ବିନ୍ଦୁସାଗରରେ ଜୀବନ ହାରିଲେ ବି.ଟେକ୍‌ ଛାତ୍ର: ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଲେ ଦୁର୍ବିଷହ ଜୀବନ କାହାଣୀ

ପୁରୁଣା ଭୁବନେଶ୍ବର: ‘ବହୁ ପୂର୍ବରୁ ମରିବାକୁ ଚାହୁଥିଲି। କିନ୍ତୁ କିଛି ସାଙ୍ଗସାଥୀ ଓ ସମ୍ପର୍କୀୟମାନଙ୍କ ଆଶ୍ବସନା ଆଜି ଯାଏ ମୋ‌‌ତେ ବଞ୍ଚି ରହିବାକୁ ବାଧିତ କରିଥିଲା। ମାତ୍ର ଏବେ ଶେଷ ସମୟ ଆସିଯାଇଛି। ମୁଁ ହସି ହସି ମରୁଛି। ଜୀବନ ବଡ଼ କଷ୍ଟକର। ପୃଥିବୀରେ ମଣିଷ ଥିବା ଭଳି ମୋତେ ଅନୁଭବ ହେଉନାହିଁ। ତେଣୁ ଏଠି ରହିବାକୁ ଇଛା ନାହିଁ, ହସି ହସି ବିଦାୟ ନେଉଛି। ସମସ୍ତଙ୍କୁ ଧନ୍ୟବାଦ୍, ଗୁଡ୍‌ ବାଏ।’ ଏମିତି ଥିଲା ବିଟେକ୍‌ ଛାତ୍ର ସାଇଶ୍ରୀ ଜ୍ୟୋତିପ୍ରକାଶ (୨୦)ଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଶେଷ ପୋଷ୍ଟ। ଗତକାଲି ରାତିରେ ବିନ୍ଦୁସାଗରକୁ ଡେଇଁ ଆତ୍ମହତ୍ୟା କରିଥିବା ସାଇଶ୍ରୀଙ୍କ ଏଭଳି ପୋଷ୍ଟ ଆଜି ପୁରୁଣା ଭୁବନେଶ୍ବର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।
ସୂଚନାନୁୟାୟୀ ସାଇଶ୍ରୀଙ୍କ ବାପା ଓ ମା’ଙ୍କ ମଧ୍ୟରେ ପାରିବା‌ରିକ ବିବାଦ ଲାଗିରହିଛି।

ବାପା ଗାଁରେ(ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳ) ରହୁଥିବା ବେଳେ ସାଇଶ୍ରୀ ଓ ମା’ଙ୍କ ସହ ସାମନ୍ତରାପୁରରେ ଘର ଭଡ଼ା ନେଇ ରହୁଥିଲେ। ଆର୍ଥିକ ସମସ୍ୟାରୁ ସେ କଲେଜ୍‌ ଫି’ ଦେଇପାରୁନଥିଲେ। ତେଣୁ ଅଧାରୁ ପାଠପଢ଼ା ବନ୍ଦ କରି କୌଣସି ବ୍ୟବସାୟ କରିବାକୁ ଚିନ୍ତା କରୁଥିଲେ। ଏଣେ ଘର ଭଡ଼ା ଦେଇପାରୁନଥିବାରୁ ଘର ମାଲିକଙ୍କଠାରୁ ତିରସ୍କୃତ ହେବାକୁ ପଡ଼ୁଥିଲା। ତେଣୁ ଗତ କିଛି ଦିନ ହେଲା ତାଙ୍କ ମାନସିକସ୍ଥିତି ଭଲ ନଥିଲା। ଏହା ହିଁ ସାଇଶ୍ରୀଙ୍କ ଆତ୍ମହତ୍ୟାର କାରଣ ବୋଲି ସମ୍ପର୍କିୟମାନେ କହିଛନ୍ତି। ଗତକାଲି ରାତିରେ ସାଇଶ୍ରୀ ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଶେଷ ପୋଷ୍ଟ ଲେଖି ବିନ୍ଦୁସାଗରକୁ ଡେଇଁ ପଡ଼ିଥିଲେ। ଖବର ପାଇ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଓ ଅଗ୍ନିଶମ ବାହିନୀ ବିନ୍ଦୁସାଗରକୁ ଆସି ଖୋଜାଖୋଜି କରିଥିଲେ। କିନ୍ତୁ ସାଇଶ୍ରୀଙ୍କୁ ପାଇନଥିଲେ। ଆଜି ସକାଳେ ତାଙ୍କ ମୃତଦେହ ଭାସୁଥିବା ଦେଖାଯିବା ପରେ ପୁଲିସ ଜବତ କରି ବ୍ୟବଚ୍ଛେଦ ପା‌ଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ଖବର ପାଇ ଉଭୟ ବାପା ଓ ମା’ ହସ୍ପିଟାଲରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର