ମଠରେ ଯୌନ ନିର୍ଯାତନା ପ୍ରତିବାଦରେ ଲୋକଙ୍କ ଅଭିନବ ଆନ୍ଦୋଳନ

ବାବାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଥାନା ଘେରାଉ ସହ ରାସ୍ତାରେ ବସି ଖାଇଲେ

ଭୁବନେଶ୍ବର: ଡୁମୁଡୁମା ରଘୁନାଥନଗର ଅଞ୍ଚଳରେ ଥିବା କୃଷ୍ଣ ମଠରେ ଜଣେ ବାବାଙ୍କ ରାସଲୀଳା ଏବେ ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି। ମଠରେ ମହିଳା ଓ ଶିଶୁଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଅନୁସୂଚିତ ଜାତିର ମହିଳାଙ୍କୁ ବାବା ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। କିନ୍ତୁ ଥାନାରେ ଅଭିଯୋଗ ହେବା ପରେ ବି ପୁଲିସ ଘଟଣାର ତଦନ୍ତ କରୁନାହିଁ। ଏଭଳି ଏକ ସଂଗିନ୍‌ ମାମଲାକୁ ପୁଲିସ ହାଲୁକା ଭାବେ ନେଇଛି। ତେଣୁ ବାବା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ଓଡ଼ିଶା ନ୍ୟାୟ ମଞ୍ଚ ପକ୍ଷରୁ ଖଣ୍ଡଗିରି ଥାନା ଘେରାଉ କରାଯାଇଥିଲା। ଏମିତିକି ସନ୍ଧ୍ୟାରେ ଆନ୍ଦୋଳନକାରୀ ରାସ୍ତାରେ ବସି ଖାଇ ବସି ଅଭିନବ ଭାବେ ଆନ୍ଦୋଳନ କରିଥିଲେ।

ମଞ୍ଚ ପକ୍ଷରୁ ଥାନା ଘେରାଉ କରାଯିବା ଅବସରରେ କୁହାଯାଇଛି ଯେ ଖଣ୍ଡଗିରି ଥାନା ଡୁମୁଡୁମା ରଘୁନାଥନଗରରେ ସରକାରୀ ଜମି ହଡ଼ପ କରି କୃଷ୍ଣମଠ ପ୍ରତିଷ୍ଠା କରାଯାଇଛି। ଜଣେ ଭଣ୍ଡ ବାବା ଝାଡ଼ଫୁଙ୍କ କରିବା ବାହାନା କରି ରାଧା ପୂଜା ନାମରେ ମହିଳା ଓ ଶିଶୁମାନଙ୍କୁ ଯୌନ ନିର୍ଯାତନା ଦେଇଚାଲିଛି। ଏହି ‌ଯୌନ କେଳେଙ୍କାରୀରେ ବାବାଙ୍କ ସହ ସହଯୋଗୀମାନେ ମଧ୍ୟ‌ ସାମିଲ୍‌ ଅଛନ୍ତି। ଏନେଇ ଗତ କିଛି ଦିନ ପୂର୍ବେ ଖଣ୍ଡଗିରି ଥାନାରେ ଅଭିଯୋଗ କରାଯାଇଛି। ସେହିପରି ମାମଲା ସମ୍ପର୍କରେ ରାଜ୍ୟ ଗୃହ ସଚିବ, ପୁଲିସ ମହାନିର୍ଦ୍ଦେଶକ, ପୁଲିସ କମିସନରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଅନୁରୋଧ କରାଯାଇଛି। କିନ୍ତୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ତେବେ ଥାନା ଘେରାଉ ଚାଲିଥିବା ବେଳେ ଆଇଆଇସି ପଦ୍ମନାଭ ପ୍ରଧାନ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ବିକ୍ଷୋଭକାରୀମାନେ ଧାରଣାରୁ ହଟିଥିଲେ। କିନ୍ତୁ ପୁଲିସ ପ୍ରତିଶ୍ରୁତି ପାଳନ ନକଲେ, ଏନେଇ ସାରା ରାଜ୍ୟରେ ଆନ୍ଦୋଳନ କରାଯିବ ବୋଲି ସଂଗଠନ ତରଫରୁ ସଭାପତି ସୁକାନ୍ତ ଚନ୍ଦ୍ର ଭୋଇ, ପ୍ରଦୀପ୍ତ ନାୟକ, ବୀରେନ୍ଦ୍ର ନାୟକ, ମମତା ସାମନ୍ତରାୟ, ମଣ୍ଟୁ ନାୟକ ପ୍ରମୁଖ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର