ଭୁବନେଶ୍ୱର : ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଭାରତରତ୍ନ ବାବାସାହେବ ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ଯୋଗ ଦେଇ କହିଥିଲେ, ତତ୍କାଳୀନ ଭାରତର ସାମାଜିକ ବ୍ୟବସ୍ଥାକୁ ଆମ୍ବେଦକର ନିଜ ଦୃଷ୍ଟିଭଙ୍ଗୀରେ ତନ୍ନତନ୍ନ କରି ପଢ଼ିଥିଲେ। ଉଚିତ ଶିକ୍ଷା ବିନା ଦୃଷ୍ଟିଭଙ୍ଗୀର ବିକାଶ ହୋଇପାରିବ ନାହିଁ ବୋଲି ସେ ଜାଣିଥିଲେ। ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ, ସମାଜରେ ଦଳିତ ଜନସାଧାରଣଙ୍କୁ ମୁଖ୍ୟସ୍ରୋତକୁ ଆଣିବାରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ପ୍ରାବନ୍ଧିକ ଅଭିରାମ ବିଶ୍ୱାଳ ମୁଖ୍ୟବକ୍ତା ରୂପେ ଯୋଗଦେଇ ଆମ୍ବେଦକରଙ୍କ ଜୀବନୀ ଉପରେ ଆଲୋକପାତ କରି ସାମାଜିକ ଐକ୍ୟ, ସଂହତି ପ୍ରତିଷ୍ଠା ଦିଗରେ ତାଙ୍କର ଜୀବନବ୍ୟାପୀ ସଂଗ୍ରାମ ବିଷୟରେ ସୂଚନା ଦେଇଥିଲେ।
ଏହି ଅବସରରେ ବିଭାଗ ପକ୍ଷରୁ ଆୟୋଜିତ ସ୍କୁଲ, କଲେଜସ୍ତରୀୟ ପ୍ରବନ୍ଧ ଓ ବକ୍ତତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସୂଚନା ଅଧିକାରୀ ସଚ୍ଚିଦାନନ୍ଦ ବେହେରାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦ୍ଦେଶକ ଲକ୍ଷ୍ମୀଧର ମହାନ୍ତି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ। ବିଭାଗୀୟ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।
ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ
ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ, ଓଡ଼ିଶା ଦଳିତ ଶୋଷଣ ମୁକ୍ତି ମଞ୍ଚ ଏବଂ ବୀର ସିଦୁ କାହ୍ନ ୟୁଥ୍ କ୍ଲବ ତରଫରୁ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚର ରାଜ୍ୟ ସଂପାଦକ ସାଲ ମାର୍ଣ୍ଡି, ବୀର ସିଦୁ କାହ୍ନ ୟୁଥ୍ କ୍ଲବର ସଭାପତି ଶିବ ଶଙ୍କର ସୋରେନ, ନାଗରିକ ଅଧିକାର ମଞ୍ଚର ଆବାହକ, ମାନବ ଅଧିକାର କର୍ମୀ ପ୍ରଦୀପ୍ତ ନାୟକ, ଦଳିତ ଶୋଷଣ ମୁକ୍ତ ମଞ୍ଚର ସୁଶାନ୍ତ ମହାକୁଡ଼ ପ୍ରମୁଖ ଯୋଗ ଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ବୀର୍ ସିଦୁ କାହ୍ନ ୟୁଥ୍ କ୍ଲବର ରବୀନ୍ଦ୍ର ଟୁଡୁ, ଯଦୁନାଥ ହାଁସଦା, ସୁକାନ୍ତି ଟୁଡୁ, ସୁନିତ ଏବଂ ବହୁଛାତ୍ରଛାତ୍ରୀ ଯୋଗ ଦେଇଥିଲେ।
ବିଜେପି ପକ୍ଷରୁ ଗ୍ରାମ ସ୍ୱରାଜ ଅଭିଯାନ
କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକ୍ରମେ ଆମ୍ବେଦକରଙ୍କ ଜୟନ୍ତୀଠାରୁ ଆରମ୍ଭ ହୋଇବା ଗ୍ରାମ ସ୍ୱରାଜ ଅଭିଯାନ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ଆମ୍ବେଦକଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଏଜି ଛକ ନିକଟସ୍ଥ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ବିଜେପି ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା। ଏଥିରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ସାଧାରଣ ସଂପାଦକ ଯତୀନ ମହାନ୍ତି ଓ ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଅମିୟ ଦାଶ, ଜଗନ୍ନାଥ ପ୍ରଧାନ, ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ, ଏସ୍ସି ମୋର୍ଚ୍ଚା ରାଜ୍ୟ ସଂପାଦକ ସୁଶାନ୍ତ ମଲ୍ଲିକ, ଏସସି ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବାଇଧର ମଲ୍ଲିକ, ବିଜେପି ବାର୍ତା ମୁଖ୍ୟ ସଂପାଦକ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।
ନାଲ୍କୋ
ନାଲ୍କୋ ପକ୍ଷରୁ ଭୁବନେଶ୍ୱରସ୍ଥିତ ନାଲ୍କୋ ନଗରଠାରେ ସମ୍ବିଧାନ ପ୍ରଣେତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ନାଲ୍କୋର ଅଧ୍ୟକ୍ଷ ଡ. ତପନ କୁମାର ଚାନ୍ଦ ଡ. ଆମ୍ବେଦକରଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତାଙ୍କର କାର୍ଯ୍ୟ ଏବଂ ବିଚାରଧାରା ଦ୍ୱାରା ଅନୁପ୍ରାଣୀତ ହୋଇ ଦେଶର ସାମଗ୍ରିକ ବିକାଶ ତଥା ଜାତିର ପ୍ରଗତି ଉଦ୍ଦେଶ୍ୟରେ କାର୍ଯ୍ୟ କରିବା ଉପରେ ଶ୍ରୀ ଚାନ୍ଦ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ କମ୍ପାନିର ନିର୍ଦେଶକବୃନ୍ଦ, ବରିଷ୍ଠ ଅଧିକାରୀ ଓ କର୍ମଚାରୀ ତଥା ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।
ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟର
ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟର ପକ୍ଷରୁ ଡ. ଆମ୍ବେଦକରଙ୍କ ୧୨୭ତମ ଜୟନ୍ତୀ ଉତ୍ସବ ସ୍ଥାନୀୟ ଲୋହିଆ ଏକାଡେମିଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ମେୟର ଅନନ୍ତ ନାରାୟଣ ଜେନା ଏବଂ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ସୁଶାନ୍ତ ଦାସ ଯୋଗ ଦେଇଥିଲେ। ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ସୁଜ୍ଞାନ ଚୌଧୁରୀ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ କାଳୀଚରଣ ସିଂ ସଂଯୋଜନା କରିଥିଲେ। ସୁରେନ୍ଦ୍ର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।