁ ଉଦ୍ୟମ କରିବା ସହ ଲୋକଙ୍କ ନିକଟତର ହେବା ପାଇଁ ଉଦ୍ୟମ କରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର