ବାଛେରା ମୁଣ୍ଡିଆ ମଡେଲ୍‌ ପାର୍କ: ପ୍ରଥମେ ବଳିପଡ଼ି‌ବେ ୨୬ ପରିବାର

ଜଟଣୀ: ସ୍ଥାନୀୟ ବାଛେରା ମୁଣ୍ଡିଆରେ ନିର୍ମାଣ ହେବାକୁ ଥିବା ମଡେଲ ପାର୍କ ପାଇଁ ପ୍ରଥମ ପର୍ଯ୍ୟାୟରେ ବଳି ପଡ଼ିବେ ୨୬ ପରିବାର। ଏଥିପାଇଁ ଉକ୍ତ ୨୬ ପରିବାରଙ୍କୁ ଆଜି ନୋଟିସ୍‌ ଦିଆଯିବା ସହ ସେମାନଙ୍କ ଘର କାନ୍ଥରେ ଲଟ୍‌କା ଲଗାଯାଇଛି। ୨୪ ଘଣ୍ଟା ଭିତରେ ଘର ଖାଲି କରିବାକୁ କୁହାଯାଇଛି। ମାତ୍ର ସେମାନଙ୍କ ଥଇଥାନ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ। ପ୍ରଶାସନର ଏଭଳି ଅଚାନକ ନିଷ୍ପତ୍ତି କେବଳ ୨୬ ପରିବାରକୁ ନୁହେଁ, ପ୍ରସ୍ତାବିତ ପାର୍କ ଜମିରେ ଥିବା ସମସ୍ତ ୧୫୦ ପରିବାର ପାଇଁ ଚିନ୍ତାର କାରଣ ହୋଇଛି।

ବିନା ଥଇଥାନରେ ଉଚ୍ଛେଦ କରାଯାଉଥିବାରୁ ସେମାନେ କେଉଁଠି ମୁଣ୍ଡ ଗୁଞ୍ଜିବେ, ରାହା ପାଉ ନାହାନ୍ତି। ହଠାତ୍ ପିଲାଛୁଆ ନେଇ କୁଆଡ଼େ ଯିବେ, ବାଟ ପାଉନାହାନ୍ତି। ତେଣୁ ସେମାନେ ଆଜି ୧୨ ନମ୍ବର କାଉନ୍‌ସିଲରଙ୍କ ଦୁଆରେ ଗଣଧାରଣା ଦେବା ସହ ସମୂହ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି। କାଉନ୍‌ସିଲର ସେମାନଙ୍କ ପିଠି ଥାପୁଡ଼ାଇ ବୁଝାସୁଝା କରୁଥିବା ବେଳେ ପୌରାଧ୍ୟକ୍ଷ କିନ୍ତୁ ଭିନ୍ନ କଥା କହିଛନ୍ତି। ପ୍ରଶାସନକୁ ସହଯୋଗ କରି ଆଗ ଜାଗା ଛାଡ଼ନ୍ତୁ, ପରେ ସେମାନଙ୍କ ଥଇଥାନ କଥା ଚିନ୍ତା କରାଯିବ ବୋଲି ପୌରଧ୍ୟକ୍ଷ କହିଛନ୍ତି। ତେଣୁ ଏମିତି ସ୍ଥିତିରେ ଆସନ୍ତକାଲି ହେବାକୁ ଥିବା ଉଚ୍ଛେଦ ବେଳେ ଉତ୍ତେଜନା ସୃଷ୍ଟି ହେବା ନିଶ୍ଚିତ ବୋଲି ଜଣାପଡ଼ିଛି।

ବିନା ଥଇଥାନରେ ଉଚ୍ଛେଦ
କାଉନ୍‌ସିଲରଙ୍କ ଦୁଆରେ ଧାରଣା, ଆତ୍ମାହୁତି ଚେତାବନୀ

ବାଛେରା ମୁଣ୍ଡିଆରେ ପ୍ରାୟ ୭ ଏକର ଜମିରେ କାହିଁ କେଉଁ କାଳରୁ ୧୫୦ ପରିବାର ବସବାସ କରି ଆସୁଛନ୍ତି। ଗତ ମେ’ ୨୩ ତାରିଖରେ ରେଳବାଇ ଅଫିସ୍ କ୍ଲବ୍‌ରେ ଅନୁଷ୍ଠିତ ବୈଠକରେ ଏହି ୧୫୦ ପରିବାରର ଥଇଥାନ ପାଇଁ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦେଇଥିଲେ। ସେମାନଙ୍କୁ ଥଇଥାନ କରିବା ପରେ ପାର୍କ ନିର୍ମାଣ କାମ ଆରମ୍ଭ ହେବ ବୋଲି ଏକପ୍ରକାର ସ୍ଥିର ହୋଇଥିଲା। କିନ୍ତୁ ୧୬ ଦିନ ପରେ ହଠାତ୍ ଆଜି ୨୬ ପରିବାରକୁ ଉକ୍ତ ଜାଗା ଛାଡ଼ିବାକୁ ପୌରପାଳିକା ପକ୍ଷରୁ ନୋଟିସ୍ ଦିଆଯାଇଛି। ୨୪ ଘଣ୍ଟା ମଧ୍ୟରେ ଜାଗା ଖାଲି ନ କଲେ ପ୍ରଶାସନ ଜବରଦସ୍ତ ଘର ଭାଙ୍ଗିବ ବୋଲି ନୋଟିସରେ ଉଲ୍ଲେଖ କରାଯାଇଛି। ଉଚ୍ଛେଦ ନୋଟିସ୍‌ ଲଗାଯିବା ପରେ ୨୬ ପରିବାର କାଉନ୍‌ସିଲରଙ୍କ ଦୁଆରେ ଧାରଣା ଦେଇଥିଲେ। କଳ୍ପନା ସିଂ କହିଛନ୍ତି ଯେ ପାର୍କ ନିର୍ମାଣକୁ ଆମେ ବିରୋଧ କରୁନାହୁଁ। କିନ୍ତୁ ଆମ ଭଳି ନିରାଶ୍ରୟ ପରିବାରକୁ ବଳି ଦେଇ ପ୍ରଶାସନ ଯଦି ବଡ଼ବଡ଼ିଆ ମନୋରଞ୍ଜନ ପାଇଁ ପାର୍କ କରୁଛି, ତେବେ ଆମ ଉପରେ ଜେସିବି ଚଢ଼ାଇଦେଉ। ସେହିଭଳି ମୀନା ବଳବନ୍ତରାୟ କହିଛନ୍ତି ଯେ ପିଲାଛୁଆ ଧରି ଆଉ କୁଆଡ଼େ ଯିବୁ।

ପ୍ରଶାସନ ଥଇଥାନ ନକରି ଯଦି ବଳପ୍ରୟୋଗ କରିବ, ତେବେ ଆତ୍ମାହୁତି ଦେବା ଛଡ଼ା ଆମ ପାଖରେ ରାସ୍ତା କିଛି ନାହିଁ। ଏମିତି ମରିବୁ, ସେମିତି ମରିବୁ। କାଉନ୍‌ସିଲର ନୀଳିମା ସ୍ବାଇଁ ସେମାନଙ୍କୁ ବୁଝାସୁଝା କରିଥିଲେ। ପୌରାଧ୍ୟକ୍ଷ ଓ ତହସିଲଦାର୍‌ଙ୍କ ସହ ଆଲୋଚନା କରି କିଛି ଗୋଟେ ବ୍ୟବସ୍ଥା କରିବାକୁ ସେ କହିଥିଲେ। ତେଣୁ ସେମାନେ ଧାରଣାରୁ ଉଠିଥିଲେ। କିନ୍ତୁ ସେମାନଙ୍କ ମୁଣ୍ଡରେ ଖଣ୍ଡା ଝୁଲୁଛି ଏବଂ ରାତି ପାହିଲେ ସେମାନେ ବେଘର ହୋଇଯିବାର ଭୟ ରହିଛି ବୋଲି କହିଛନ୍ତି। ପ୍ରଶାସନର ଆଜିର ଏଭଳି ନିଷ୍ପତ୍ତିକୁ ନେଇ ଉଚ୍ଛେଦ ନୋଟିସ୍‌ ପାଇ ନଥିବା ଅନ୍ୟ ପରିବାରମାନେ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି। ସେମାନଙ୍କୁ ମଧ୍ୟ ସମଦଶା ଭୋଗିବାକୁ ପଡ଼ିବ ବୋଲି ସେମାନେ ଆଶଙ୍କା କରିଛନ୍ତି। ତେଣୁ ଆସନ୍ତାକାଲି ସେମାନେ ବି ବିନା ଥଇଥାନରେ ହେଉଥିବା ଉଚ୍ଛେଦକୁ ବିରୋଧ କରିବେ ବୋଲି କହିଛନ୍ତି। ଏ ନେଇ ପୌରାଧ୍ୟକ୍ଷ ଅନନ୍ତ ବେହେରା କହିଛନ୍ତି ଯେ ସେମାନେ ପ୍ରଶାସନକୁ ସହଯୋଗ କଲେ, ଥଇଥାନ ପାଇଁ ଶତପ୍ରତିଶତ ସହଯୋଗ କରାଯିବ। ଆଗ ଉଚ୍ଛେଦ କରିବା ପରେ ସେମାନଙ୍କୁ ଜାଗା ଦିଆଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ ଏହି ପାର୍କ ନିର୍ମାଣ ପାଇଁ ବିସ୍ଥାପିତ ହେବାକୁ ଥିବା ଲୋକଙ୍କୁ ଥଇଥାନ କରିବାକୁ ପ୍ରଶାସନ ଏପର୍ଯ୍ୟନ୍ତ ଜମି ଚିହ୍ନଟ କରିନାହିଁ।

ସମ୍ବନ୍ଧିତ ଖବର