ଭୁବନେଶ୍ବର: ସରକାରୀ ଆୟୁର୍ବେଦିକ/ହୋମିଓପ୍ୟାଥିକ ମେଡିକାଲ କଲେଜ ଓ ହସ୍ପିଟାଲରେ ଉଜୁଡ଼ି ଯାଇଥିବା ବଗିଚା ପୁଣି ଥରେ ଠିଆ ହେବ। ବିଭିନ୍ନ ପ୍ରକାର ଔଷଧୀୟ ଗଛରେ ଭରି ଉଠିବ ବଗିଚା। ଜାତୀୟ ଆୟୁଷ ମିସନ୍ ବା ନାମ୍ ଅଧୀନରେ ଔଷଧୀୟ ବଗିଚା ସୃଷ୍ଟି କରିବା ଲାଗି ପ୍ରତ୍ୟେକ ସ୍ବାସ୍ଥ୍ୟାନୁଷ୍ଠାନକୁ ୮ଲକ୍ଷ ଟଙ୍କା ଲେଖାଏଁ ମଞ୍ଜୁର କରାଯାଇଛି। ରାଜଧାନୀରେ ଥିବା ସରକାରୀ ଆୟୁର୍ବେଦିକ ହସ୍ପିଟାଲ ଓ ଡା. ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ ମେଡିକାଲ କଲେଜ ଓ ହସ୍ପିଟାଲରେ ଔଷଧୀୟ ବଗିଚା ସୃଷ୍ଟି ପାଇଁ ସିଟି ଫରେଷ୍ଟ ଡିଭିଜନ୍କୁ ଚିଠି ଲେଖାଯାଇଛି। ଖୁବ୍ଶୀଘ୍ର ଏହି ଦୁଇ ହସ୍ପିଟାଲରେ ଔଷଧୀୟ ଗଛ ଲଗା କାମ ଆରମ୍ଭ ହେବ ବୋଲି ସୂଚନା ମିଳିଛି।
ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ/ସରକାରୀ ଆୟୁର୍ବେଦିକ ହସ୍ପିଟାଲରେ ପ୍ରସ୍ତୁତି
ଔଷଧୀୟ ଗଛ ଲଗାଇବାକୁ ବନ ବିଭାଗକୁ ଚିଠି
ରାଜଧାନୀର ଏହି ଦୁଇ ହସ୍ପିଟାଲରେ ପୂର୍ବରୁ ଔଷଧୀୟ ବଗିଚା ରହିଥିଲା। ବଗିଚାରେ ବହୁ ସଂଖ୍ୟାରେ ଔଷଧୀୟ ବୃକ୍ଷ ରହିଥିଲା। ହେଲେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଦୀର୍ଘ ଦିନ ହେବ ଏସବୁ ବଗିଚା ଉଜୁଡ଼ି ଯାଇଛି। ଔଷଧୀୟ ବଗିଚାଟି ସଂପୂର୍ଣ୍ଣ ଟାଙ୍ଗରା ଭୂଇଁ ପାଲଟି ଯାଇଛି। ଫଳରେ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଏକ ପ୍ରାକୃତିକ ପରିବେଶ ପାଇବାରୁ ବଞ୍ଚିତ ହେଉଥିଲେ। ତେବେ ଏହି ଟାଙ୍ଗରା ଭୂଇଁରେ ପୁଣିଥରେ ସବୁଜିମାରେ ଭରିବା ଲାଗି କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ‘ନାମ୍’ ଜରିଆରେ ଆର୍ଥିକ ସହାୟତା ଦିଆଯାଇଛି। ଏହି ଭିତ୍ତିରେ ରାଜ୍ୟର ୮ଟି ସ୍ବାସ୍ଥ୍ୟାନୁଷ୍ଠାନକୁ ୬୪ଲକ୍ଷ ଟଙ୍କା ଦିଆଯାଇଛି। ପୁରୁଣା ଭୁବନେଶ୍ବରରେ ଥିବା ସରକାରୀ ଆୟୁର୍ବେଦିକ ହସ୍ପିଟାଲରେ ଔଷଧୀୟ ବଗିଚା ପାଇଁ ଏକ ଡିଜାଇନ୍ ପ୍ରସ୍ତୁତ ହୋଇଛି। ପ୍ରାୟ ଦେଢ଼ ଏକର ଅଞ୍ଚଳରେ ୧୦୦ରୁ ଅଧିକ ଔଷଧୀୟ ବୃକ୍ଷ ଲାଗିବ। ଏଥିରେ କର୍ପୂର ତୁଳସୀ, ରାମ ତୁଳସୀ, କନକ ଚମ୍ପା, ଜୁଆଣି, ବ୍ରାହ୍ମୀ, ଷ୍ଟେଭିଆ, ଅଶ୍ବଗନ୍ଧା, ଥାଲକୁଡ଼ି, ଲେମନ ଗ୍ରାସ, ହଳଦୀ, ଅଦା, ପିପିରମିଣ୍ଟ, ଭୃଙ୍ଗରାଜ, ଗୋଖୁର, ମେହେନ୍ଦୀ, ଲାଜକୁଳି, ବାସଙ୍ଗ, କୁରାଇ ଭଳି ଔଷଧୀୟ ଗଛ ଲଗାଯିବାକୁ ନିଷ୍ପତ୍ତି ହୋଇଛି। ଏହାସହ ଔଷଧୀୟ ବଗିଚାକୁ ନିୟମିତ ପାଣି ଯୋଗାଣ ପାଇଁ ବୋରୱେଲ ଖନନ କରାଯିବ। ହସ୍ପିଟାଲରେ ମାଳି ପଦବି ଖାଲି ପଡ଼ିଥିବା ବେଳେ ବଗିଚାର ରକ୍ଷଣାବେକ୍ଷଣ ପାଇଁ ଜଣେ ମାଳି ନିୟୋଜିତ ହେବେ ବୋଲି ସୂଚନା ମିଳିଛି। ବଗିଚାକୁ ନୂଆ ରୂପ ଦେବା ଲାଗି କେତେକ ନିର୍ମାଣ କାର୍ଯ୍ୟ ମଧ୍ୟ କରାଯିବ।
ସେହିପରି ଡା. ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ କଲେଜରେ ୧.୪୧ଏକର ଜାଗାରେ ଔଷଧୀୟ ବଗିଚା ସୃଷ୍ଟି କରିବା ଲାଗି ଯୋଜନା ହୋଇଛି। ଏଥିପାଇଁ କେଉଁ କ୍ଷେତ୍ରରେ କେତେ ଟଙ୍କା ଖର୍ଚ କରାଯିବ, ତାହାର ଏକ ବ୍ୟୟଅଟକଳ ପ୍ରସ୍ତୁତ କରାଯାଇଛି। ମେଡିକାଲ କଲେଜରେ ଅଢ଼େଇ ହଜାରରୁ ଅଧିକ ଔଷଧୀୟ ଗଛ ଲଗାଯିବ। ବଗିଚାକୁ ନିୟମିତ ପାଣି ଯୋଗାଣ ପାଇଁ ବ୍ୟବସ୍ଥା କରାଯିବ। ଆସନ୍ତା ୧ବର୍ଷ ପାଇଁ ବଗିଚାର ରକ୍ଷଣାବେକ୍ଷଣ ପାଇଁ ୨ଜଣ କର୍ମଚାରୀଙ୍କୁ ଆଉଟସୋର୍ସିଂ ଜରିଆରେ ନିୟୋଜିତ କରିବା ଲାଗି ହସ୍ପିଟାଲ କର୍ତୃପକ୍ଷ ଯୋଜନା କରିଛନ୍ତି। ସିଟି ଫରେଷ୍ଟ ଡିଭିଜନ୍ କଲେଜରେ ଔଷଧୀୟ ଗଛ ଲଗାଇବ। ଔଷଧୀୟ ବଗିଚା ସୃଷ୍ଟି ହେବା ସ୍ଥାନରେ ଥିବା ଅନାବନା ଗଛକୁ କଲେଜ କର୍ତୃପକ୍ଷ ସଫା କରିଛନ୍ତି। ଆୟୁଷ ନିର୍ଦ୍ଦେଶାଳୟରୁ ଅନୁମୋଦନ ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।