ଭୁବନେଶ୍ବର: ଏକାମ୍ର ନିର୍ବାଚନମଣ୍ଡଳୀକୁ ବିଜେଡି ଦଖଲରୁ ମୁକ୍ତ କରିଛି ବିଜେପି। ଲଗାତାର ବିଜୟ ଧ୍ବଜା ଉଡ଼ାଉଥିବା ବିଜେଡିର ହେଭିୱେଟ୍‌ ନେତା ଅଶୋକ ଚନ୍ଦ୍ର ପଣ୍ଡା ବିଜେପି ପ୍ରାର୍ଥୀ ବାବୁ ସିଂହଙ୍କଠାରୁ ୫,୦୦୫ ଖଣ୍ଡ ଭୋଟ୍‌ରେ ହାରି ଯାଇଛନ୍ତି। ପ୍ରଥମ ଥର ପାଇଁ ଏକାମ୍ରରେ ବିଜେପିର ଏହି ବିଜୟ ଦଳୀୟ ନେତା ଓ କର୍ମୀଙ୍କୁ ଉତ୍ସାହିତ କରିଛି। ଅନ୍ୟପଟେ ପୂର୍ବଥର ଭଳି ଏଥର ମଧ୍ୟ କଂଗ୍ରେସ ଶୋଚନୀୟ ପରାଜୟକୁ ସାମ୍‌ନା କରିଛି। ୨୦୦୯ ମସିହାରେ ଏକାମ୍ର ନିର୍ବାଚନ ମଣ୍ଡଳୀ ଗଢ଼ା ହେବା ଦିନଠାରୁ ଲଗାତାର ୩ ଥର ବିଜେଡି ପ୍ରାର୍ଥୀ ଶ୍ରୀ ପଣ୍ଡା ଏଠାରୁ ବିଜୟୀ ହୋଇ ଆସୁଥିଲେ। ୨୦୦୯ ମସିହାରେ କଂଗ୍ରେସ ଓ ୨୦୧୪ରେ ବିଜେପି ପ୍ରାର୍ଥୀଙ୍କଠାରୁ ବହୁ ଭୋଟ୍‌ ପାଇ ବିଜୟୀ ହୋଇଥିଲେ। ୨୦୧୯ରେ ପୁଣି ବିଜେଡିରୁ ଟିକେଟ୍‌ ପାଇଥି‌ଲେ ଅଶୋକ। ତେବେ ଟିକେଟ୍‌ ନମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡ଼ି ବିଜେପିରୁ ପ୍ରାର୍ଥୀ ହୋଇଥିଲେ ବାବୁ ସିଂହ। ୪୬ ହଜାରରୁ ଅଧିକ ଭୋଟ୍‌ ପାଇଥିବା ବାବୁ ବିଜୟୀ ହୋଇ ପାରି ନଥିଲେ।

Advertisment

ତେବେ ପରାଜୟ ପରେ ଚୁପ୍‌ ବସି ନଥିଲେ। ଚଳିତ ନିର୍ବାଚନରେ ବିଜେଡିରେ ବିଦ୍ରୋହ, ଓଡ଼ିଶାରେ ବିଜେପି ହାୱା ଭିତରେ ବାବୁ ସ୍ଥାନୀୟ ସମସ୍ୟାକୁ ପ୍ରସଙ୍ଗ କରି ନିଜ ବିଜୟ ପଥକୁ ପରିଷ୍କାର କରିଥିଲେ। ଚଳିତ ଥର ନିର୍ବାଚନରେ ବିଜେପି ପ୍ରାର୍ଥୀ ବାବୁ ସିଂହ ୭୪,୬୯୩ ଭୋଟ୍‌ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା ୬୯, ୬୮୮ ଓ କଂଗ୍ରେସ ପ୍ରାର୍ଥୀ ପ୍ରଶାନ୍ତ କୁମାର ଚମ୍ପତି ମାତ୍ର ୫,୪୬୧ ଭୋଟ୍‌ ପାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରମେଶ ଚନ୍ଦ୍ର ମୁଦୁଲି ୪୯୪, ପ୍ରୀତିଜ୍ୟୋତ୍ସ୍ନା ନାଥ ୧୬୨, ମୋନାଲିସା ବିଶ୍ବାଳ ୧୩୦, ହେନା ବାରିକ ୧୨୩, ସନ୍ତୋଷ କୁମାର ଯତି ୧୦୨, ମଧୁଛନ୍ଦା ଜେନା ୮୯, ବିଦୁଲତା ଓଝା ୭୭, ଜ୍ଞାନେନ୍ଦ୍ର ମହାନ୍ତି ୧୬୮ ଓ ପ୍ରବୀଣ କୁମାର ନାୟକ ୧୫୮ ଖଣ୍ଡ ଭୋଟ୍‌ ପାଇବାରେ ସଫଳ ହୋଇଛନ୍ତି। ନୋଟାରେ ୯୭୭ ଖଣ୍ଡ ଭୋଟ୍‌ ପଡ଼ିଛି।