ଭୁବନେଶ୍ବର: ତିରୁପତିସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଉତ୍କଳପୀଠ ଦ୍ୱାରା ଏକ ଆଧ୍ୟାତ୍ମିକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ଶ୍ରୀମଦ ବାବା ବଳିଆ ମହାରାଜ ଅଭିଭାଷଣ ଦେଇ ସମାଜର ସଂସ୍କାର ବିଷୟରେ ନିଜ ମତ ଉପସ୍ଥାପନ କରିଥିଲେ। ସେ ତାଙ୍କର ଅଭିଭାଷଣରେ ସମାଜର ଅନେକ କୁପ୍ରଥା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇ ସେ ସମସ୍ତ ସମସ୍ୟାଗୁଡ଼ିକର ସମାଧାନର ମାର୍ଗ ମଧ୍ୟ ଦର୍ଶାଇଥିଲେ। ଆଧ୍ୟାତ୍ମିକ ଚେତନା ଦ୍ୱାରା ସଂସ୍କୃତ ଭାଷା ମାଧ୍ୟମରେ ଭାରତୀୟ ପ୍ରାଚୀନ ସଂସ୍କୃତିକୁ ଆପଣେଇ ଆମ ଦେଶ ବିଶ୍ୱଗୁରୁ ହୋଇପାରିବ ବୋଲି ସେ ଆଶା ପ୍ରକଟ କରିଥିଲେ।
ସଭା ପ୍ରାରମ୍ଭରେ ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ ସ୍ୱାଗତ ଭାଷଣ ଦେଇଥିଲେ। ଉତ୍କଳପୀଠର ନିର୍ଦେଶକ ଡା. ଜ୍ଞାନରଞ୍ଜନ ପଣ୍ଡା ବାବା ବଳିଆଙ୍କ ଅଲୌକିକତା ବିଷୟରେ ସୂଚନା ଦେଇଥିଲେ। ସଭାରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ରାଧାକାନ୍ତ ଠାକୁର ଉପସ୍ଥିତ ଥିଲେ। ଉତ୍କଳପୀଠର ଉପଦେଷ୍ଟା ପ୍ରଫେସର ରାଧାଗୋବିନ୍ଦ ତ୍ରିପାଠୀ ଧନ୍ୟବାଦ ଦେଇଥିବା ବେଳେ ସୋମନାଥ ଦାଶ ସଭା ସଞ୍ଚାଳନ କରିଥିଲେ। ପାରମିତା ପଣ୍ଡା, ଭାରତ ଭୂଷଣ ରଥ, ପ୍ରସନ୍ନ କୁମାର ପଣ୍ଡା, ତପନ କୁମାର ଘଡ଼େଇ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/38-8.jpg)