ଜଟଣୀ: ଖୋର୍ଦ୍ଧାରୋଡ୍‌ ରେଳ ଷ୍ଟେସନ୍‌ର ୧ ନମ୍ବର ପ୍ଲାଟଫର୍ମ‌ରେ ଲାଗିଥିବା ସତ୍ୟସାଇ ପ୍ରଶାନ୍ତି ନୀଳୟମ୍‌ ଏକ୍ସପ୍ରେସ୍‌ରୁ ଆଜି ସକାଳେ ଏକ ନବଜାତ ଶିଶୁପୁତ୍ରକୁ ଆରପିଏଫ୍ ପୁଲିସ ଉଦ୍ଧାର କରିଛି। ତିରୁପତିରୁ ହାୱଡା ଯାଉଥିବା ଏହି ଟ୍ରେନ୍‌ର ଜେନେରାଲ ବଗି ଟଏଲେଟ୍ ଡୋର୍‌ ପାଖରେ ଶିଶୁଟି କପଡ଼ାଗୁଡ଼ା ଅବସ୍ଥାରେ ପଡ଼ିଥିଲା। ତାକୁ ଖୋର୍ଦ୍ଧାରୋଡ୍ ରେଳମଣ୍ଡଳ ହସ୍ପିଟାଲ୍‌ରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଷଣ୍ଢପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାଯାଇଛି। ଆର୍‌ପିଏଫ୍‌ ପୁଲିସ ନବଜାତକକୁ ସୋସାଇଟି ଫର୍ ଚିଲିଡ୍ରେନ୍ (ସୋଚ୍‌)କୁ ହସ୍ତାନ୍ତର କରିଥିବା ଜଣାଯାଇଛି। ଉଦ୍ଧାରର ୧୨ ଘଣ୍ଟା ପୂର୍ବରୁ ଶିଶୁଟି ଜନ୍ମ ନେଇଥିବା ଡାକ୍ତର ଅନୁମାନ କରୁଛନ୍ତି। କେହି ଜଣେ ମହିଳା ଶିଶୁଟିକୁ ଜନ୍ମ ଦେବା ପରେ ଏଠାରେ ଫୋପାଡ଼ି ଦେଇଥିବା କୁହାଯାଉଛି। ତେଣୁ ବିଭିନ୍ନ ଷ୍ଟେସନ୍‌ରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରି ଏହାର ତଦନ୍ତ କରାଯିବ ବୋଲି ଆରପିଏଫ୍ ଥାନା ଅଧିକାରୀ ମନୋଜ ଶର୍ମା ସୂଚନା ଦେଇଛନ୍ତି।

Advertisment

ଏ ସଂପର୍କରେ ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସକାଳେ ଖବର ପାଇବା ପରେ ଜଟଣୀରେ କାର୍ଯ୍ୟ କରୁଥିବା ସୋସାଇଟି ଫର୍ ଚିଲିଡ୍ରେନ୍ (ସୋଚ)ର ଟିମ୍ ପହଞ୍ଚି ନବଜାତ ଶିଶୁଟିକୁ ଆଣି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ଶିଶୁଟି ସଂପୂର୍ଣ୍ଣ ସୁସ୍ଥ ଅଛି। ଆଗାମୀ ଦିନରେ ଉକ୍ତ ଶିଶୁଟିର ଫଟୋ ବିଜ୍ଞାପନ ଜାରି କରାଯିବ। କେହି ଯଦି ଦାବିଦାର ଆସନ୍ତି, ପ୍ରମାଣ ଦେଖାଇ ଶିଶୁକୁ ନେଇପାରିବେ।