ଆଳୁଗଦିକୁ ବାଦ୍‌ଦେଇ ‘ଆଇଗିଣିଆ’ ଗାଁର ଅନ୍ୟ କିଛି ପରିଚୟ ଅଛି ବୋଲି ପୋଖତ ଭୁବନେଶ୍ବରିଆ ନ ହେଲେ, କେହି ଜାଣିପାରିବେନି। ରାଜଧାନୀର ଏହି ବ୍ୟସ୍ତବହୁଳ ଜାଗା ତଥା ପୁରୁଣା ଗାଁର ଏପରି ନାମକରଣ ପଛରେ ବି ଏକ ସୁନ୍ଦର କଥା ରହିଛି। ଖଣ୍ଡଗିରି ପାଦଦେଶ‌ରେ ଥିବା ଏହି ଗାଁ କେବେ ଗଢ଼ିଉଠିଥିଲା, କିଏ ଆଗ ଆସି ଏଠି ରହିଲା, ସେ ସଂପର୍କରେ କିଛି ଇତିହାସ ନାହିଁ। ଗାଁର ପୁରୁଖା ଲୋକଙ୍କ ପାଖ‌ରେ ବି ଏସବୁର ତଥ୍ୟ ଅଭାବ। ପୂର୍ବ ପିଢ଼ିଠାରୁ ଶୁଣିଥିବା କଥାରୁ ସେମାନେ ଖାଲି ଏତିକି କହନ୍ତି ଯେ ଏଠି ଦିନେ ଘଞ୍ଚ ‘ଅଗର ବଣ’ ଥିଲା। ତା’ରି ଭିତରେ କେଉଁ କାଳରରୁ ଏକ ଛୋଟିଆ ଗାଁ ଗଢ଼ି ଉଠିଥିଲା। ‘ଆଇଗିଣିଆ’ ନାଁଟି ସେଇ ‘ଅଗରବଣ’ର ଅପଭ୍ରଂଶ ନାମ ବୋଲି ସେମାନେ କହନ୍ତି। ତେବେ ରାଜଧାନୀ ପ୍ରତିଷ୍ଠା ହେବାପରଠୁ ଏହି ଗାଁର ଚିତ୍ର ବହୁ ବଦଳିଛି। ୬୦ବର୍ଷ ତଳ ଓ ଏବେର ଆଇଗିଣିଆ ଭିତରେ ଆକାଶପାତାଳ ଫରକ୍‌। ଛୋଟିଆ ଗାଁକୁ ଛାଡ଼ିଦେଲେ, ସେତେବେଳେ ପୂରା ଅଞ୍ଚଳଟି ଚାଷଜମି ଥିଲା। କିନ୍ତୁ ରାଜଧାନୀର କଳେବର ବଢ଼ିବାରୁ ସେ ସବୁଜ କ୍ଷେତ ଏବେ କଂକ୍ରିଟ୍‌ର ରୂପ ନେଇଯାଇଛି। ସେଠି ଏବେ ବିରାଟ ବିରାଟ ଅଟ୍ଟାଳିକା ଠିଆ ହୋଇଛି।

Advertisment

ଏବେ ବି ବଞ୍ଚିରହିଛି ଗୋଡ଼ି ପୋଖରୀ
ଗାଁରେ ଛୁଆଳସିଂହ ପୋଖରୀ, ସୁନ୍ଦରରାୟ ପୋଖରୀ, ଝର ପୋଖରୀ ଓ ଗୋଡ଼ି ପୋଖରୀ ଆଦି ଚାରିଟି ବଡ଼ ପୋଖରୀ ଥିଲା। ସେହିଭଳି ଗାଁ କଡ଼ରେ ପ୍ରାକୃତିକ ନାଳ ଯାଇଥିଲା। ଗାଁ ଲୋକଙ୍କ ଚଳିବା ପାଇଁ ଏ ସବୁ ଜୀବନରେଖା ଥିଲା। କାଳକ୍ରମେ ଛୁଆଳସିଂହ ଓ ଝର ପୋଖରୀ ପୋତି ହୋଇଗଲାଣି। ଗୋଡ଼ି ପୋଖରୀକୁ ଲୋକମାନେ ଏବେ ବି ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ସେହିପରି ସବୁ ସାହିରେ ଗୋଟେଗୋଟେ କୂଅ ଥିଲା। ଲୋକମାନେ କୂଅରୁ ପାଣି ନେଇ ଘରର ଯାବତୀୟ କାମ କରୁଥିଲେ। ଖରାଦିନେ ଅଧିକାଂଶ କୂଅ ଶୁଖି ଯାଉଥିବାବେଳେ ଦଧିବାମନଙ୍କ ମନ୍ଦିର ବେଢ଼ାରେ ଥିବା କୂଅ କେବେ ଶୁଖୁନଥିଲା।

କାଦୁଅ ପଚପଚ ଥିଲା ଗାଁ ରାସ୍ତା
୬୦ ବର୍ଷ ତଳେ ଗାଁରେ ସବୁ ନଡ଼ା ଛପର ଦୋପରି ଚାଳ ଘର ଥିଲା। ଛୁଆଳସିଂହ ପରିବାର କେବଳ କଡ଼ିବରଗା ଛାତ କରିଥିଲେ। କାଦୁଅ ପଚପଚ ଥିଲା ଗାଁ ରାସ୍ତା। ପଞ୍ଚାୟତ ହେବା ପରେ ଧୀରେଧୀରେ ଗାଁ ରାସ୍ତା ମାଟିରୁ ମୋରମ୍ ହେଲା। ପରେ ମ୍ୟୁନିସିପାଲିଟି ହେବା ପରେ ମୋରମ୍ ରାସ୍ତା ବଦଳି କଂକ୍ରିଟ୍ ଢଳେଇ ହେଲା। ସେହିଭଳି ୧୯୮୩ ମସିହାରେ ଗାଁକୁ ବିଜୁଳି ଆଲୁଅ ଆସିଲା। ତା’ ପୂର୍ବରୁ ଡିବିର ଆଲୁଅରେ ଚଳୁଥିଲେ ଗାଁଟିଯାକର ଲୋକେ। ପରବର୍ତ୍ତୀ ସମୟରେ ବ୍ୟବସାୟ ବାଣିଜ୍ୟ, ଗାଁ ଚାଷ ଜମିର ଅହେତୁକ ମୂଲ୍ୟ ବୃଦ୍ଧି ଲୋକଙ୍କ ଆର୍ଥିକ ସ୍ଥିତିକୁ ମଜବୁତ କଲା। ଲୋକମାନେ ଚାଷବାସ ଛାଡ଼ି ବ୍ୟବସାୟ ବାଣିଜ୍ୟରେ ମନୋନିବେଶ କଲେ। ଲୋକଙ୍କ ଚଳଣି ବଦଳିଲା। ଚାଳ ଘର ସବୁ ବଦଳି କୋଠା ହେଲା।

publive-image

ବିଲ ମୁଣ୍ଡରେ ବସୁଥିଲା ଆଖୁଶାଳ
ସେତେବେଳେ ଲୋକମାନଙ୍କର ମୁଖ୍ୟ ବେଉସା ଥିଲା ଚାଷ। ଗାଁର ଦକ୍ଷିଣ ଓ ପଶ୍ଚିମ ଦିଗରେ ୨ଶହ ଏକର ଚାଷ ଜମି ଥିଲା। ଲୋକମାନେ ଧାନ ଓ ଆଖୁ ଚାଷ କରୁଥିଲେ। ଧାନ ବର୍ଷକ ଭାତ ଯୋଗାଉଥିଲା ଓ ଧାନ ବିକି ଲୋକେ ବିଭିନ୍ନ ଜିନିଷ କିଣୁଥିଲେ। ସେହିଭଳି ଆଖୁରୁ ଗୁଡ଼ ପ୍ରସ୍ତୁତ କରି ବିକ୍ରି କରୁଥିଲେ। ବିଲ ମୁଣ୍ଡରେ ଆଖୁଶାଳ ପଡ଼ୁଥିଲା। ମହାଜନ ଆସି ଗାଁରୁ ଗୁଡ଼ କିଣି ନେଉଥିଲା। ସେତେବେଳେ ସମସ୍ତଙ୍କ ଭିତରେ ଭାଇଚାରା ଥିଲା। ସମସ୍ତେ ସମସ୍ତଙ୍କ ପାଇଁ କାମ କରି ଦେଉଥିଲେ। ମୂଲିଆ, ମଜୁରିଆଙ୍କର ବିଶେଷ ଆବଶ୍ୟକତା ପଡ଼ୁନଥିଲା। ୨୦୦୦ ମସିହାରୁ ଚାଷ କ୍ରମଶଃ କମି ଆସିଲା।

ଗାଁ ଭିତରେ ନାହାନ୍ତି ଭଡ଼ାଟିଆ
ଗାଁରେ ମୋଟ ୭ଟି ସାହି ରହିଛି। ଛୁଆଳସିଂହସାହି, ସୁନ୍ଦରରାୟସାହି, ଦଳେଇସାହି, ବଢ଼େଇସାହି, ସେନାପତିସାହି, କୁମ୍ଭାରସାହି ଓ ଭୋଇସାହି। ୫୦ ବର୍ଷ ତଳେ ଗାଁରେ ୭୦ ପରିବାରେ ପାଖାପାଖି ୩ଶହ ଲୋକ ଥିଲେ। ଯାହା ଏବେ ବୃଦ୍ଧି ପାଇ ୩ଶହ ପରିବାରରେ ଅଢ଼େଇ ହଜାର ଲୋକସଂଖ୍ୟାରେ ପହଞ୍ଚିଲାଣି। ବଡ଼ କଥା ହେଉଛି ଅନ୍ୟ ଗାଁ ଭଳି ଏହି ଗାଁରେ ବିଶେଷ ଭଡ଼ାଟିଆ ନାହାନ୍ତି। ଗାଁ ଚାରି ପାଖରେ ଲୋକମାନେ ଘର ଓ ଆପାର୍ଟମେଣ୍ଟ କରି ରହୁଥିଲେ ହେଁ ଗାଁରେ ଭଡ଼ାଟିଆମାନଙ୍କର ବିଶେଷ ପ୍ରବେଶ ନଥିବା ଗାଁ ଲୋକମାନେ କହିଛନ୍ତି।

ଧାନ କ୍ଷେତରେ ଗଢ଼ିଉଠିଛି ନୂତନ ଜନବସତି
ବ୍ୟବସାୟୀ ରଜନୀକାନ୍ତ ମହାପାତ୍ର ପ୍ରଥମେ ୧୯୮୫ ମସିହାରେ ଗାଁରୁ ଜମି କିଣି ଘର କରି ରହିଥିଲେ। ପରବର୍ତ୍ତୀ ସମୟରେ ଗାଁର ସବୁଜ ଧାନ କ୍ଷେତ ବିକ୍ରି ହୋଇଗଲା। ୧୯୯୭ ମସିହାରେ ପ୍ରଥମେ ଶ୍ରୀକ୍ଷେତ୍ରବିହାର ଗଢ଼ି ଉଠିଲା। ତା’ ପରେ ରାଜୀବ ନଗର, ସୁରେକା ରେସିଡେନ୍ସି, ରୟାଲ୍‌ ଗାର୍ଡେନ ଆଦି ଏକାଧିକ ଆବାସିକ କଲୋନି ଗଢ଼ି ଉଠିଛି।

ଅଢ଼େଇ ଟଙ୍କାରେ ଲୁଙ୍ଗି, ଟଙ୍କେ ବାରଣାରେ ଗଞ୍ଜି
ସେତେବେଳେ ହାଟ ବଜାର କହିଲେ, ଲିଙ୍ଗରାଜ ହାଟକୁ ହିଁ ବୁଝାଉଥିଲା। ହପ୍ତାକୁ ଦିନେ ଦୁଇ ଦିନ ଲୋକମାନେ ସେହି ହାଟକୁ ବଜାର କରିବାକୁ ଯାଉଥିଲେ। ଗଣ୍ଡମୁଣ୍ଡା ଏରୋଡ୍ରମ୍ ପଡ଼ିଆ ଓ ମଲ୍ଲିଆ ଛକ ଦେଇ ଲୋକମାନେ ଲିଙ୍ଗରାଜ ମନ୍ଦିର ପାଖରେ ଯାଇ ଉଠୁଥିଲେ। ଧୋଡ଼ା ରାସ୍ତାରେ ଶଗଡ଼ରେ ନଚେତ ଚାଲିକି ଯାଉଥିଲେ। ଗାଡ଼ି ମଟର କାହା ପାଖରେ ନଥିଲା। ଘର ବାଡ଼ିରେ ଯେତିକି ପରିବା ହେଉଥିଲା, ଖାଇବା ପାଇଁ ଯଥେଷ୍ଟ ହେଉଥିଲା। ହାଟରୁ ଲୋକମାନେ କେବଳ ତେଜରାତି ସାମଗ୍ରୀ ଆଣୁଥିଲେ। ସେହିଭଳି ସେତେବେଳେ ଅଢ଼େଇ ଟଙ୍କାରେ ଖୋର୍ଦ୍ଧା ଲୁଙ୍ଗି ଓ ଟଙ୍କେ ବାରଣାରେ ଗଞ୍ଜି ମିଳି ଯାଉଥିଲା। ପ୍ୟାଣ୍ଟ୍ ସାର୍ଟର ବିଶେଷ ବ୍ୟବହାର ନଥିଲା। ଲୋକମାନେ ଲୁଗା ଓ ଲୁଙ୍ଗି ପିନ୍ଧୁଥିଲେ।

ଦେବସ୍ନାନରୁ ଦୋଳ ପୂର୍ଣ୍ଣିମାରେ ଦୁଲୁକୁଥିଲା ଗାଁ ଦାଣ୍ଡ
ଗାଁର ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୁ ଦଧିବାମନ ଦେବ। ଇଷ୍ଟଦେବୀ ମା’ ମଙ୍ଗଳା। ସେହିପରି ଉଗାଳଷଣ୍ଢ, ବରୁଣେଇ-କରୁଣେଇ, ଚଣ୍ଡୀ ମନ୍ଦିର ଆଦି ବହୁ ପୁରାତନ ବିଗ୍ରହ। କେଉଁ ପୁରୁଷରୁ ଏମାନେ ପୂଜା ପାଇ ଆସୁଛନ୍ତି, ତାହା କାହାକୁ ମାଲୁମ୍ ନାହିଁ। ସେତେବେଳେ ପ୍ରଭୁ ଦଧିବାମନ ଦେବଙ୍କ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ବେଶ୍ ଆଡ଼ମ୍ବର ସହକାରେ ପାଳନ କରାଯାଉଥିଲା। ଏବେ ବି ପାଳନ କରାଯାଉଛି। ହେଲେ ସେ ପୁରୁଣା ମହକ ଆଉ ନାହିଁ ବୋଲି ଗାଁ ଲୋକମାନେ ମତ ଦିଅନ୍ତି। ସେହିପରି କାର୍ତ୍ତିକ ମାସରେ ଅଷ୍ଟପ୍ରହରୀ, ଦୋଳ ପୂର୍ଣ୍ଣମୀରେ ଦୋଳ ମେଳଣ ଆଦି ବେଶ ଧୁମ୍‌ଧାମ୍‌ରେ ପାଳନ ହୁଏ।

ଖଣ୍ଡଗିରି ଯାତ୍ରାରେ ନାଟକ ପରିବେଷଣ କରୁଥିଲା ଗାଁ ନାଚ ଦଳ

ଗାଁରେ ଗୋଟେ ନାଚ ଦଳ ଥିଲା। ସେମାନେ ବିଭିନ୍ନ ସାମାଜିକ ନାଟକ ପରିବେଷଣ କରୁଥିଲେ। ଦୋଳ ପୂର୍ଣ୍ଣିମାରେ ଗାଁରେ ନାଟକ ପରିବେଷଣ କରୁଥିବା ବେଳେ ଯେଉଁଠାରୁ ବଇନା ଆସୁଥିଲା ଆଖପାଖ ବିଭିନ୍ନ ଗାଁକୁ ନାଟକ କରିବା ପାଇଁ ଯାଉଥିଲେ। ଏମିତିକି ଖଣ୍ଡଗିରି ମେଳାରେ ମଧ୍ୟ ଏହି ଗାଁ ପିଲାମାନେ ନାଟକ ପରିବେଷଣ କରୁଥିଲେ। ଗାଁର ପ୍ରତି ଘରୁ ଜଣେ ଜଣେ ଲୋକକୁ ନାଟକ ପରିବେଷଣରେ ଭାଗ ନେବା ପାଇଁ ନିୟମ ଥିଲା। ଏହି ଦଳ କାଳକ୍ରମେ ବୁଡ଼ି ଯାଇଛି। ସେହିଭଳି ଗାଁରେ କୀର୍ତ୍ତନ ଦଳ ମଧ୍ୟ ଥିଲା। ଧନୁ ସୁନ୍ଦରରାୟ ବେଶ୍ ପରିଚିତ କୀର୍ତ୍ତନ ଗାୟକ ଥିବାବେଳେ ଲିଙ୍ଗରାଜ ସୁନ୍ଦରରାୟ ଜଣାଶୁଣା ବାୟକ ଥିଲେ।

ଦାଣ୍ଡରେ ପଢ଼ା ହେଉଥିଲା ଧର୍ମଗ୍ରନ୍ଥ
ସେତେବେଳେ ସନ୍ଧ୍ୟା ହେଲେ ବିଭିନ୍ନ ସାହିରେ ଲଣ୍ଠନ ଜାଳି ଭାଗବତ ପଢ଼ା ହେଉଥିଲା। ଗାଁର ପୁରୁଷ ଓ ବୃଦ୍ଧ, ବୃଦ୍ଧାମାନେ ବସି ଭାଗବତ ଶୁଣୁଥିଲେ। ପ୍ରତି ସାହିରେ ୧୦/୨୦ ଲୋକ ଭାଗବତ ପଢ଼ା ପାଖରେ ବସି ରହୁଥିଲେ। ସେଠାରେ ଭାଗବତ ବ୍ୟତୀତ ରାମାୟଣ, ମହାଭାରତ ଆଦି ଧର୍ମଗ୍ରନ୍ଥ ମଧ୍ୟ ପଢ଼ାଯାଉଥିଲା। ଯାହାକୁ ଲୋକମାନେ ଆଦରର ସହ ଶୁଣୁଥିଲେ ବୋଲି ଗାଁର ପୁରୁଖା ଲୋକମାନେ କୁହନ୍ତି।