ଆବର୍ଜନାଭର୍ତ୍ତି ପରିସର, ଜମୁଛି ନିଶାଡ଼ିଙ୍କ ଆସର

ଭୁବନେଶ୍ବର ରେଳଷ୍ଟେସନ୍‌ର ବିକଳ ଚିତ୍ର

ଭୁବନେଶ୍ବର: ଚାରିଆଡ଼େ ଅନାବନା ଛୋଟବଡ଼ ଗଛ। ଅଳିଆ ଆବର୍ଜନା। ଉତ୍କଟ ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି। ଦୂରରୁ ଦେଖିଲେ ଯେମିତି କେଉଁ ଏକ ଅଳିଆ ଆବର୍ଜନାପୂର୍ଣ୍ଣ ବଣ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। କେଉଁ ଗ୍ରାମାଞ୍ଚଳ ନୁହେଁ, ଭୁବନେଶ୍ବରର ଛାତି ଉପରେ ଥିବା ରେଳଷ୍ଟେସନ୍‌ ସମ୍ମୁଖର ଏ ହେଉଛି ଅସଲ ଚିତ୍ର। ବଡ଼ବଡ଼ ଅଟ୍ଟାଳିକା, ଚାକଚକ୍ୟ ସହର ଭିତରେ ଯେ ଏମିତି ଏକ ପରିବେଶ ରହିଥିବ, ତାହା ରାଜଧାନୀକୁ ଦୂରରୁ ଦେଖୁଥିବା ମଣିଷମାନେ ହୁଏତ ସ୍ବପ୍ନ‌ରେ ସୁଦ୍ଧା ଚିନ୍ତା କରି ନଥିବେ। ହେଲେ ରାଜ୍ୟ ଓ ରାଜ୍ୟ ବାହାରୁ ଭୁବନେଶ୍ବରକୁ ଆସୁଥିବା ଯାତ୍ରୀ ରେଳଷ୍ଟେସନ୍‌ ଓ ଏହାର ପରିସରକୁ ଦେଖିଲେ ମୁଣ୍ଡରେ ହାତ ଦେଉଛନ୍ତି। ସ୍ମାର୍ଟସିଟିରେ ଭୁବନେଶ୍ବର ରେଳଷ୍ଟେସନ୍‌ର ଏ କିଭଳି ବିକଳ ଚିତ୍ର ବୋଲି ପ୍ରଶ୍ନ କରୁଛନ୍ତି।

ଭୁବନେଶ୍ବର ରେଳଷ୍ଟେସନ୍‌କୁ ବିଶ୍ବସ୍ତରୀୟ କରିବା ପାଇଁ ଓଡ଼ିଶାବାସୀ ଯେଉଁ ସ୍ବପ୍ନ ଦେଖିଥିଲେ, ତାହା ସେମିତି ଝୁଲି ରହିଛି। ବିଶ୍ବସ୍ତରୀୟ ରେଳଷ୍ଟସନ୍‌ କଥା ଛାଡ଼ନ୍ତୁ, ଏକ ସରସ, ସୁନ୍ଦର, ସ୍ବଚ୍ଛ ରେଳଷ୍ଟେସନ୍‌ଟିଏ ମଧ୍ୟ କରାଯାଇ ପାରିନାହିଁ। ଆଗରୁ ଦେଖିଲେ ଏକ ବଣ ଜଙ୍ଗଲର ଭ୍ରମ ସୃଷ୍ଟି ହେଉଛି। ଷ୍ଟେସନ୍‌ ଆଗରେ ଥିବା ଉଦ୍ୟାନ ଏବେ ଜଙ୍ଗଲ। ଅନାବନା ଗଛ ବଢ଼ିଯିବାରୁ ସେଠାରେ ରାତି ହେଲେ ନିଶାଡ଼ିଙ୍କ ଆଡ଼ା ଜମୁଛି। ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀ ସେଠାରେ ପରିସ୍ରା, ମଳତ୍ୟାଗ କରୁଛନ୍ତି।

ଅଳିଆ ଆବର୍ଜନାରେ ସମ୍ପୂର୍ଣ୍ଣ ପରିବେଶ ଭରି ରହିଛି। ଷ୍ଟେସନ୍‌ର ପ୍ରବେଶ ପଥରେ ଥିବା ଉଦ୍ୟାନ ଓ ଭିତରେ ଥିବା ଅନ୍ୟ ଏକ ଉଦ୍ୟାନର ରକ୍ଷଣାବେକ୍ଷଣ ନହେବାରୁ ତାହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଉଦ୍ୟାନ ଭିତରେ ଥିବା ଫାଉଣ୍ଟେନ୍‌ ଉପରେ ଗଛ ଲତା ମାଡ଼ି ଯାଇଛି।

କିଛି ସ୍ଥାନରେ ଲଗାଯାଇଥିବା ଲୁହା ବାଡ଼ ଓ ଇଟା ପାଚେରିକୁ ଦୁର୍ବୃତ୍ତ ଭାଙ୍ଗି ନେଇଗଲେଣି। ଲଗାଯାଇଥିବା ଲାଇଟ୍‌ ସହ ଖୁଣ୍ଟ ବି ଉଭାନ୍‌ ହୋଇଗଲାଣି। ଉଦ୍ୟାନ ଭିତରେ କରାଯାଇଥିବା ସୁନ୍ଦର ପ୍ରତିମୂର୍ତ୍ତି ବି ନିଜର ଅସ୍ତିତ୍ବ ହରାଇ ସାରିଲାଣି। ଯୁଆଡ଼େ ଚାହିଁଲେ, ଅଇଁଠାପତ୍ର, ପାଣି ପାଉଚ୍‌, ଜରି, ମଦ ବୋତଲ ଗଡ଼ୁଛି। ଲଗାଯାଇଥିବା ମୂଲ୍ୟବାନ୍‌ ଗଛ ସବୁ ପାଣି ବିନା ଶୁଖି ଗଲାଣି। ଦିନରେ ମଧ୍ୟ ଏହି ସ୍ଥାନରେ ଝାଡ଼ା ପରିସ୍ରା କରୁଛନ୍ତି। ମଦୁଆ ମଦ ପିଉଛନ୍ତି। ହେଲେ କହିବାକୁ କେହି ନାହିଁ। ସ୍ବଚ୍ଛ, ସୁନ୍ଦର ଗଢ଼ିବାକୁ ପ୍ରୟାସ କରୁଥିବା ରାଜ୍ୟ ସରକାର ଏବଂ କେନ୍ଦ୍ର ରେଳ ମନ୍ତ୍ରା‌ଳୟର ପୂର୍ବତଟ ରେଳ ବିଭାଗ ଅଧିକାରୀ କ’ଣ ଏହାକୁ ଦେଖି ପାରୁନାହାନ୍ତି କି ବୋଲି ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଯାତ୍ରୀ। ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ଯାତ୍ରୀ ଏଠୁ କି’ ଅନୁଭୂତି ନେଇ ଫେରିବେ? ଓଡ଼ିଶାରୁ ଫେରି ଭୁବନେଶ୍ବର ରେଳଷ୍ଟେସନ୍‌ ବିଷୟରେ ନିଜ ରାଜ୍ୟରେ କ’ଣ ଚର୍ଚ୍ଚା କରିବେ?

ମହାପୁରୁଷଙ୍କୁ ଏ କି ସମ୍ମାନ?

ଭୁବନେଶ୍ବର ରେଳଷ୍ଟେସନ୍‌ ପରିସରର ବିକଳ ଚିତ୍ର ଭିତରେ ଗୋଟିଏ ଦୃଶ୍ୟ ଯାତ୍ରୀଙ୍କୁ ଅଧିକ ବ୍ୟଥିତ କରୁଛି। ରାଜରାସ୍ତାକୁ ଲାଗିଥିବା ଉଦ୍ୟାନ ଭିତରେ ଛିଡ଼ା ହୋଇଛନ୍ତି ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ୍‌ ଜବାହାରଲାଲ୍‌ ନେହରୁ। ପଣ୍ଡିତ ନେହରୁଙ୍କ ଏହି ପ୍ରତିମୂର୍ତ୍ତିକୁ ୪ ଜାନୁଆରି ୧୯୮୯ ମସିହାରେ ତତ୍‌କାଳୀନ ଭାରତର ରାଷ୍ଟ୍ରପତି ଆର୍‌. ଭେଙ୍କଟରମଣଙ୍କ ଦ୍ବାରା ପଣ୍ଡିତଙ୍କ ଜନ୍ମ ଶତବାର୍ଷିକ ଉପଲକ୍ଷେ ଉନ୍ମୋଚନ କରାଯାଇଥିଲା। କିନ୍ତୁ ଦୁଃଖର ବିଷୟ, ଚାରିଆଡ଼େ ଅଳିଆ ଆବର୍ଜନା ଭିତରେ ପ୍ରତିମୂର୍ତ୍ତି ରହିଛି। ପ୍ରତିମୂର୍ତ୍ତି ଥିବା ପିଣ୍ଡି ପାଖରେ ଲୋକ ପରିସ୍ରା, ମଳତ୍ୟାଗ କରୁଛନ୍ତି। ବେକରେ ଝୁଲିଛି କେଉଁ ଦିନରୁ ପଡ଼ିଥିବା ଶୁଖିଲା ଫୁଲମାଳ। ମୁଣ୍ଡ ଉପରେ ପକ୍ଷୀମଳ ପଡ଼ିଛି। ରାତିର ଅନ୍ଧାରରେ ପଛରେ ଲାଗିଥିବା ଘରୋଇ କମ୍ପାନିର ବିଜ୍ଞାପନର କିଛି ଆଲୁଅ ନେହୁରଙ୍କ ପଛ ପାଖ‌ରେ ପଡ଼ୁଛି। ଓଡ଼ିଶାରେ ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ଏ କେମିତିକା ସମ୍ମାନ? ମାଳମାଳ ଅଧିକାରୀ, ଆଇଏଏସ୍‌, ଓଏଏସ୍‌, ନେତା, ମନ୍ତ୍ରୀ ଏହି ବ୍ୟସ୍ତବହୁଳ ସ୍ଥାନ ଦେଇ ପ୍ରତିଦିନ ବାରମ୍ବାର ଯାଉଥିବା ବେଳେ କ’ଣ କାହାର ନଜର ପଡ଼ୁନାହିଁ? ନା ଦେଖି ନ ଦେଖିଲା ଭଳି ଚାଲି ଯାଉଛନ୍ତି? ଏଥିରୁ ଆଗାମୀପିଢ଼ି କ’ଣ ଶିକ୍ଷା ପାଇବେ? ତୁରନ୍ତ ଏହାକୁ ସୁବ୍ୟବସ୍ଥିତ କରାଯିବା ପାଇଁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର