ଭୁବନେଶ୍ବର: ଓଡ଼ିଆଙ୍କ ବଡ଼ ପର୍ବ ରଜ ଆସୁଛି। ଏବେଠାରୁ ରଜ ପାଇଁ ସାରା ଓଡ଼ିଶାରେ ଚାଲିଛି ପ୍ରସ୍ତୁତି। ରଜଦୋଳି, ପୋଡ଼ପିଠା, ନୂଆ ପୋଷାକ ସହ ରଜ ମଉଜରେ ଯୋଡ଼ି ହୋଇ ରହିଥାଏ ନୂଆ ଓଡ଼ିଆ ଫିଳ୍ମ ଦେଖିବାର ମଜା। ନିଜ ଫିଲ୍ମକୁ ରଜରେ ରିଲିଜ୍‌ କରିବାଲାଗି ପ୍ରଯୋଜକମାନଙ୍କ ଭିତରେ ହୁଏ ଲଢ଼େଇ। ସେଥିରେ କେବଳ ବଡ଼ ବଜେଟ୍‌ର ଓ ବଡ଼ ଷ୍ଟାର୍‌କାଷ୍ଟ୍‌ର ଫିଲ୍ମଗୁଡ଼ିକ ସଫଳ ହୁଅନ୍ତି। ଅବଶ୍ୟ କିଛିବର୍ଷ ହେଲା ଓଡ଼ିଆ ଫିଲ୍ମର କ୍ରେଜ୍‌ କମିଯିବା ସହିତ ରଜ ଲଢ଼େଇର ଉଷ୍ମତା ମଧ୍ୟ କିଛିଟା ଥଣ୍ଡା ପଡ଼ିଗଲାଣି। ତେବେ ଭାଙ୍ଗି ଯାଉଥିବା ସେ ପୁରୁଣା ପରଂପରା‌ ଏଥର ଟିକିଏ ସଳଖି ଯିବାଭଳି ମନେହେଉଛି। ଏଥର ରଜରେ ୪ଟି ଓଡ଼ିଆ ସି‌‌ନେମା ଆସୁଛି। ସେଗୁଡ଼ିକ ଜରିଆରେ ବାବୁସାନ୍‌, ସିଦ୍ଧାନ୍ତ ମହାପାତ୍ର, ଆକାଶଦାସ ନାୟକ, ଅନୁଭବ ମହାନ୍ତି, ସ୍ବରାଜ ବାରିକ ଓ ଦୀପନ୍ବିତ ଦାଶମହାପାତ୍ରଙ୍କ ସହିତ ଏଲିନା ସାମନ୍ତରାୟ, ସୁପ୍ରିୟା ନାୟକ, ପ୍ରକୃତି ମିଶ୍ର, ପୁନମ ମିଶ୍ର, ଲିପ୍‌ସା ମିଶ୍ର ଓ ଭୂମିକା ଦାଶଙ୍କୁ ପରଦାରେ ଦେଖିବେ ଦର୍ଶକ। ଉଲ୍ଲେଖନୀୟ ଯେ, ଏ ଖବର ଲେଖା ହେବାବେଳକୁ ଚଳିତ ବର୍ଷର ପ୍ରଥମ ରଜ ଫିଲ୍ମ ଭାବେ ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ‘ଟିକେ ଟିକେ ଅଚିହ୍ନା ତୁ’ ଗତ ୭ ତାରିଖରେ ରିଲିଜ୍‌ ହୋଇ ସାରିଛି। ସେ ଫିଲ୍ମରେ ସ୍ବରାଜ ବାରିକ, ଶୁଭମ ନାୟକ ଓ ଭୂମିକା ଦାଶ ମୁଖ୍ୟ ଭୂମିକାରେ ଅଛନ୍ତି। ତେବେ ରଜର ଅସଲ ମଜା ଆଗକୁ ଅଛି।

Advertisment

ରଜରେ ରିଲିଜ୍ ହେବାକୁ ଯାଉଥିବା ବାବୁଶାନ୍‌ ମହାନ୍ତିଙ୍କ ଫିଲ୍ମ ‘ପାବାର’ର ଟ୍ରେଲରକୁ ଦର୍ଶକେ ବହୁତ ପସନ୍ଦ କରି ସାରିଛନ୍ତି। ଏଥିରେ ଥିବା ରୋମାଣ୍ଟିକ୍‌ ଗୀତ ‘ନାଲି ଶାଢ଼ୀ...’ ଓ ଯୁବପିଢ଼ିଙ୍କୁ ଆକର୍ଷିତ କଲା ଭଳି ‘ଲାଲ୍‌ ଟହଟହ...’ ଗୀତ ଏବେ ଚର୍ଚ୍ଚାରେ। ‘ପାବାର’ରେ କ୍ଷମତା ପାଇବା ପାଇଁ ଚାଲିଛି ବଡ଼ ଲଢ଼େଇ। ଏଥିରେ ଫସି ଯାଆନ୍ତି ଗୁମାଗଡ଼ ଗାଁର ନିରୀହ ଯୁବକ ବେଣୁଧର କାଣ୍ଡି। ଏକ ସତ୍ୟ ଘଟଣା ଉପରେ ଏହି ଫିଲ୍ମଟି ନିର୍ମାଣ କରାଯାଇଥିବା ପ୍ରଯୋଜନା ସଂସ୍ଥା ଦାବି କରିଛି। ଏହାର ଅଧିକାଂଶ ସୁଟିଂ ଫୁଲବାଣୀରେ କରାଯାଇଛି। ସଫଳ ନିର୍ଦ୍ଦେଶକ ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ପାବାର’ରେ ବାବୁଙ୍କ ସହ ଏଲିନା ସାମନ୍ତରାୟ, ଚୌଧୁରୀ ଜୟପ୍ରକାଶ ଦାସ, ଅପରାଜିତା ମହାନ୍ତି, କ୍ରୀଷ୍ଣା କର ଓ ରବି ମିଶ୍ର ଅଛନ୍ତି। ବାବୁସାନ୍‌ ଫିଲ୍ମସ୍ ଓ ଆମର ଷ୍ଟୁଡିଓ ନିବେଦିତ ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ବ ସମ୍ଭାଳିଛନ୍ତି ବାବୁସାନ୍‌ଙ୍କ ପତ୍ନୀ ତୃପ୍ତି ଶତପଥୀ। ଅମିତ କୁମାର ଦାସ ଓ ପ୍ରଣବ ପ୍ରସନ୍ନ କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୌରବ ଆନନ୍ଦ। ରଜରେ କ୍ୟାମେରା କୁଇନ୍‌ ପ୍ରଡକ୍ସନ ନିବେଦିତ ସିନେମା ‘କୁହୁଡ଼ି’ ମଧ୍ୟ ପରଦାକୁ ଆସୁଛି। ସେଥିରେ ମେଗାଷ୍ଟାର ଅନୁଭବ ମହାନ୍ତି ଅଦାଲତରେ ଲଢ଼େଇ କରି କୁହୁଡ଼ି ଚିରି ସତ୍ୟ ଉପରୁ ଉଠାଇଛନ୍ତି ପରଦା। ପୋଷ୍ଟର୍‌ରେ ଅନୁଭବଙ୍କ ନିଆରା ଅନ୍ଦାଜ ଦେଖି ପ୍ରଶଂସକ ସାମାଜିକ ଗଣମାଧ୍ୟମରେ ଏହାର ଭୁରିଭୁରି ପ୍ରଶଂସା କରୁଛନ୍ତି। ଯୁବ ନିର୍ଦ୍ଦେଶକ ଅଜୟ ପାଢ଼ୀଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ସୁପ୍ରିନ ନାୟକ, ପ୍ରକୃତି ମିଶ୍ର, ଦୀପନ୍ବିତ ଦାଶମହାପାତ୍ର ଓ କୁନା ତ୍ରିପାଠୀ ପ୍ରମୁଖ ଅଭିନୟ କରିଛନ୍ତି। ହିମାଦ୍ରୀ ତନୟା ଦାସ ଏହାର ପ୍ରଯୋଜନା କରିଥିବାବେଳେ ମାନସ ପଢ଼ିହାରୀ, ଅମିତ କୁମାର ଦାସ କାହାଣୀ ଲେଖିଛନ୍ତି। ସଂଗୀତ ଦେଇଛନ୍ତି ସୋମେଶ ଶତପଥୀ। ସେମିତି ଭିନ୍ନ ସ୍ବାଦର କାହାଣୀ ଓ ଏକାଧିକ ଷ୍ଟାରଙ୍କୁ ନେଇ ରଜରେ ରିଲିଜ୍‌ ହେବାକୁ ଯାଉଛି ଫିଲ୍ମ ‘ଚନ୍ଦ୍ରବଂଶୀ’। ‘ଚନ୍ଦ୍ରବଂଶୀ’ରେ ମୁଖ୍ୟ ଭୂମିକାରେ ଅଛନ୍ତି ଅଭିଜ୍ଞ ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସନାୟକ, ଶ୍ରୀତମ ଦାସ, ରାଜେଶ ରାଜ, ଅଶ୍ବିନୀ ତ୍ରିପାଠୀ, ଉଷଶୀ ମିଶ୍ର, ପୁନମ ମିଶ୍ର, ଲିପ୍‌ସା ମିଶ୍ର ଓ ଜସ୍ମିନୀ ରଥ ପ୍ରମୁଖ। ସୁନିଲ ସାହୁ ଓ ପ୍ରୀତମ ସାହୁଙ୍କ ପ୍ରଯୋଜନାରେ ପ୍ରସ୍ତୁତ ଏ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ୟଶବର୍ଦ୍ଧନ ପଣ୍ଡା। ଆଜାଦ୍‌ ନିଜାମ୍‌ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।