ଭୁବନେଶ୍ବର: ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ‘ଆଜାଦି କା ଅମୃତ ମହୋତ୍ସବ’ ପାଳିତ ହେଉଛି। ଏହି ଅବସରରେ ଜାତୀୟ ନିରାପତ୍ତା ବାହିନୀ (ଏନ୍ଏସ୍ଜି) ପକ୍ଷରୁ ଆରମ୍ଭ ହୋଇଥିବା ବ୍ଲାକ୍-କ୍ୟାଟ୍ ରୢାଲିକୁ ପୁଲିସ ସେବା ଭବନରେ ଭବ୍ୟ ସମ୍ବର୍ଧନା ଦିଆଯାଇଛି। ପୁଲିସ କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି କାର୍ ରୢାଲିକୁ ସ୍ବାଗତ କରିଥିଲେ। ଏହି ଅବସରରେ ପୁଲିସ ସେବା ଭବନରେ ପାଇକ ଆଖଡ଼ା ଓ ବିଭିନ୍ନ ସମରକଳା ପ୍ରଦର୍ଶିତ ହୋଇଥିଲା। ପୁଲିସ ମହାନିର୍ଦ୍ଦେଶକ ଅଭୟ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶ ପ୍ରତି ଏନ୍ଏସ୍ଜିର ଅବଦାନ ଓ ନିଷ୍ଠା ଉପରେ ଆଲୋକପାତ କରିବା ସହ କମାଣ୍ଡୋମାନଙ୍କୁ ଉତ୍ସାହିତ କରିଥିଲେ।
ଏନ୍ଏସ୍ଜି ଗ୍ରୁଫ ଏସ୍ଏମ୍ କର୍ଣ୍ଣେଲ ଓ.ଏସ୍ ରାଠୋର୍ ଏହି କାର୍ ରୢାଲିର ଉଦ୍ଦେଶ୍ୟରେ ସଂପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ୧୨ ଅଧିକାରୀ ଓ ୪୭ କମାଣ୍ଡୋଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଅଭିଯାନ ସହରକୁ ସହ ବୁଲି ଲୋକଙ୍କ ମନରେ ଦେଶଭକ୍ତି ଜାଗରଣ କରୁଛି। ବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେ ଦେଶ ପ୍ରତି ନିଜର ଦାୟିତ୍ବବୋଧ ଓ ସମର୍ପଣ ଭାବ ସୃଷ୍ଟି କରିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଥିଲେ। ଏହି ଅବସରରେ ଭାରତୀୟ ହକି ଦଳର ପୂର୍ବତନ ଉପ-ଅଧିନାୟକ ତଥା ଟୋକିଓ ଅଲିମ୍ପିକ୍ସର ବ୍ରୋଞ୍ଜ ବିଜେତା ବୀରେନ୍ଦ୍ର ଲାକ୍ରା, ଅଲିମ୍ପିଆନ୍ ଅନୁରାଧା ବିଶ୍ବାଳ ଏବଂ ଏନ୍ଏସ୍ଜି ଗ୍ରୁପ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
କାର୍ଯ୍ୟକ୍ରମରେ ଗୁଇନ୍ଦା ନିର୍ଦ୍ଦେଶକ ଲଲିତ ଦାସ, ଆଇଜି (ଅପରେସନ୍) ଅମିତାଭ ଠାକୁରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହି ରାଲି ଆସନ୍ତାକାଲି (ବୁଧବାର) ସକାଳୁ ଗୋପାଳପୁର ଅଭିମୁଖେ ଯାତ୍ରା କରିବ। ସେଠାରୁ ଭାଇଜାଗ୍, ଚେନ୍ନାଇ, ବେଙ୍ଗାଲୁରୁ; ଏମିତି ଦେଶର ୧୨ଟି ରାଜ୍ୟର ୧୮ଟି ସହର (ପାଖାପାଖି ୭୫୦୦ କିଲୋମିଟର) ଯାତ୍ରା କରିବ ବୋଲି ଜଣାପଡ଼ିଛି। ଆସନ୍ତା ୩୦ ତାରିଖରେ ଦିଲ୍ଲୀରେ ଏହି ରୢାଲି ଉଦ୍ଯାପିତ ହେବ।