ଜରାଜୀର୍ଣ୍ଣ ଗୋଦାମ ଘରେ ଆୟୁର୍ବେଦ ଚିକିତ୍ସାଳୟ

ବାଲିପାଟଣା: ବାଲିପାଟଣା ବ୍ଲକ ପମ୍ପାଲୋ ପଞ୍ଚାୟତ କୁଳନ୍ତିରା ଶାସନରେ ଥିବା ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ଦୀର୍ଘ ବର୍ଷ ଧରି ଗାଁ ହାଟର ଏକ ଭଙ୍ଗା ଗୋଦାମ ଘରେ ଚାଲିଛି। ଏହି ଚିକିତ୍ସାଳୟ ପାଇଁ ସରକାରୀ ଜମି ମିଳୁ ନଥିବାରୁ ସ୍ଥାୟୀ ଗୃହ ନିର୍ମାଣ ହୋଇପାରୁନାହିଁ। ଏକର ଏକର ସରକାରୀ ଜମି ଖାଲି ପଡ଼ିଥିବା ବେଳେ ଏହି ସରକାରୀ ମେଡିକାଲ ପାଇଁ ମାତ୍ର କିଛି ଡିସିମିଲି ଜମି ମିଳୁନାହିଁ। ପ୍ରଶାସନିକ ଉଦାସୀନତା ପାଇଁ ଲୋକେ ଭଙ୍ଗାଦଦରା ଘରକୁ ଆସିବାକୁ ବାଧ୍ୟ ହେଉଛନ୍ତି।

୨୦୦୪ ମସିହା ଜାନୁଆରି ୧ ତାରିଖରେ କୁଳନ୍ତିରା ଆୟୁର୍ବେଦ ଚିକିତ୍ସାଳୟ ପ୍ରତିଷ୍ଠା କରାଯାଇଥିଲା। ପ୍ରଥମେ ଗାଁ ଭିତରେ କ୍ଲବ ଘରେ ଏହି ମେଡିକାଲ ଚାଲିଲା। ପରେ ଲୋକଙ୍କ ସୁବିଧା ଦୃଷ୍ଟିରୁ ଗ୍ରାମବାସୀମାନେ ହାଟ ପାଇଁ ଉଦ୍ଦିଷ୍ଟ ଗୋଦାମ ଘରକୁ ମରାମତି କରାଇ ଉକ୍ତ ମେଡିକାଲକୁ ସ୍ଥାନାନ୍ତର କଲେ। ଏହା ସମଗ୍ର ବ୍ଲକରେ ଏକମାତ୍ର ଆୟୁର୍ବେଦ ମେଡିକାଲ। ତେଣୁ ପୁରୁଣା ରୋଗରେ ପୀଡ଼ିତ ତଥା ଆୟୁ‌ର୍ବେଦ ଚିକିତ୍ସା ଲୋଡ଼ୁଥିବା ବହୁ ଲୋକ ଏଠାକୁ ଆସୁଛନ୍ତି। ମାତ୍ର କାନ୍ଥ ଫାଟି ଯାଇଥିବା ଓ ଛାତରୁ କଂକ୍ରିଟ୍‌ ଖସୁଥିବା ଏହି ଘର ଆଉ ସୁରକ୍ଷିତ ହୋଇନାହିଁ। ତେଣୁ ଲୋକେ ଏଠାକୁ ଆସିବା ପାଇଁ ମନ ବଳାଉ ନାହାନ୍ତି। ସେହିଭଳି ଡାକ୍ତର ଓ କର୍ମଚାରୀମାନେ ମଧ୍ୟ ଏଠାରେ ବସି କାମ କରିବାକୁ ଭୟ କରୁଛନ୍ତି। ତେଣୁ ଏକ ସ୍ଥାୟୀ ଗୃହ ପାଇଁ ଦୀର୍ଘ ବର୍ଷ ହେଲା ଦାବି ହୋଇଆସୁଛି। ହସ୍ପିଟାଲ ନାଁରେ ସ୍ଥାୟୀ ଜମି ଥିଲେ ଗୃହ ନିର୍ମାଣ ପାଇଁ ସରକାରୀ ଅର୍ଥର ଅଭାବ ନାହିଁ। ବ୍ଲକ ପ୍ରଶାସନ ହେଉ କି ଗ୍ରାମ୍ୟ ଉନ୍ନୟନ ବିଭାଗ, ନୂତନ କୋଠା ନିର୍ମାଣ କରାଇପାରିବେ। ମାତ୍ର ରାଜସ୍ବ ବିଭାଗ ଜମି ଯୋଗାଇ ପାରୁନାହିଁ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ୧୦ ବର୍ଷ ହେଲା ସ୍ଥାନୀୟ ତହସିଲ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ ହୋଇଛି। କିନ୍ତୁ ଆଜି ଯାଏ କିଛି ସୁଫଳ ମିଳୁନାହିଁ। ଏ ନେଇ ତହସିଲଦାର ସୁନିତା ଜେନାଙ୍କ କହିବା କଥା, ତାଙ୍କୁ ଏବେ ଘଟଣା ସମ୍ପର୍କରେ ଅବଗତ କରାଯାଇଛି ଓ ଖୁବ୍‌ଶୀଘ୍ର ଆଇନ ଅନୁସାରେ ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର