ଭୁବନେଶ୍ବର: ସହର ସ୍ମାର୍ଟ ହୋଇଛି। ରାସ୍ତାକଡ଼ରେ କୋଟି କୋଟି ଟଙ୍କା ବିନିଯୋଗ କରି ସୁନ୍ଦର ପରିବେଶ ତିଆରି ହୋଇଛି। ମାତ୍ର ମରଣଯନ୍ତା ସାଜିଥିବା ଖୋଲା ଓ ଅଧାଭଙ୍ଗା ଡ୍ରେନ୍ ସଜାଡ଼ିବାକୁ ପ୍ରଶାସନ ଉଚିତ୍ ମଣୁନାହିଁ। ରାଜଧାନୀରେ ଖୋଲା ଡ୍ରେନ୍ ମଣିଷର ଜୀବନ ନେଇଯିବା ଘଟଣା ଚିରାଚରିତ ହୋଇଯାଇଛି। ତେବେ ତା’ଠୁ ବିପଜ୍ଜନକ ସାଜିଛି ଅଧ ଭଙ୍ଗା ଅବସ୍ଥାରେ ଶୋଚନୀୟ ହୋଇ ପଡ଼ିଥିବା ଡ୍ରେନ୍। କେଉଁଠି ଡ୍ରେନ୍ର ବାଡ଼ ଭାଙ୍ଗି ଯାଇଛି ତ କେଉଁଠାରେ ଘୋଡ଼ଣୀ ଭାଙ୍ଗି ଭିତରକୁ ଝୁଲି ରହିଛି। ରାଜଧାନୀରେ ଧୋ ଧୋ ବର୍ଷା ଛେଚୁଥିବା ବେଳେ ଡ୍ରେନ୍ର ଏହି ବିପର୍ଯ୍ୟସ୍ତ ଚିତ୍ର ବେଶି ଡରାଉଛି। ରାସ୍ତା ଉପରେ ପାଣି ଚାଲୁଥିବା ବେଳେ ଟିକେ ରାସ୍ତା କଡ଼କୁ ଖସିଲେ ବିପଦ ଚାହିଁ ବସିଛି। ଟିକେ ଅସାବଧାନ ହେଲେ ଡ୍ରେନ୍ ଭିତରେ ଗଳି ପଡ଼ି ଭାସିଯିବାର ଆଶଙ୍କାକୁ ଏଡ଼ାଇ ହେବ ନାହିଁ।
ପ୍ରଶାସନର ବେପରୱା ମନୋଭାବ ଯୋଗୁଁ ଖୋଲା ଡ୍ରେନ୍ରେ ଗତ ୫ ବର୍ଷରେ ୫ଟି ଜୀବନ ଚାଲିଯାଇଛି। ୨୦୧୯ରେ ସାଲିଆସାହିର ଟି.ଆପ୍ପାଲାମା ଜୟଦେବ ବିହାର ଖୋଲା ଡ୍ରେନ୍ରେ ଭାସିଯାଇଥିଲେ। ୨୦୧୮ରେ ୫୪ ବର୍ଷୀୟ ବୃଦ୍ଧ ହରି ପଟ୍ଟନାୟକ ୟୁନିଟ୍-୪ ଅଞ୍ଚଳରେ ଡ୍ରେନ୍ରେ ଭାସିଯାଇ ମୃତ୍ୟୁବରଣ କରିଥିଲେ। ଚନ୍ଦ୍ରଶେଖରପୁର ପଟିଆରେ ୨୦୧୭ରେ ଖୋଲା ଡ୍ରେନ୍ରେ ଭାସିଯାଇ ଦୁଇଟି ଜୀବନ ଅକାଳରେ ଚାଲି ଯାଇଥିଲା। ଧୋ ଧୋ ବର୍ଷା ଛେଚୁଥିବା ବେଳେ ମମ୍ତାଜ ଅଲ୍ଲୀ ସ୍କୁଲ୍ ନିକଟ ଖୋଲା ଡ୍ରେନ୍ରେ ଭାସିଯାଇ ପ୍ରାଣ ହରାଇଥିବା ଜଣେ ୯ ବର୍ଷୀୟ ଶିଶୁର କରୁଣ ଚିତ୍ର ଏବେ ବି ରାଜଧାନୀବାସୀଙ୍କ ମନରୁ ଲିଭି ନାହିଁ। ମାତ୍ର ପ୍ରଶାସନ ଖୋଲା ଡ୍ରେନ୍କୁ ଢାଙ୍କିବା କିମ୍ବା ବ୍ୟବସ୍ଥିତ କରିବାକୁ ଗୁରୁତ୍ବ ଦେଉନାହିଁ। ମିଳିଥିବା ସୂଚନା ମୁତାବକ ରାଜଧାନୀରେ ୫୬୦ କିଲୋମିଟର ଆଭ୍ୟନ୍ତରୀଣ ଡ୍ରେନ୍ ଲମ୍ବିଥିଲେ ବି ଏବେ ବି ୨ଶହ କିଲୋମିଟରରୁ ଅଧିକ ଲମ୍ବର ଡ୍ରେନ୍କୁ ଢାଙ୍କୁଣି ଦ୍ବାରା ଢଙ୍କା ଯାଇନାହିଁ। ୩୦ ପ୍ରତିଶତରୁ ଅଧିକ ଡ୍ରେନ୍ ବିନା ସ୍ଲାବ୍ରେ ମରଣଯନ୍ତା ପକାଇ ଚାହିଁ ବସିଛି। ଅଧିକାଂଶ ସ୍ଥାନରେ ଡ୍ରେନ୍ କାମ ହେଉଥିଲେ ହେଁ ଦୀର୍ଘଦିନ ଧରି ଅଧାପନ୍ତରିଆ ଭାବେ ପଡ଼ି ରହୁଛି। ଫଳରେ ଗାଈ ଗୋରୁ ଓ ବୁଲା କୁକୁର ଗଳି ପଡ଼ୁଛନ୍ତି। ବର୍ଷା ବେଳେ ରାସ୍ତା ଉପରେ ପାଣି ଚାଲିଲେ ଯଦି ପାଣି ସୁଅ ଭସାଇ ନେଇ ଡ୍ରେନରେ ପକାଇ ଦିଏ ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବଞ୍ଚାଇବା କାଠିକର। ନିକଟରେ ସ୍ବେରେଜ ବୋର୍ଡର ଅବହେଳା ଯୋଗୁଁ ଅଧାପନ୍ତରିଆ ଭାବେ ଖୋଳା ଯାଇଥିବା ଚୁଆରେ ବାଲିଆପାଟ ବସ୍ତିର ୬ ବର୍ଷୀୟ ଶିଶୁର ମୃତ୍ୟୁ ଘଟଣା ଅବହେଳାର ନମୁନା ମାତ୍ର।
ବିଏମ୍ସି ଡ୍ରେନେଜ୍ ଡିଭିଜନରେ କର୍ମଚାରୀ ଓ ଅଧିକାରୀଙ୍କ ସଂଖ୍ୟା ବଢ଼ାଯାଇଛି। ତେବେ ବି ସ୍ମାର୍ଟ ସିଟିରେ ବର୍ଷା ହେଲେ ଡ୍ରେନ୍ ପାଖ ଦେଇ ଚାଲିବା ବିପଜ୍ଜନକ ହେଲାଣି। ଜାଗମରାର ବାସିନ୍ଦା ସୂର୍ଯ୍ୟ ସାହୁ କହିଛନ୍ତି, ବର୍ଷା ହେଲେ ଡ୍ରେନ୍ ଉପରେ ପାଣି ଚାଲିବା ସ୍ବାଭାବିକ ଘଟଣା। ଏଭଳି ସ୍ଥଳେ ଡ୍ରେନ୍ମାନଙ୍କରେ ସ୍ଥାନେ ସ୍ଥାନେ ସ୍ଲାବ୍ ପଡ଼ିନଥିବାରୁ ବେଳେବେଳେ ଗୋରୁ ଓ କୁକୁର ପଡ଼ି ଭାସି ଯାଇଛନ୍ତି। ସୌଭାଗ୍ୟ ଯେ ଏପର୍ଯ୍ୟନ୍ତ କେହି ମଣିଷ ଏ ଅଞ୍ଚଳରେ ଖୋଲା ଡ୍ରେନରେ ଭାସି ଯାଇନାହାନ୍ତି। ତେବେ ପ୍ରଶାସନର ଖାମଖିଆଲି ନୀତି ଯୋଗୁଁ ଯେ କେବେ କୌଣସି ଜୀବନ ଚାଲି ନଯିବ ତାହା କହି ହେବନାହିଁ।