କ୍ୟାପିଟାଲ ହସ୍ପିଟାଲ୍‌ର ବିକଳ ଚିତ୍ର: ମା’କୋଳରେ ଶିଶୁ, ବାପା ହାତରେ ସାଲାଇନ୍‌

ସରିତଦୀପ ଶତପଥୀ
ଭୁବନେଶ୍ବର: ଜନତାଙ୍କୁ ଉତ୍ତମ ଗୁଣମାନର ଚିକିତ୍ସା ସେବା ଯୋଗାଉଥିବା ନେଇ ସରକାର ଡିଣ୍ଡିମ ପିଟୁଛନ୍ତି। ସ୍ବଳ୍ପ ମୂଲ୍ୟରେ ବା ନିଶୁଳ୍କ ଚିକିତ୍ସା ସେବା ଯୋଗାଇବା ପାଇଁ ବହୁ ଯୋଜନା କରାଯାଉଛି। ମାତ୍ର ରାଜ୍ୟ ରାଜଧାନୀର ପ୍ରମୁଖ ଡାକ୍ତରଖାନା କ୍ୟାପିଟାଲ୍‌ ହସ୍ପିଟାଲର ବିକଳ ଚିତ୍ରରୁ ରୋଗୀଙ୍କୁ କି ପ୍ରକାର ଉତ୍ତମ ଚିକିତ୍ସା ସେବା ମିଳୁଛି, ତାହା ଜଳଜଳ ଦେଖାଯାଉଛି। ଏଠାରେ ହସ୍ପିଟାଲ ୱାର୍ଡ ବାରଣ୍ଡାରେ ମା’ କୋଳରେ ଧରି ଶିଶୁକୁ ବସିଥାଏ ଓ ବାପା ସାଲାଇନ୍‌ ବୋତଲ ଧରି ଠିଆ ହୋଇଥିବା ଦେଖିବାକୁ ମିଳେ। ଏଠି ପ୍ରସୂତିଙ୍କୁ ହସ୍ପିଟାଲ୍‌ ବାରଣ୍ଡାରେ ମଶା ବଣ ଭିତରେ ଗଡ଼ାଇ ଦିଆଯାଏ। ଶିଶୁ ଓ ପ୍ରସୂତି ବିଭାଗର ଏଭଳି ଭୟଙ୍କର ଚିତ୍ର କୌଣସି ଦିନକର ଘଟଣା ନୁହେଁ। ବର୍ଷବର୍ଷ ଧରି ଏଭଳି ଅବ୍ୟବସ୍ଥା ଲାଗି ରହିଥିଲେ ମଧ୍ୟ ସମାଧାନ ହୋଇପାରୁନାହିଁ। ରୋଗୀସଂଖ୍ୟା ବଢ଼ୁଥିବା ସତ୍ତ୍ବେ ୱାର୍ଡରେ ଶଯ୍ୟା ବୃଦ୍ଧି କରିବା ପ୍ରତି ସରକାର ଧ୍ୟାନ ଦେଉନାହାନ୍ତି ବୋଲି ଅଭିଯୋଗ ହୋଇଆସୁଛି। ଶିଶୁ ଓ ମହିଳାଙ୍କୁ ଯେଉଁଠି ଏଭଳି ସେବା ମିଳୁଛି, ସେଠି ଅନ୍ୟ ରୋଗୀଙ୍କ ଚିକିତ୍ସା କିଭଳି କରାଯାଉଥିବ, ସହଜରେ ଅନୁମେୟ।

କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଲାଗି ରହିଥିବା ଏହି ଅବ୍ୟବସ୍ଥାକୁ ନେଇ ବିଭିନ୍ନ ସମୟରେ ବହୁ ଅଭିଯୋଗ ଆସୁଥିଲା। ଏହାର ସତ୍ୟାସତ୍ୟ ଯାଞ୍ଚ କରିବା ପାଇଁ ‘ସମ୍ବାଦ’ର ଏକ ଟିମ୍‌ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ହସ୍ପିଟାଲ୍‌ର ଏହି ଦୁଇ ୱାର୍ଡରେ ପହଞ୍ଚିଥିଲା। ଶିଶୁ ବିଭାଗର ଅବ୍ୟବସ୍ଥା ଚରମ ସୀମାରେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା। ୱାର୍ଡର ବାରଣ୍ଡାରେ ପାଦ ପକାଇବାକୁ ସ୍ଥାନ ନଥିଲା। ୱାର୍ଡ ଭିତରେ ସବୁ ଶଯ୍ୟା ଭର୍ତ୍ତି ହୋଇଯାଇଥିବାରୁ ଅନ୍ୟମାନଙ୍କୁ ବାରଣ୍ଡାରେ ପକାଇ ଚିକିତ୍ସା କରାଯାଉଥିଲା। ମଶା ଭଣଭଣ ହେଉଥିଲେ ବି ନବଜାତକମାନଙ୍କୁ ଧରି ମା’ମାନେ ବାରଣ୍ଡାରେ ପଡ଼ି ରହିଥିଲେ। ବହୁ ଛୋଟ ପିଲା ଗୁଳୁଗୁଳି ଓ ମଶା କାମୁଡ଼ା ପାଇଁ ରଡ଼ି ଛାଡ଼ି କାନ୍ଦୁଥିଲେ। ଶୌଚାଳୟ ପାଖରେ ମଧ୍ୟ କିଛି ଶିଶୁଙ୍କୁ ଧରି ମା’ମାନେ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା। ଏମିତିକି ବହୁ ଶିଶୁ ସିଡ଼ିରେ ଶୋଇଥିବା ଦେଖାଯାଇଥିଲା। ତେବେ ବଡ଼ ଦୟନୀୟ ଚିତ୍ର ଥିଲା ଜଣେ ମା’ କୋଳରେ ଛୁଆକୁ ଧରି ବସିଥିବା ବେଳେ ବାପା ସାଲାଇନ୍‌ ବୋତଲକୁ ଧରି ଠିଆ ହୋଇଥିଲେ। ଗୁରୁତର ଥିବା ଶିଶୁଟିକୁ ଶଯ୍ୟା ମିଳି ନଥିବାରୁ ବାପା ମା’ ଏଭଳି ଦୁଃଖଦ ସ୍ଥିତିରେ ଛୁଆର ଚିକିତ୍ସା କରାଉଥିଲେ। କେବଳ ସେତିକି ନୁହେଁ, ବାରଣ୍ଡାର ପରିବେଶ ବି କିଛି କମ୍ ନଥିଲା। ଖୁବ୍‌ ଅସ୍ବାସ୍ଥ୍ୟକର ପରିବେଶ ଥିଲା ବାରଣ୍ଡାର। କେଉଁଠି ବେସିନ୍‌ରୁ ପାଣି ବୋହି ତଳେ ଭାସୁଥିଲା ତ କେଉଁଠି ଭର୍ତ୍ତି ହୋଇଯାଇଥିବା ଡଷ୍ଟବିନ୍ ପାଖରେ ଅଳିଆ ଆବର୍ଜନା ଗଦା ହୋଇଥିଲା।

ଅନୁରୂପ ଅବସ୍ଥା ଦେଖିବାକୁ ମିଳିଥିଲା ପ୍ରସୂତି ବିଭାଗରେ। ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳା ଓ ନବ ପ୍ରସୂତିମାନେ ବଡ଼ କଦର୍ଯ୍ୟ ଅବସ୍ଥାରେ ବାରଣ୍ଡାରେ ପଡ଼ି ରହିଥିଲେ। ସେମାନଙ୍କ ସହ ଥିବା ବହୁ ଆଶାଦିଦି ମଧ୍ୟ ବାରଣ୍ଡାରେ ଶୋଇଥିଲେ। ବିଲେଇମାନେ ସେମାନଙ୍କ ଉପରେ ଚଢ଼ି, ଡିଆଁ ଡେଇଁ କରି ପଳାଉଥିବା ଦେଖାଯାଇଥିଲା। ଜଣେ ରୋଗୀ ସମ୍ପର୍କୀୟଙ୍କ କହିବା କଥା, ପଇସା ଥିଲେ, ଏଠି ଏମିତି ଅବସ୍ଥାରେ ରହିବାକୁ କିଏ ଇଛା କରିବ! ଗରିବ ଲୋକ ବୋଲି ବାଧ୍ୟ ହୋଇ ଭାଗ୍ୟକୁ ଆଦରି ଏଠି ପଡ଼ି ରହିଛୁ। ଯାହାର ପଇସା ଅଛି, ସେମାନେ ଏଠାରୁ ଅନ୍ୟତ୍ର ପଳାଉଛନ୍ତି। ମାତ୍ର ଆମେ ଗରିବ ଲୋକ, ଅନ୍ୟ ଡାକ୍ତରଖାନାକୁ ଯିବାକୁ ପଇସା ନାହିଁ। ତେଣୁ ଭାଗ୍ୟରେ ଯାହା ଥିବ ଭୋଗିବୁ। ସରକାର ଶଯ୍ୟା ବଢ଼ାଇଲେ, ଏଭଳି ଦଶା ଭୋଗିବାକୁ ପଡ଼ନ୍ତା ନାହିଁ ବୋଲି ସେ ବଡ଼ ବିକଳ ହୋଇ କହିଥିଲେ। ଏ ବାବଦରେ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ସମ୍ଭବ ହୋଇନଥିଲା। ତେବେ ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ଏହି ଦୁଇ ବିଭାଗର ଶଯ୍ୟା ସଂଖ୍ୟା ବୃଦ୍ଧି ପାଇଁ ସରକାରଙ୍କୁ ବହୁଥର ପ୍ରସ୍ତାବ ଦିଆଯାଇଛି। ମାତ୍ର କିଛି ଫଳ ମିଳିନାହିଁ।

ସମ୍ବନ୍ଧିତ ଖବର