ବବୁଲ ହତ୍ୟା ଘଟଣାରେ ୨ ଗିରଫ

ବାପାକୁ ଟାର୍ଗେଟ କରି ପୁଅକୁ ମାରିଲେ, ଅନ୍ତରଙ୍ଗ ବନ୍ଧୁ ସାଜିଲା ବଇରୀ, ମଦ ପିଇବାକୁ ଦେଇ ମାରିଲେ

ବାଲିପାଟଣା: ବାଲିଅନ୍ତା ଥାନା ଶିଶିଲୋ ଗ୍ରାମର ଆଶିଷ ଓଝା ଓରଫ ବବୁଲ ହତ୍ୟା ଘଟଣାରେ ୨ଜଣ ଗିରଫ ହୋଇଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଆଉ ଜଣେ ଅଭିଯୁକ୍ତ ଏବେ ବି ଫେରାର ଅଛି। ଗିରଫ ୨ ଅଭିଯୁକ୍ତ ହେଲେ, ରାଜକିଶୋର ଦାସ ଓରଫ ରାଜା (୨୪) ଓ ରାକେଶ ସେଠୀ ଓରଫ ରାକା (୨୦)। ତୃତୀୟ ଅଭିଯୁକ୍ତ ଦୁର୍ଯ୍ୟୋଧନ ବେହେରା ଓରଫ ସିପୁ (୨୨) ଫେରାର ହୋଇଯାଇଛି। ପ୍ରେମରେ ବିଫଳ ହେବା ପରେ ରାଜା ବବୁଲର ବାପା ପ୍ରମୋଦ ଓଝାଙ୍କୁ ମାରିବା ପାଇଁ ଯୋଜନା କରିଥିଲା। ହେଲେ କୌଣସି ରାସ୍ତା ପାଇ ନ ଥିଲା। ବବଲୁ ଭଉଣୀର ବାହାଘର ଦିନ ଯେତିକି ପାଖେଇ ଆସୁଥିଲା ରାଜା ସେତିକି ବିଚଳିତ ହୋଇପଡ଼ିଥିଲା। ଶେଷରେ ରାକା ଜରିଆରେ ବବୁଲକୁ ମଦ ପିଇବାକୁ ଡାକି ହତ୍ୟା କରିଥିଲା।

ଏହି ମାମଲାରେ ପ୍ରାୟ ୨୫ଜଣଙ୍କୁ ପୁଲିସ ଜେରା କରିଥିବା ବେଳେ ୩ ଜଣ ହତ୍ୟାକାରୀ ବୋଲି ଥାନା ଅଧିକାରୀ କୃପାସିନ୍ଧୁ ବରାଡ଼ ସୂଚନା ଦେଇଛନ୍ତି। ସୋମବାର ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ କ୍ରାଇମ ସିନ୍‌ ରିକ୍ରିଏସନ କରିବା ପରେ କୋର୍ଟ ଚାଲାଣ କରାଯିବ ‌ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି।

ସୂଚନା ମୁତାବକ, ବୁଧବାର ପଡ଼ୋଶୀ ଘର ବାହାଘର ଥିବାରୁ ବବୁଲ କର୍ମକ୍ଷେତ୍ରକୁ ଯାଇନଥିଲା। ସେପଟେ ବବୁଲର ଭଉଣୀ ବାହାଘର ପାଖେଇ ଆସିବାରୁ ବିଫଳ ପ୍ରେମିକ ରାଜା ପ୍ରତିହିଂସାପରାୟଣ ହୋଇ ଉଠିଥିଲା। ପ୍ରେମରେ ବିଫଳ ରାଜା ପୂର୍ବରୁ ବବୁଲ ପରିବାର ଲୋକଙ୍କ ମୁଣ୍ଡ ଗଡ଼ାଇବ ବୋଲି ମଧ୍ୟ ଧମକ ଦେଇଥିଲା। ‌ଏଥିଲାଗି ସେ ବବୁଲର ବାପା ପ୍ରମୋଦଙ୍କୁ ମାରିବା ପାଇଁ ଯୋଜନା କରିଥିଲା। ହେଲେ ସୁଯୋଗ ପାଇ ନ ଥିଲା। ବୁଧବାର ବାହାଘର ଭୋଜିରେ ବବୁଲକୁ ଦେଖି ତାକୁ ରାସ୍ତାରୁ ହଟାଇବା ପାଇଁ ସ୍ଥିର କରିଥିଲା। ସେ ଜାଣିଥିଲା ଯେ ରାକା ଓ ବବୁଲ ଦୁହେଁ ଅନ୍ତରଙ୍ଗ ବନ୍ଧୁ। ରାକା ବବୁଲ ଘରକୁ ଯା’ ଆସ କରେ। ତେଣୁ ରାଜା ସନ୍ଧ୍ୟାରେ ସିପୁ ଓ ରାକାକୁ ଡାକି ମଦ ପିଆଇଥିଲା। ନିଶା ହେବା ପରେ ବବୁଲକୁ ଡାକିବା ପାଇଁ ରାକାକୁ କହିଥିଲା।

ରାକା ବବୁଲକୁ ଫୋନ କରି ବାଲିପାଟଣା ଥାନା ବୋଧଖଣ୍ଡି ଧନୁଆ ନଦୀ ବନ୍ଧ ବାଲିଆମାଳ ରାସ୍ତାକୁ ମଦ ପିଇବା ଲାଗି ଡାକିଥିଲା। ବବୁଲ ପହଞ୍ଚିବା ଆଗରୁ ରାଜା ଓ ସିପୁ ଅନ୍ଧାରରେ ଲୁଚି ଯାଇଥିଲେ। ରାକା ଓ ବବୁଲ ସେଠାରେ ମଦ ପିଇଥିଲେ। ଛପି ଥିବା ରାଜା ଓ ସିପୁ ହଠାତ୍‌ ଆସି ବବୁଲକୁ ମାଡ଼ି ବସିଥିଲେ। ରାଜା ତାର ୨ ହାତକୁ ପଛ ପଟୁ ଧରିଥିଲା। ସିପୁ ଗାମୁଛାରେ ତଣ୍ଟିକୁ ଚିପି ଦେଇଥିଲା। ପରେ ରାଜା ବବୁଲ ମୁହଁକୁ ବିଲ ପାଣିରେ ମାଡ଼ି ଦେଇଥିଲା। ମରିଯିବା ନିଶ୍ଚିନ୍ତ ହେବା ପରେ ୩ ଅଭିଯୁକ୍ତ ଘରକୁ ଚାଲି ଯାଇଥିଲେ। ଅପରପକ୍ଷେ ହତ୍ୟାକାଣ୍ଡ ବିଷୟରେ ପୁଲିସ ଆଗରେ ରାଜା ସବୁ ସତ ମାନି ଯାଇଛି। ଏବେ ଫେରାର ସିପୁ ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।

ସମ୍ବନ୍ଧିତ ଖବର