ଚନ୍ଦକାରେ ଜନ୍ମ ନେଲା ହାତୀ ଶାବକ

ମେଣ୍ଢାଶାଳ : ବହୁ ବର୍ଷ ପରେ ଚନ୍ଦକା-ଡମପଡ଼ା ହସ୍ତୀ ଅଭୟାରଣ୍ୟରେ ଏକ ହାତୀ ଛୁଆ ଜନ୍ମ ନେଇଛି। ୧୦ ଟିକିଆ ହାତୀ ପଲରେ ଥିବା ମାଈ ହାତୀ ଓ ତା’ ଛୁଆକୁ ଜଗି ଅନ୍ୟ ହାତୀମାନେ ଘେରି ରହିଛନ୍ତି। ମା’ ଓ ଛୁଆ ସୁସ୍ଥ ଥିବା ଜଣାପଡ଼ିଛି। ବନ କର୍ମଚାରୀମାନେ ମା’ଛୁଆଙ୍କୁ ଠାବ କରିବା ପରେ ହାତୀ ପଲ ଉପରେ ନଜର ରଖିଥିବା ସୂଚନା ମିଳିଛି।

ଦିନ ଥିଲା ଏହି ଅଭୟାରଣ୍ୟରେ ଶତାଧିକ ହାତୀ ବର୍ଷ ସାରା ରହୁଥିଲେ। ଗୁଣ୍ଠୁଣି ହାତୀଙ୍କ ଏନ୍ତୁଡ଼ିଶାଳ ଥିଲା ଚନ୍ଦକା। ଅଶୀ ଦଶକରେ ଏହି ଜଙ୍ଗଲରେ ପାଖାପାଖି ୧୦୦ ହାତୀ ବର୍ଷ ସାରା ରହୁଥିଲେ। ଏହାବାଦ୍‌ ଆହୁରି କିଛି ହାତୀ ଏଠାକୁ ସାମୟିକ ଭାବେ ଆସୁଥିଲେ ଓ ପୁଣି ଆଠଗଡ଼-ଢ଼େଙ୍କାନାଳ ଜଙ୍ଗଲକୁ ଫେରି ଯାଉଥିଲେ। ସେତେବେଳେ ପ୍ରତିବର୍ଷ ଏହି ଜଙ୍ଗଲରେ ଛୁଆ ହାତୀ ଜନ୍ମ ନେଉଥିଲେ ଓ ମାଳ ମାଳ ହାତୀ ଛୁଆଙ୍କୁ ଦେଖିବାକୁ ମିଳୁଥିଲା। କିନ୍ତୁ କାଳକ୍ରମେ ଜଙ୍ଗଲର ଘନତା କମିବାକୁ ଲାଗିଲା ଓ ସେହି ଅନୁସାରେ ହାତୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇବାକୁ ଲାଗିଲା। ରାଜଧାନୀର ପରିଧି ଚନ୍ଦକା ଜଙ୍ଗଲର ପାରିପାର୍ଶ୍ବିକ ଜଙ୍ଗଲକୁ କବ୍‌ଜା କଲା। ତେଣୁ ହାତୀଙ୍କ ଚଳପ୍ରଚଳ ପାଇଁ ସ୍ଥାନାଭାବ ଦେଖାଗଲା। ଶେଷରେ ଖାଦ୍ୟାଭାବ ଉତ୍କଟ ହେଲା। ତେଣୁ ଧୀରେ ଧୀରେ ହାତୀମାନେ ଜଙ୍ଗଲ ଛାଡ଼ିବାକୁ ଲାଗିଲେ। ଗତ ପ୍ରାୟ ୧୦ବର୍ଷ ହେଲା ଏହି ଜଙ୍ଗଲରେ ଆଉ ହାତୀମାନେ ସ୍ଥାୟୀ ଭାବେ ରହୁନାହାନ୍ତି। ତେଣୁ ହାତୀ ଛୁଆ ଦେଖିବା ସ୍ବପ୍ନ ହୋଇ ଯାଇଛି। ଅବଶ୍ୟ ବେଳେବେଳେ ହାତୀ ଦଳରେ ଛୁଆ ହାତୀ ଆସୁଛନ୍ତି, କିନ୍ତୁ ଏଠାରେ ଜନ୍ମ ହେଇଥିବା ହାତୀ ଛୁଆ ବହୁ ବର୍ଷ ହେଲା ଦେଖାନଥିଲା। ତେଣୁ ଗୁଣ୍ଠୁଣି ହାତୀଙ୍କ ଏନ୍ତୁଡ଼ିଶାଳ ଖାଁ ଖାଁ ଲାଗୁଥିଲା। ବନ କର୍ମଚାରୀମାନେ ହାତୀ ନବଜାତକ ଦେଖିବା ଭୁଲି ଯାଇଥିଲେ। ମାତ୍ର ଏହି ନବଜାତକ ଏବେ ବନ କର୍ମଚାରୀଙ୍କ ମନରେ ନୂତନ ଆଶା ସଂଚାର କରିଛି। ଡିଏଫ୍ଓ କେଦାର କୁମାର ସ୍ବାଇଁଙ୍କ କହିବା କଥା, ଏହି ହାତୀପଲ ଗତ ୩ ମାସ ହେଲା ରହୁଛନ୍ତି। ଜଙ୍ଗଲର ଘନତା ବୃଦ୍ଧି ଏହାର କାରଣ ହୋଇପାରେ। ଭରତପୁର ସଂରକ୍ଷିତ ଜଙ୍ଗଲରେ ରହୁଥିବା ଏହି ଦଳକୁ ବନ କର୍ମଚାରୀମାନେ ନଜର ରଖିଛନ୍ତି। ମା’ ଓ ଛୁଆ ଯେମିତି କୌଣସି ସମସ୍ୟାରେ ନ ପଡ଼ନ୍ତି, ସେଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର