ବାଲିପାଟଣା: ବାଲିଅନ୍ତା ଥାନା ଶିଶିଲୋ ଗାଁର ଆଶିଷ ଓଝା ଓରଫ୍ ବବୁଲ୍ ହତ୍ୟାକାଣ୍ଡ ମାମଲାରେ ଫେରାର୍ ହୋଇଯାଇଥିବା ଷଡ଼୍ଯନ୍ତ୍ରକାରୀ ସିପୁର ପତ୍ତା ମିଳୁନି। ଡ୍ରଗ୍ସ ସେବନ କରୁଥିବା ସିପୁକୁ ୪ ଦିନ ହେଲା ପୁଲିସ ଖୋଜିଖୋଜି ନୟାନ୍ତ ହୋଇଗଲାଣି। ଫଳରେ ମୁଖ୍ୟ ଅଭିଯୁକ୍ତ ରାଜା ଓ ଜଣେ ସହଯୋଗୀକୁ ଅଟକ ରଖିବା ପରେ ବି ପୁଲିସ ଆନୁଷ୍ଠାନିକ ଭାବେ ଏହି ମାମଲା ଉପରୁ ପର୍ଦ୍ଦା ହଟାଇପାରିନାହିଁ।
ମୁଖ୍ୟ ଅଭିଯୁକ୍ତ ରାଜା କିନ୍ତୁ ପୁଲିସକୁ ହତ୍ୟାକାଣ୍ଡର ସବୁ ବିବରଣୀ ଦେଇସାରିଥିବା ସୂଚନା ମିଳିଛି। ଘଟଣା ଦିନ ରାତିରେ ସିପୁ ଫୋନ୍ କରି ବବୁଲ୍କୁ ଡକାଇଥିଲା। ଏକ ଗୁରୁତ୍ବପୂର୍ଣ୍ଣ କଥା କହିବାର ଅଛି ବୋଲି ଫୋନ୍ କରି କହିଥିଲା। ଭଉଣୀ ପୂଜାର ବାହାଘର ଓ ପରଦିନ ମଙ୍ଗନ ଥିବାରୁ ବବୁଲ୍ ବ୍ୟସ୍ତ ଥିବା ସତ୍ତ୍ବେ ସିପୁ କଥାକୁ ଗୁରୁତ୍ବ ଦେଇ ଘରୁ ବାହାରି ଯାଇଥିଲା। ସିପୁ ଡାକିଥିବା ସ୍ଥାନ(ବୋଧଖଣ୍ଡି ଧନୁଆ ନଈବନ୍ଧ)ରେ ବବୁଲ୍ ପହଞ୍ଚିବା ମାତ୍ରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ରାଜା ଓ ତା’ର ଅନ୍ୟ ସହଯୋଗୀ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ସିପୁର ଦୁଇ ହାତକୁ ପଛପଟେ ବାନ୍ଧି ପକାଇଥିଲେ। ରାଜା ପିନ୍ଧିଥିବା ତୀକ୍ଷ୍ଣ ମୁନ ମୁଦିଆରେ ବବୁଲ୍ ମୁଣ୍ଡକୁ ଆଘାତ କରିଥିଲା।
ରକ୍ତାକ୍ତ ଅବସ୍ଥାରେ ଛାଟିପିଟି ହୋଇ ରାଜା ତଳେ ପଡ଼ିଯିବା ପରେ ସେମାନେ ତାକୁ ବିଲ ଭିତରକୁ ଟେକି ନେଇଥିଲେ। ବିଲରେ ମାଡ଼ି ବସିଥିଲେ। ସହଯୋଗୀ ଗୋଡ଼ ଦୁଇଟିକୁ ଜାବୁଡ଼ି ଧରିଥିବା ବେଳେ ସିପୁ ବେକକୁ ଚାପି ଧରିଥିଲା। ବବୁଲ୍ର ମୁହିଁକୁ ପାଣି ଓ ପଙ୍କରେ ରାଜା ମାଡ଼ି ଧରିଥିଲା। ବବୁଲ୍ ମରିଯିବା ନିଶ୍ଚିତ ହେବା ପରେ ସେମାନେ ଘଟଣାସ୍ଥଳରୁ ଫେରି ଆସିଥିଲେ। ସିପୁ ହିଁ ବବୁଲ୍ ରଖିଥିବା ନୂଆ ମୋବାଇଲ୍ ଫୋନ୍ ସେଟ୍କୁ ନେଇଯାଇଥିଲା।
ସୂଚନାଯୋଗ୍ୟ, ବବୁଲ୍ର ଭଉଣୀ ପୂଜାକୁ ରାଜା ଏକତରଫା ଭଲ ପାଉଥିଲା। ପୂଜାର ବାହାଘର ଅନ୍ୟତ୍ର ସ୍ଥିର ହେବା ପରେ ସେ ପ୍ରତିଶୋଧ ନେବାକୁ ଯୋଜନା କରିଥିଲା। ଏଥିରେ ତାକୁ ସହଯୋଗ କରିଥିଲା ସିପୁ। ବଡ଼ କଥା ହେଉଛି ସିପୁ ହେଉଛି ବବୁଲ୍ର ଭଲ ସାଙ୍ଗ। ମାତ୍ର ରାଜା କଥାରେ ରାଜି ହୋଇ ସେ ବବୁଲ୍କୁ ମାରିବା ଷଡ଼୍ଯନ୍ତ୍ରରେ ନିଜକୁ ସାମିଲ୍ କରିଥିଲା। ବବୁଲ୍କୁ ହତ୍ୟା କରିବା ପରେ ରାଜା ଓ ତା’ର ସହଯୋଗୀ ଗାଁରେ ରହିଥିଲେ ବି ସିପୁ ରାତାରାତି ଫେରାର୍ ହୋଇଯାଇଥିଲା। ବନ୍ଧୁ ହୋଇ ବି ସେ କ’ଣ ପାଇଁ ବବୁଲ୍କୁ ହତ୍ୟା କରିବାକୁ ରାଜା କଥାରେ ରାଜି ହେଲା, ତାହାକୁ ନେଇ ବିସ୍ମୟ ପ୍ରକାଶ ପାଇଛି।