ଭୁବନେଶ୍ୱର : ଆୟୁର୍ବେଦ ଚିକିତ୍ସା ପଦ୍ଧତିରେ ସ୍ନାତକୋତ୍ତର ତାଲିମ ନେଇଥିବା ଶଲ୍ୟ ବିଶେଷଜ୍ଞମାନେ ଅସ୍ତ୍ରୋପଚାର କରିପାରିବେ। ଏନେଇ କେନ୍ଦ୍ର ସରକାର ଅନୁମତି ଦେବା ପରେ ଏହାକୁ ଓଡ଼ିଶା ଆୟୁର୍ବେଦ ଶଲ୍ୟ ବିଶେଷଜ୍ଞମାନେ ସମର୍ଥନ ଜଣାଇଛନ୍ତି। ଏଥିସହ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକୁ ‘ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌(ଆଇଏମ୍‌ଏ)ର ବିରୋଧକୁ ନିନ୍ଦା କରିଛନ୍ତି।

Advertisment

ଆଜି ‘ଇଣ୍ଡିଆନ୍‌ ପ୍ରୋକ୍ଟୋଲୋଜି ସୋସାଇଟି’ ପକ୍ଷରୁ ଜୟ ଭାରତ ଅଡିଟୋରିୟମ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୋସାଇଟିର ସଭାପତି ପ୍ରଫେସର(ଡାକ୍ତର) ଚତୁର୍ଭୁଜ ଭୂୟାଁ କହିଛନ୍ତି, ଆୟୁର୍ବେଦ ଶଲ୍ୟ ଚିକିତ୍ସକମାନେ ଦୀର୍ଘ ୪୦ ବର୍ଷ ଧରି ଜାତୀୟ ଚିକିତ୍ସା ପ୍ରତିଷ୍ଠାନରେ ଶଲ୍ୟ ଚିକିତ୍ସା କରି ଆସୁଛନ୍ତି। ଆୟୁର୍ବେଦ ଚିକିତ୍ସକମାନଙ୍କ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ବ୍ୟବସ୍ଥା ରହିଥିବାରୁ ଏହି ତାରତମ୍ୟକୁ ହଟାଇ ଭାରତ ସରକାର ସମଗ୍ର ଦେଶରେ ଆୟୁର୍ବେଦ ଶଲ୍ୟ ବିଶେଷଜ୍ଞମାନଙ୍କ ନିମନ୍ତେ ସମାନ କାର୍ଯ୍ୟପଦ୍ଧତି ନିର୍ଦ୍ଧାରଣ କରିଛନ୍ତି। ସେ କହିଛନ୍ତି, ଆୟୁର୍ବେଦର ବିଏଏମ୍‌ଏସ୍ ଓ ଏଲୋପାଥିରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମର ସମୟ ଅବଧି, ତାଲିମ୍‌ ଓ କ୍ଲିନିକାଲ୍‌ ଓ ନନ୍‌କ୍ଲିନିକାଲ୍‌ ସମାନ ଭାବେ ରହିଛି। ସେହିଭଳି ସ୍ନାତକୋତ୍ତର ସ୍ତରରେ ମଧ୍ୟ ଉଭୟ ପାଠ୍ୟକ୍ରମର ବ୍ୟବସ୍ଥା ସମାନ। ଉଭୟ ପାଠପଢ଼ା‌ରେ ଛାତ୍ରଛାତ୍ରୀମାନେ ସଂପୃକ୍ତ ବିଷୟରେ ପଢ଼ା ସହିତ ଗବେଷଣା ଓ ତାଲିମ ପରେ ବିଶ୍ବବିଦ୍ୟାଳୟରୁ ଡିଗ୍ରି ସାର୍ଟିଫିକେଟ୍‌ ପାଆନ୍ତି ଓ ସରକାରଙ୍କଠାରୁ ଲାଇସେନ୍ସ ହାସଲ କରନ୍ତି। ଏଣୁ ଆୟୁର୍ବେଦ ଶଲ୍ୟ ବିଶେଷଜ୍ଞମାନେ ଶଲ୍ୟ ଚିକିତ୍ସା ଅଧିକାର ପାଇବା ଫଳରେ ଏଲୋପାଥି ଶଲ୍ୟ ଚିକିତ୍ସକଙ୍କ ଉପରୁ ଚାପ କମିବ। ଏଣୁ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିବା ନିରାଧାର ବୋଲି ସେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଆୟୁର୍ବେଦ ବି‌ଶେଷଜ୍ଞ ଡାକ୍ତର ଉମେଶଚନ୍ଦ୍ର ପୃଷ୍ଟି, ଡାକ୍ତର ଧନେଶ୍ବର ବଳିୟାରସିଂହ, ଡାକ୍ତର ଆଦିତ୍ୟ କୁମାର ମିଶ୍ର, ଡାକ୍ତର ପ୍ରସନ୍ନ କୁମାର ପଟ୍ଟନାୟକ ଓ ଡାକ୍ତର ଅନ୍ନଦା ପ୍ରଦାଦ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।