ଅଶୁଭ ଏପ୍ରିଲ୍‌: ୩୦ ଦିନରେ ୨୩ ମୁଣ୍ଡ ଗଡ଼ିଲାଣି

ଭୁବନେଶ୍ବର: ରକ୍ତରଂଜିତ ହେଉଛି ରାଜଧାନୀ। କଥା କଥାକେ ମୁଣ୍ଡ ଗଡ଼ୁଥିବା ବେଳେ ଦୁର୍ଘଟଣାଜନିତ ମୃତ୍ୟୁରେ ମଧ୍ୟ ଲଗାମ ଲାଗୁ ନାହିଁ। ପାରିବାରିକ ଅଶାନ୍ତି ଏବଂ ପ୍ରେମଜନିତ ଆତ୍ମହତ୍ୟା ବି ଚିନ୍ତାଜନକ ସ୍ଥିତିରେ। ଆପରାଧିକ ଦୃଷ୍ଟିକୋଣରୁ, ଚଳିତ ଏପ୍ରିଲ୍‌ ମାସ ଅନ୍ୟ ମାସଗୁଡ଼ିକ ତୁଳନାରେ ଢେର୍ ଆଗରେ ରହିଛି। ଭୁବନେଶ୍ବର ଜିଲ୍ଲା ପୁଲିସର ତଥ୍ୟ ଅନୁଯାୟୀ, ମାତ୍ର ୩୦ ଦିନ ଭିତରେ ରାଜଧାନୀ ଓ ଉପକଣ୍ଠରେ ଥିବା ଥାନା ଅଞ୍ଚଳରେ ମୋଟ ୨୩ଟି ମୁଣ୍ଡ ଗଡ଼ି ସାରିଲାଣି।

ଆଜିକୁ ମିଶାଇ ଚଳିତ ମାସ ରାଜଧାନୀରେ ୪ଟି ହତ୍ୟାକାଣ୍ଡରେ ୫ଜଣଙ୍କ ମୁଣ୍ଡ ଗଡ଼ିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସବୁ ହତ୍ୟାକାଣ୍ଡ ରାଜଧାନୀର ପ୍ରମୁଖ ତଥା ସମ୍ବେଦନଶୀଳ ଥାନା ଅଞ୍ଚଳରେ ଘଟିଛି। ଗତ ୧୧ ତାରିଖରେ, ସବୁଠାରୁ ହାଇସିକ୍ୟୁରିଟି ଜୋନ୍ କୁହାଯାଉଥିବା ବିଧାନସଭା ସମ୍ମୁଖସ୍ଥ ଇଣ୍ଡିଆନ୍ ପୋଷ୍ଟ୍ ଏଟିଏମ୍ କାଉଣ୍ଟର୍‌ ବାରଣ୍ଡାରେ ୨ଜଣ ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଲୁହା ରଡ୍‌ରେ ଆକ୍ରମଣ କରି ଅତି ବୀଭତ୍ସ ଭାବେ ହତ୍ୟା କରିଥିଲେ। ତାଙ୍କ ପତ୍ନୀଙ୍କୁ ମଧ୍ୟ ହତ୍ୟା ଉଦ୍ୟମ କରାଯାଇଥିଲା। ସେହିପରି ୨୩ ତାରିଖ ଅପରାହ୍‌ଣ ପ୍ରାୟ ୩ଟା ବେଳେ, ନିଶା ଖାଇବାକୁ କେନ୍ଦ୍ର କରି ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଜଣଙ୍କ ମୁଣ୍ଡ ଗଡ଼ିଥିଲା। ଦୁଇ ଗୋ‌ଷ୍ଠୀ ସଂଘର୍ଷରେ ଜଣଙ୍କ ଜୀବନ ବଳି ପଡ଼ି ଯାଇଥିଲା। ଏହାର ଠିକ୍‌ ପରଦିନ ଅର୍ଥାତ୍‌ ୨୪ ତାରିଖ ଦିନ ଚନ୍ଦ୍ରଶେଖରପୁରରେ ଘଟିଥିବା ଡବଲ୍‌ ମର୍ଡର୍‌ ରାଜଧାନୀକୁ ସ୍ତବ୍ଧ କରିଦେଇଥିଲା। ସ୍ତ୍ରୀ ଓ ଶାଳୀର ନିର୍ଯାତନା ସହି ନପାରି ଜଣେ ଯୁବକ ଦୁହିଁଙ୍କୁ ହାଣି ହତ୍ୟା କରିଥିଲା। ଏକଥା ରାଜଧାନୀବାସୀଙ୍କ ମନରୁ ନ ଲିଭୁଣୁ, ମାସ ଶେଷ ଆଡ଼କୁ, ଗତ ୨୮ ତାରିଖରେ ୧୫ ମାସର ଛୁଆକୁ ହତ୍ୟା କରି ବାପା-ମା’ଙ୍କ ଆତ୍ମହତ୍ୟା ଭଳି ଛାତିଥରା ଓ ହୃଦୟବିଦାରକ ଘଟଣା ରାଜଧାନୀକୁ ରକ୍ତରଂଜିତ କରିଥିଲା।

ହତ୍ୟାକାଣ୍ଡ ସହ ତାଳ ଦେଇ, ଚଳିତ ମାସରେ ଦୁର୍ଘଟଣା‌ ବି ଏକାଧିକ ମୁଣ୍ଡ ନେଇଛି। ପଳାସୁଣୀ ଛକଠାରୁ ଆରମ୍ଭ କରି ଜାତୀୟ ରାଜପଥର ନୂଆପଲ୍ଲୀ ଓ ଖଣ୍ଡଗିରି ଫ୍ଲାଏଓଭର୍ ଏବଂ ସହର ଭିତରେ ଗୋପବନ୍ଧୁ ଛକକୁ ମିଶାଇ ୧୨ରୁ ଊର୍ଧ୍ବ ଘଟଣାରେ ପାଖାପାଖି ୧୪ଜଣଙ୍କ ମୃତ୍ୟୁ ଘଟିଛି। ଅପରପକ୍ଷେ, ଆତ୍ମହତ୍ୟା ଭଳି ମାଳମାଳ ମାମଲା ବି ଏଇ ମାସରେ ଘଟିଛି। କହିବାକୁ ଗଲେ, ଏହି ମାସରେ ରାଜଧାନୀ ରକ୍ତ‌ରେ ଭିଜିଛି। ସେହିଭଳି ଲୁଟ୍, ଛିନ୍‌ତାଇ, ଡକାୟତି, ଗୁଳିକାଣ୍ଡ ଭଳି ମାମଲା ୨୪ଘଣ୍ଟା ରାଜଧାନୀକୁ ଥରହର କରିଥିଲା। ଗୋଟିଏପଟେ ଇନ୍ଦିରା କଲୋନିସ୍ଥିତ ଏସ୍‌ବିଆଇ କାଉଣ୍ଟରରୁ ଏଟିଏମ୍ ତାଡ଼ିନେବା ଘଟଣାର ତଦନ୍ତ ଶେଷ ହୋଇନଥିବା ବେଳେ ଯାଁଳା ଫାଣ୍ଡିରେ ୮ରାଉଣ୍ଡ ଗୁଳି ଫୁଟାଇ ଲୁଟେରା ଆତଙ୍କ ଖେଳାଇଥିଲେ। ମାତ୍ର ଗୋଟିଏ ମାସରେ ଏକାଧିକ ସୁନା ଦୋକାନୀକୁ ଗୁଳିକାଣ୍ଡ ଓ ଖଣ୍ଡାରେ ହାଣି ଲୁଟ୍ କରାଯାଇଥିବା ବେଳେ ଘରେ ପଶି ଡକାୟତି କରିବା ମଧ୍ୟ ପଛରେ ରହି ନଥିଲା। ଗଙ୍ଗପଡ଼ାରେ ଜଣଙ୍କ ଘରେ ପଶି ଲୁଟେରା ପ୍ରାୟ ୨୦ଲକ୍ଷ ଟଙ୍କାର ସୁନା ଓ ନଗଦ ଟଙ୍କା ଲୁଟି ନେଇଥିଲେ। ଅପରପଟେ ଆଇନ୍‌ ଶୃଙ୍ଖଳା ପୁଲିସ ହାତରୁ ଖସି ଯାଇଥିବା ଭଳି ସମସ୍ୟା ମଧ୍ୟ ଦେଖିବାକୁ ମିଳିଥିଲା। ଏପ୍ରିଲ୍ ୧୮ରେ ଡ୍ରାଇଭର ମହାସଂଘ ପୂରା ରାଜଧାନୀକୁ କବ୍‌ଜା କରି ଲୋକଙ୍କୁ ନାକରେ କନ୍ଦାଇଥିଲେ।

ସମ୍ବନ୍ଧିତ ଖବର