ବାବା ବଳିଆଙ୍କୁ ପ୍ରଥମ ‘ଗାନ୍ଧୀ ଗୌରବ ସମ୍ମାନ’

ସ୍ବାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନଙ୍କ ଜୟନ୍ତୀ ସମାରୋହ

ଭୁବନେଶ୍ବର: ଆମେ ଯେବେ ଜଣେ ଭଲ ମଣିଷକୁ ହରାଇ ଦେଉ, ଶତଚେଷ୍ଟା କଲେ ବି ତା’ ଭଳି ମଣିଷଟିଏ ପାଇବା କଷ୍ଟ ହୋଇପଡ଼େ। ଠିକ୍‌ ଯେମିତି ସ୍ବର୍ଗତ ଦୋଳଗୋବିନ୍ଦ ପ୍ରଧାନ କିମ୍ବା ଠିକ୍‌ ତାଙ୍କରି ଭଳି ବ୍ୟକ୍ତିତ୍ବସମ୍ପନ୍ନ ବ୍ୟକ୍ତିଙ୍କୁ ‌ଆଉ କେବେ ପାଇବା ନାହିଁ। ତେଣୁ ହଜି ଯାଉଥିବା ମହାନ ବ୍ୟକ୍ତିମାନଙ୍କଠାରୁ ସେମାନଙ୍କ ସୁଗୁଣ ଆହରଣ କରିବା ସହ ଦେଶ ତଥା ଜାତିର ପ୍ରଗତି ପାଇଁ ଏକନିଷ୍ଠ ପ୍ରୟାସ କରିବାର ଆବଶ୍ୟକତା ରହିଛି। ସ୍ବର୍ଗତ ପ୍ରଧାନଙ୍କଠାରୁ ତାଙ୍କ ଅନୁଶାସନ ଓ ସମୟାନୁବର୍ତ୍ତିତା ତଥା ସତ କହିବାର ସତ୍‌ସାହସ ଆଦି ଗୁଣ ଶିଖିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବାବା ବଳିଆ। ‘ମହାତ୍ମା ଗାନ୍ଧୀ ଅହିଂସା ଐତିହ୍ୟ ନ୍ୟାସ’ ପକ୍ଷରୁ ସତ୍ୟନଗରସ୍ଥିତ ରୟାଲ ସୁଇଟ୍‌ସ୍‌ଠାରେ ଆୟୋଜିତ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କ ୯୪ତମ ଜୟନ୍ତୀ ଅବସରରେ ଆୟୋଜିତ ସମାରୋହେର ଉଦ୍‌ଘାଟକ ଭାବେ ଉପସ୍ଥିତ ରହି ଏହା କହିଛନ୍ତି ବାବା ବଳିଆ। ଏକ ସ୍ବଚ୍ଛ ଓ ସୁନ୍ଦର ଗଣତନ୍ତ୍ରର ପ୍ରତିଷ୍ଠା ତଥା ଦେଶର ପ୍ରଗତି ପାଇଁ ଜାତୀୟତାବାଦ ଆନ୍ଦୋଳନର ଆବଶ୍ୟକତା ଉପରେ ସେ ଗୁରୁତ୍ବାରୋପ କରିଥିଲେ।

ଅନୁଷ୍ଠା‌ନର ଅଧ୍ୟକ୍ଷ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ, ରାଜନୀତିରେ ସତ କହୁଥିବା ଲୋକଙ୍କ ସଂଖ୍ୟା ବହୁତ କମ୍‌। କିନ୍ତୁ ସ୍ବର୍ଗତ ପ୍ରଧାନ ନୀତି, ନୈତିକତା, ସତ୍ୟ ଓ ଅହିଂସାର ମୂର୍ତିମନ୍ତ ପ୍ରତୀକ ଥିଲେ। ତାଙ୍କର ଏହି ସୁଗୁଣକୁ ପାଥେୟ କଲେ ଦେଶରେ ସୁସ୍ଥ ଗଣତନ୍ତ୍ରର ପ୍ରତିଷ୍ଠା ହୋଇପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ବାବା ବଳିଆଙ୍କୁ ‘ଗାନ୍ଧୀ ଗୌରବ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ବିମଳେନ୍ଦୁ ମହାନ୍ତି, ଶ୍ରୀରାମକୃଷ୍ଣ ଆଶ୍ରମ କଳାହାଣ୍ଡିର ପ୍ରତିଷ୍ଠାତା ସ୍ବାମୀ ବୈରାଗ୍ୟାନନ୍ଦଜୀ ମହାରାଜ, ପତଞ୍ଜଳି ଯୋଗ ପୀଠ ଓଡ଼ିଶାର ମୁଖ୍ୟ ସୁଧାଂଶୁ ଅଧିକାରୀ ଓ ପତଞ୍ଜଳି ଆଶ୍ରମର ଓମ୍‌ଦେବ ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠାନର ଟ୍ରଷ୍ଟି ବଦ୍ରିନାଥ ପଟ୍ଟନାୟକ ସ୍ବାଗତ ଭାଷଣ ଏବଂ ମ୍ୟାନେଜିଂ ଟ୍ରଷ୍ଟି ବୁଦ୍ଧଦେବ ମିଶ୍ର ଧନ୍ୟବାଦ ଦେଇଥିଲେ।
ପୂର୍ବାହ୍ନରେ ବୁଦ୍ଧ ମନ୍ଦିର ପରିସରରେ ସୌମେନ୍ଦ୍ର ମହାପାତ୍ର, ସୀତାବଲ୍ଲଭ ମହାପାତ୍ର ଓ ମନୋଜ ଜେନାଙ୍କ ସଂଯୋଜନାରେ ଏକ ସାମୂହିକ ଦୀପଦାନ କାର୍ଯ୍ୟକ୍ରମ ହୋଇଥିଲା। ପାତ୍ରପଡ଼ାସ୍ଥିତ ‘ସ୍ମୃତିବନ’ରେ ଅନୁଷ୍ଠାନର ଟ୍ରଷ୍ଟି ଦେବଯାନୀ ରାଉତରାୟ, ନିରଦ ଖୁଣ୍ଟିଆ ଓ ଟ୍ରଷ୍ଟି ସୁଶାନ୍ତ ପଣ୍ଡାଙ୍କ ତତ୍ତ୍ବାବଧାନରେ ବୃକ୍ଷରୋପଣ ଓ ମିତ୍ରଭାନୁ ମହାପାତ୍ରଙ୍କ ଉପସ୍ଥିତିରେ ନହରକଣ୍ଟାସ୍ଥିତ ‘ପଲ୍ଲୀ ଉନ୍ନୟନ ସେବା ସମିତି’ରେ ନାରାୟଣ ସେବା କରାଯାଇଥିଲା। ସମସ୍ତ କାର୍ଯ୍ୟକୁ ଅନୁଷ୍ଠାନର ଉପସଭାପତି ଦେବରାଜ ପ୍ରଧାନ, କୋଷାଧ୍ୟକ୍ଷ ପ୍ରଜ୍ଞାନରାଜ ପ୍ରଧାନ, ଟ୍ରଷ୍ଟି ପୁଷ୍ପରାଜ ପ୍ରଧାନ ଓ ପତଞ୍ଜଳି ଯୋଗ ପୀଠର ପୃଥ୍ବୀରାଜ ପ୍ରଧାନ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର