ବିଗୁଡ଼ୁଛି ରାଜଧାନୀର ଆଇନଶୃଙ୍ଖଳା

ଡିସିପିଙ୍କୁ ଫେରାଦ ହେଲେ ବରିଷ୍ଠ ନାଗରିକ

ଚନ୍ଦ୍ରଶେଖରପୁର: ରାଜଧାନୀର ଆଇନ୍‌ଶୃଙ୍ଖଳା ପରିସ୍ଥିତି ବିଗୁଡ଼ୁଛି। ପ୍ରୋବେସନ୍‌ରେ ଥିବା ଆଇପିଏସ୍‌ ଅଫିସର୍‌ ମଧ୍ୟ ଏଥିରୁ ଛାଡ଼ ପାଉନାହାନ୍ତି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଦୁଇ ଜଣ ପ୍ରୋବେସନର୍‌ ଆଇପିଏସ୍‌ ଅଧିକାରୀଙ୍କୁ ମାଡ଼ ହେବା ଭଳି ସଙ୍ଗିନ୍‌ ଘଟଣା ଘଟିଥିଲେ ସୁଦ୍ଧା ପୁଲିସ୍‌ ନିରବଦ୍ରଷ୍ଟା ସାଜିଛି। ଏନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଇନଫୋସିିଟି ଥାନା ଅଧୀନସ୍ଥ କାନନବିହାର ଫେଜ୍‌-୨ରେ ରହୁଥିବା ବରିଷ୍ଠ ନାଗରିକ ସଞ୍ଜୀବ କୁମାର ଦାସ। ଏହି ସନ୍ଦର୍ଭରେ ସେ ଡିସିପି ଅନୁପ ସାହୁଙ୍କୁ ଏକ ପତ୍ର ମଧ୍ୟ ଲେଖିଛନ୍ତି। କିଛି ଦିନ ତଳେ ବିଡିଏ ଅଞ୍ଚଳରେ ଦୁଇ ପ୍ରୋବେସନ୍‌ର ଆଇପିଏସ୍‌ ଅଧିକାରୀଙ୍କୁ ସିଗାରେଟ୍‌ କିଣିବାକୁ ନେଇ ଚାରି ଜଣ ଯୁବକ ମାଡ଼ ମାରି ଲହୁଲୁହାଣ କରିବା ଭଳି ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଜଣେ ଆଡ଼ଭୋକେଟ୍‌ ଓ ତାଙ୍କ ପତ୍ନୀ ମଧ୍ୟ ସାକ୍ଷୀ ଥିବା ଶ୍ରୀ ଦାସ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। କିନ୍ତୁ ପୁଲିସ୍‌ ପକ୍ଷରୁ ଏହି ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯାଇ ଘଟଣାକୁ ଚାପିଦିଆଗଲା। ରାଜଧାନୀରେ ଯଦି ଆଇପିଏସ୍‌ ଅଧିକାରୀମାନେ ଅସୁରକ୍ଷିତ ତେବେ ତାଙ୍କ ଭଳି ଜଣେ ସାଧାରଣ ଲୋକଙ୍କ ଅବସ୍ଥା କଥା କ’ଣ ହେବ ବୋଲି ସେ ଡିସିପିଙ୍କୁ ପ୍ରଶ୍ନ କରିଛନ୍ତି। ଏହି ଘଟଣାରେ ସଂପୃକ୍ତ ଚାରି ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଶ୍ରୀ ଦାସ ଡିସିପିଙ୍କ ନିକଟରେ ଦାବି କରିଛନ୍ତି। ତେବେ ଏହିଭଳି ଘଟଣା ଘଟି ନଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର