ବାଲିପାଟଣା: ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇ ପୁନେରେ ଚିକିତ୍ସାଧୀନ ଥିବା ମେଧାବୀ ଛାତ୍ରୀ ଆୟୁଷୀ ମିଶ୍ର ଶେଷରେ ଆଖି ବୁଜି ଦେଇଛନ୍ତି। ନିୟତିର ନିଷ୍ପତ୍ତି ଆଗରେ ବହୁ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ଓ ସଦିଚ୍ଛା ହାର୍ ମାନିଛି। ଆଜି ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ବାଲିପାଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Advertisment

ସୂଚନାନୁସାରେ ବାଲିପାଟଣା ଥାନାସାହିର ଜନରଞ୍ଜନ ଓ ସୁଜାତା ମିଶ୍ରଙ୍କ ଏକମାତ୍ର ଝିଅ ହେଉଛନ୍ତି ଆୟୁଷୀ। ମାଟ୍ରିକ୍ ପରୀକ୍ଷାରେ ୮୫ପ୍ରତିଶତ ନମ୍ବର ରଖି ପାସ୍‌ କରିବା ପରେ ସେ ବିଜେବି କଲେଜରେ ଯୁକ୍ତ ଦୁଇ କଳାରେ ନାମ ଲେଖାଇଥିଲେ। ତର୍କ, ପ୍ରବନ୍ଧ, ଚିତ୍ରାଙ୍କନ ଓ ଓଡ଼ିଶୀ ନୃତ୍ୟ ଭଳି ଅତିରିକ୍ତ ପାଠ୍ୟକ୍ରମରେ ସେ ବେଶ୍ ପାରଙ୍ଗମ ଥିଲେ। ମାଟ୍ରିକ ପରୀକ୍ଷା ସମୟରୁ ସେ ରକ୍ତ କର୍କଟ ରୋଗରେ ପୀଡ଼ିତ ବୋଲି ଜଣାପଡ଼ିଥିଲା। ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିବା ବେଳେ ଦିନକୁ ଦିନ ଅବସ୍ଥା ବିଗିଡ଼ିବାରେ ଲାଗିଲା। ତେଣୁ ତାଙ୍କୁ ପୁନେ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ମାତ୍ର ଅର୍ଥାଭାବ ବାଧକ ସାଜିଥିଲା। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଓ ମିଲାପ୍‌ ଫଣ୍ଡ ରେଜର୍‌ ଜରିଆରେ ଆୟୁଷୀଙ୍କୁ ବହୁ ବଦାନ୍ୟ ବ୍ୟକ୍ତି ସହଯୋଗ କରିଥିଲେ। ଫଳରେ ତାଙ୍କୁ ପୁନେ ନିଆଯାଇଥିଲା। ତାଙ୍କ ଭଳି ଜଣେ ସର୍ବଗୁଣାସମ୍ପନ୍ନା ମେଧାବୀ ଛାତ୍ରୀଙ୍କ ଜୀବନ ପାଇଁ ବହୁ ଲୋକ ପ୍ରାର୍ଥନା କରିଥିଲେ। ମାତ୍ର ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଜୀବନ ଦୀପ ଲିଭି ଯାଇଥିଲା।