ଷ୍ଟେସନ୍‌ ଓ ଧାରଣାସ୍ଥଳରେ ଅସ୍ବାସ୍ଥ୍ୟକର ଖାଦ୍ୟ: ହୋଟେଲଗୁଡ଼ିକୁ ଦେଖିଲେ, ଯାଞ୍ଚ କି ନମୁନା ସଂଗ୍ରହ କଲେନି

ଭୁବନେଶ୍ବର: ରେଳ ଷ୍ଟେସନ୍‌ ନିକଟ ଓ ଧାରଣାସ୍ଥଳରେ ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ବିକ୍ରି ହେଉଥିବା ଅଭିଯୋଗ ହେଲା। ରାଜଧାନୀର ଜଣେ ବାସିନ୍ଦା ଏ ସଂପର୍କରେ ନଗର ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଚିଠି ଲେଖି ଯାଞ୍ଚ କରିବା ପାଇଁ ଅନୁରୋଧ କରିଥିଲେ। ଗଣମାଧ୍ୟମରେ ଏହା ପ୍ରକାଶ ପାଇବା ପରେ ଖାଦ୍ୟ ସୁରକ୍ଷା ଅଧିକାରୀ ସେ ସ୍ଥାନକୁ ଗଲେ, ସେଠାରେ ଥିବା ହୋଟେଲକୁ ଦେଖିଲେ, ହେଲେ କେବଳ ତାଗିଦ୍ କରି ଚାଲିଆସିଲେ। ପ୍ରତ୍ୟେକ ଦିନ ଶହଶହ ଲୋକଙ୍କ ସ୍ବାସ୍ଥ୍ୟ ସହ ଖେଳ ଚାଲିଥିବା ସ୍ଥାନରୁ କାହିଁକି ଖାଦ୍ୟ ନମୁନା ସଂଗ୍ରହ କରାଗଲା ନାହିଁ, ତାହାକୁ ନେଇ ପ୍ରଶ୍ନ ଉଠିଛି।

ଷ୍ଟେସନ୍‌ ନିକଟରେ ଅସ୍ବାସ୍ଥ୍ୟକର ପରିବେଶରେ ହୋଟେଲଗୁଡ଼ିକ ଖାଦ୍ୟ ବିକ୍ରି କରୁଛନ୍ତି। ପ୍ରତ୍ୟେକ ଦିନ ରାଜଧାନୀକୁ ଆସୁଥିବା ଶହ ଶହ ଲୋକ ସେସବୁ ହୋଟେଲରେ ଖାଉଛନ୍ତି। ମାତ୍ର ଏହି ହୋଟେଲଗୁଡ଼ିକରେ ପ୍ରସ୍ତୁତ ହେଉଥିବା ଖାଦ୍ୟର ମାନ କ’ଣ ଓ କିଭଳି ଖାଦ୍ୟ ପ୍ରସ୍ତୁତ କରୁଛନ୍ତି, ତାହାର କୌଣସି ଯାଞ୍ଚ ହେଉନାହିଁ। ଏହାସହ ଧାରଣାସ୍ଥଳରେ ମଧ୍ୟ ଅନେକ ଉଠା ହୋଟେଲରେ ଖାଦ୍ୟ ବିକ୍ରି ହେଉଛି। ଲୋକଙ୍କୁ ଖାଦ୍ୟ ବିକ୍ରି କରି ମାଲିକମାନେ ମାଲାମାଲ ହେଉଥିବା ବେଳେ ଖାଦ୍ୟର କୌଣସି ପ୍ରକାର ଯାଞ୍ଚ ହେଉନାହିଁ। ଏ ସଂପର୍କିତ ରିପୋର୍ଟ କିଛି ଦିନ ତଳେ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଖାଦ୍ୟ ସୁରକ୍ଷା ଅଧିକାରୀ ଏସବୁ ଅଞ୍ଚଳକୁ ଯାଇଥିଲେ। ମାତ୍ର ସେଠାରେ କୌଣସି ପ୍ରକାର ଖାଦ୍ୟ ନୁମନା ସଂଗ୍ରହ କରି ନ ଥିଲେ। ଖଣ୍ଡଗିରି ମେଳାରେ ବିକ୍ରି ହେଉଥିବା ଖାଦ୍ୟ ନମୁନା ସଂଗ୍ରହ କରି ଏହାକୁ ପରୀକ୍ଷା କରାଯାଉଥିଲେ ହେଁ ବର୍ଷ ବର୍ଷ ଧରି ଷ୍ଟେସନ୍‌ ନିକଟରେ ଥିବା ହୋଟେଲର ଖାଦ୍ୟ ନମୁନା ସଂଗ୍ରହ କରିନଥିଲେ। ଜଣେ ସାଧାରଣ ନାଗରିକ ଏ ନେଇ ନିଜର ଚିନ୍ତା ପ୍ରକଟ କରିଥିଲେ ହେଁ ଏହାକୁ ଗୁରୁତ୍ବ ଦିଆଗଲା ନାହିଁ। ଆଗକୁ ମୋବାଇଲ ଟେଷ୍ଟିଂ ଭ୍ୟାନ୍‌ରେ ଏସବୁ ଅଞ୍ଚଳରେ ବିକ୍ରି ହେଉଥିବା ଖାଦ୍ୟର ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର