ରବୀନ୍ଦ୍ର ମଣ୍ଡପରେ ଆଜାଦି କା ଅମୃତ ମହୋତ୍ସବ, ‌ଦେଶାତ୍ମବୋଧ ଗୀତରେ ଭିଜିଲେ ଦର୍ଶକ

ଭୁବନେଶ୍ବର: କରୋନାର ଦ୍ବିତୀୟ ଲହର ଯୋଗୁଁ ୩ ମାସରୁ ଅଧିକ ଦିନ ଧରି ବନ୍ଦ ରହିଥିବା ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟ ପୁଣି ହୋଇଛି ଚଳଚଞ୍ଚଳ। ଦୀର୍ଘଦିନର ନିରବତା ପରେ ପ୍ରେକ୍ଷ‌ାଳୟରେ ଗୁଞ୍ଜରିତ ହୋଇଛି ନୂପୁରର ରୁଣୁଝୁଣୁ ଶବ୍ଦ। ତା’ ସାଙ୍ଗକୁ କଣ୍ଠଶିଳ୍ପୀଙ୍କ ସୁମଧୁର ସ୍ବର ପରିବେଶରେ ଭରି ଦେଇଥିଲା ମାଧୁର୍ଯ୍ୟ।

ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ଦ୍ବାରା ଆୟୋଜିତ ହୋଇଥିଲା ‘ଆଜାଦି କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ। ‘ହେ ରାମ ହେ ରାମ’ ଗୀତରୁ ଏକ ଦେଶାତ୍ମବୋଧ ପରିବେଶରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ଏହି ଗୀତକୁ ସୁନାମଧନ୍ୟ କଣ୍ଠଶିଳ୍ପୀ କରୁଣାକର ସେଠୀ, ପ୍ରଦୀପ ପଲାଇ, ବସନ୍ତ ପାତ୍ର ଓ ସୁଧାକର ମିଶ୍ର ପରିବେଷଣ କରିଥିଲେ। ଏହାପରେ କଣ୍ଠଶିଳ୍ପୀ ମାନେ ଦର୍ଶକମାନଙ୍କୁ ବହୁ ‘ଗାନ୍ଧୀ ଗୀତ’ ଭେଟି ଦେଇଥିଲେ। ଗାନ୍ଧୀଜୀଙ୍କ ଉପରେ ଏକ ନୃତ୍ୟନାଟିକା ମଧ୍ୟ ପରିବେଷଣ କରାଯାଇଥିଲା।

କଣ୍ଠ ଶିଳ୍ପୀ ମଧୁଲିତା ପରିଡ଼ା, ବର୍ଣ୍ଣାଳୀ ହୋତା, ମାନସୀ ପାତ୍ର, ସୁଭଦ୍ରା ଶୁଭଦର୍ଶୀଙ୍କ ଦ୍ବାରା ‘ସାବରମତି କେ ସନ୍ଥ ତୁନେ କର୍‌ଦିଆ କମାଲ୍‌’ ଗାନ୍ଧୀ ଗୀତ ପ୍ରେକ୍ଷାଳୟରେ ଦେଶାତ୍ମବୋଧ ପରିବେଶ‌ ସୃଷ୍ଟି କରିଥିଲା। ଏହାପରେ କଣ୍ଠଶିଳ୍ପୀ ବର୍ଣ୍ଣଳୀ ହୋତା ‘ମଙ୍ଗଳମ୍ ଭଗବାନ ମଙ୍ଗଳହାରୀ’ ପରିବେଷଣ କରିଥିଲେ ପରେ ପରେ ‘ରାମ୍‌ କା ଗୁଣ ଗାନ କରିୟେ’, ‘ରଘୁପତି ରାଘବ ରାଜା ରାମ୍‌’ ପ୍ରଭୃତି ଗାନ୍ଧୀଗୀତ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲା। ଏହାପରେ ଓଡ଼ିଶା ଡ୍ୟାନ୍ସ ଏକାଡେମି ପକ୍ଷରୁ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ନୃତ୍ୟନାଟିକା ପରିବେଷଣ କରାଯାଇଥିଲା। ଏଥିରେ ଗାନ୍ଧୀଜୀଙ୍କର ଜୀବନୀ ଏବଂ ସ୍ବାଧୀନତାର ସଂଘର୍ଷର କାହାଣୀକୁ କଳାକାରମାନେ ପରିବେଷଣ କରିଥିଲେ। ଉତ୍ସବରେ ମୁଖ୍ୟଅତିଥି ଭାବେ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୁରେଶ କୁମାର ଦଳାଇ, ସମ୍ମାନିତ ଅତିଥି ଭାବେ ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଭାପତି ପଦ୍ମଶ୍ରୀ ଅରୁଣା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ଶେଷରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଚିବ ପ୍ରବୋଧ ରଥ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର