ବାବୁସାନ୍‌ଙ୍କ କାର୍‌ ଧକ୍କାରେ ଭାଙ୍ଗିଲା ଯୁବକଙ୍କ ଗୋଡ଼

ଚାଳକକୁ ଛେଚିଲେ, କ୍ଷତିପୂରଣ ଦାବିରେ ଉତ୍ତେଜନା

ଖଣ୍ଡଗିରି: ସୋମବାର ସନ୍ଧ୍ୟାରେ ସ୍ଥାନୀୟ ଶ୍ୟାମପୁର ଛକରେ ଓଲିଉଡ୍‌  ଷ୍ଟାର୍ ବାବୁସାନ୍‌ଙ୍କ ଫର୍ଚୁନର ଧକ୍କାରେ ଜଣେ ଯୁବକଙ୍କ ଗୋଡ଼ ଭାଙ୍ଗି ହାଡ଼ ଦି’ଗଡ଼ ହୋଇ ଯାଇଛି। ଆହତ ଯୁବକ ହେଲେ ସେହି ଗାଁର ରଞ୍ଜନ କୁମାର ନାଏକ(୩୪)। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ କାର୍ ଚାଳକକୁ ବହେ ଛେଚିବା ସହ କ୍ଷତିପୂରଣ ଦାବି କରି ରାସ୍ତାରୋକ କରିଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହ ଆହତଙ୍କ ଚିକିତ୍ସା ପାଇଁ ସବୁ ପ୍ରକାର ସହାୟତା ଯୋଗାଇବାକୁ ପଦକ୍ଷେପ ଗ୍ରହଣ କରିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସୂଚନାନୁସାରେ ଶ୍ୟାମପୁରରେ ଏକ ସିନେମା ସୁଟିଂ ଚାଲିଥିଲା। ସୁଟିଂ ସରିବା ପରେ ଫେରିବା ପାଇଁ ବାବୁସାନ୍‌ଙ୍କ ଚାଳକ ଗାଡ଼ି ବୁଲାଇଥିଲେ। ମାତ୍ର ରଞ୍ଜନ ଗାଡ଼ି ପଛରେ ଠିଆ ହୋଇଥିଲେ ବୋଲି ସେ ଦେଖିପାରିନଥିଲେ। ଫଳରେ ଗାଡ଼ି ଧକ୍କାରେ ରଞ୍ଜନ ତଳେ ପଡ଼ି ଯାଇଥିଲେ ଓ ଗାଡ଼ି ତାଙ୍କ ଗୋଡ଼ ଉପରେ ଚଢ଼ି ଯାଇଥିଲା। ତାଙ୍କ ଚିତ୍କାର ଶୁଣି ଲୋକେ ଗାଡ଼ିକୁ ଘେରି ଯାଇଥିଲେ ଓ ଚାଳକକୁ ପିଟିଥିଲେ। ତେବେ କିଛି ଲୋକ ଚାଳକଙ୍କୁ ଉଦ୍ଧାର କରିବା ସହ ସେହି ଗାଡ଼ିରେ ଆହତ ରଞ୍ଜନଙ୍କୁ ସ୍ଥାନୀୟ ସମ୍‌ ହସ୍ପିଟାଲରେ ଭର୍ତି କରିଥିଲେ। ସେପଟେ ଚିକିତ୍ସା ଆରମ୍ଭ ହୋଇଥିବାବେଳେ ଲୋକେ ଚାଳକ ଓ ଗାଡ଼ିକୁ ଘେରି ରହିଥିଲେ। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଏବଂ ବାବୁସାନ୍‌ଙ୍କ ସହ ଫିଲ୍ମ ନିର୍ମାଣକାରୀ ସଂସ୍ଥାର କର୍ମକର୍ତ୍ତାମାନେ ହସ୍ପିଟାଲରେ ପହଞ୍ଚିଥିଲେ। ରଞ୍ଜନଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସେମାନେ ବହନ କରିବ‌େ ବୋଲି ପ୍ରତିଶ୍ରୁତି ଦେବା ପରେ ଉତ୍ତେଜନା ଥମିଥିଲା।

ସମ୍ବନ୍ଧିତ ଖବର