୧୦ ହଜାର ଟଙ୍କା ଦେଇ ନେଇଗଲେ ୧୦ ଦିନର ଶିଶୁପୁତ୍ର!

ସିସିଟିଭିରେ ପିଲାକୁ ନେଇ ପଳାଉଥିବା ମହିଳାଙ୍କ ଚିତ୍ର

ଶିଶୁ ସୁରକ୍ଷା ଅଧିକାର ଆୟୋଗ, ଡିସିପିଙ୍କୁ ରିପୋର୍ଟ
ତଦନ୍ତ କରିବ ଚାଇଲ୍ଡଲାଇନ୍

ଭୁବନେଶ୍ବର : ରାଜଧାନୀରେ ଶିଶୁପୁତ୍ର ବିକ୍ରି ନେଇ ଚର୍ଚ୍ଚା। ମାଷ୍ଟରକ୍ୟାଣ୍ଟିନ୍ ଅଞ୍ଚଳରେ ୧୦ ଦିନର ଏକ ଶିଶୁପୁତ୍ରକୁ ୧୦ହଜାର ଟଙ୍କାରେ ବିକ୍ରି କରାଯାଇଥିବା କୁହାଯାଉଛି। ରାସ୍ତାକଡ଼ରେ ଯାଯାବର ଜୀବନ ବିତାଉଥିବା ବଞ୍ଜାରାଙ୍କଠାରୁ ଦଲାଲ୍ ଶିଶୁପୁତ୍ରକୁ କିଣି ନେଇଥିବା ଦମ୍ପତି କହିଛନ୍ତି। ଏ ନେଇ ସେମାନଙ୍କର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବୁଲୁଛି। ସେମାନେ କାହିଁକି ବିକ୍ରି କଲେ, ତାହା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଦାରିଦ୍ର୍ୟ କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି। କାହାକୁ ବିକ୍ରି କଲେ ତାହା ମଧ୍ୟ ନିର୍ଦ୍ଦିଷ୍ଟ ଭାବେ ଜଣାପଡ଼ିନାହିଁ। ଷ୍ଟେସନ୍‌ରୁ ମାଳିସାହି ରୋଡ୍‌ରେ ଏହି ଘଟଣା ଘଟିଥିବା ବେଳେ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରୁ ଅଧିକ ତଥ୍ୟ ପ୍ରମାଣ ମିଳିପାରିବ ବୋଲି କୁହାଯାଉଛି।

ଅପରପକ୍ଷେ ଚାଇଲ୍ଡଲାଇନ୍ ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛି। ସୋସିଆଲ ମିଡିଆରେ ଏହି ଖବର ଆସିଥିଲେ ମଧ୍ୟ ଏହାର ସତ୍ୟାସତ୍ୟ ସମ୍ପର୍କରେ ଏଯାଏ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ। ଏ ସମ୍ପର୍କରେ ଚାଇଲ୍ଡଲାଇନ ନିର୍ଦ୍ଦେଶକ ବେଣୁଧର ସେନାପତି ରାଜ୍ୟ ଶିଶୁ ସୁରକ୍ଷା ଅଧିକାରୀ ଆୟୋଗ, ଶିଶୁ କଲ୍ୟାଣ କମିଟି(ସିଡବ୍ଲୁସି), ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ(ଡିସିପିଓ) ଓ ଡିସିପିଙ୍କୁ ଚିଠି ଲେଖି ଅବଗତ କରିଛନ୍ତି। ସୋସିଆଲ ମିଡିଆର ସେହି ରିପୋର୍ଟ ଆଧାରରେ ଅନୁସନ୍ଧାନ କରିବା ପାଇଁ କହିଛନ୍ତି। ଏହାସହ ଚାଇଲ୍ଡଲାଇନ୍ ନିଜର ଏକ ଟିମ୍ ତିଆରି କରିଛି। ଏହି ଟିମ୍ ଆସନ୍ତାକାଲି ଘଟଣାସ୍ଥଳକୁ ଯାଇ ସରଜମିନ୍ ତଦନ୍ତ କରିବ ବୋଲି ଶ୍ରୀ ସେନାପତି ସୂଚନା ଦେଇଛନ୍ତି। ଘଟଣାରେ ସତ୍ୟତା ଥିଲେ, ଥାନାରେ ରିପୋର୍ଟ ଦିଆଯିବ ବୋଲି ସେ କହିଛନ୍ତି।

ରାଜଧାନୀରେ ଶିଶୁ ବିକ୍ରି ଘଟଣା ନୂଆ ନୁହେଁ, ପୂର୍ବରୁ ମଧ୍ୟ ଏପରି ଅନେକ ଘଟଣା ଘଟିଛି। ସାଲିଆସାହି ଅଞ୍ଚଳର ଜଣେ ମହିଳାଙ୍କ ଶିଶୁପୁତ୍ରଙ୍କୁ ତାଙ୍କ ସ୍ବାମୀ ଦଲାଲ୍ ସହ ମିଶି ନୟାଗଡ଼ରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା। ନୂଆପଲ୍ଲୀ ଥାନା ପୁଲିସ ଚାଇଲ୍ଡଲାଇନ୍‌ ସହାୟତାରେ ପ୍ରାୟ ବର୍ଷକ ପରେ ଶିଶୁପୁତ୍ରକୁ ଉଦ୍ଧାର କରିବା ସହ ଜଣଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର