ବନ୍ଦ ହେଲାଣି ୧୨ରୁ ଅଧିକ ଅଣ୍ତା ଉତ୍ପାଦନକାରୀ ଫାର୍ମ
ଆନ୍ଦୋଳନକୁ ଓହ୍ଲାଇବାକୁ ଏଓଏଲ୍ଏଫ୍ଏର ଚେତାବନୀ
ଭୁବନେଶ୍ବର : ଓଡ଼ିଶାର ଅଣ୍ତା ବ୍ୟବସାୟ ଅତ୍ୟନ୍ତ ଦୁର୍ଦ୍ଦିନ ସ୍ଥିତିରେ ପହଞ୍ଚିଛି ବୋଲି ଅଲ୍ ଓଡ଼ିଶା ଲେୟାର ଫାର୍ମର୍ସ ଆସୋସିଏସନ୍ (ଏଓଏଲ୍ଏଫ୍ଏ) ପକ୍ଷରୁ ଅଭିଯୋଗ କରାଯାଇଛି। ବ୍ୟବସାୟରେ ହେଉଥିବା କ୍ଷତିକୁ ଭରଣା କରି ନପାରି ପାଖାପାଖି ୧୨ରୁ ଅଧିକ ଅଣ୍ତା ଉତ୍ପାଦନକାରୀ ଫାର୍ମ ଇତିମଧ୍ୟରେ ବନ୍ଦ ହୋଇ ସାରିଲାଣି। ଆଉ କିଛି ବନ୍ଦ ହେବା ପରିସ୍ଥିତିରେ ପହଞ୍ଚିଛି। ଅଣ୍ତା ଉତ୍ପାଦନ ଶିଳ୍ପରେ ପ୍ରତ୍ୟକ୍ଷ ଭାବେ ୫୦ ହଜାର ଓ ପରୋକ୍ଷ ଭାବେ ଏକ ଲକ୍ଷରୁ ଅଧିକ ଲୋକ ଉପକୃତ ହେଉଛନ୍ତି। ତେବେ ଆଜିକୁ ପ୍ରାୟ ଦେଢ଼ ବର୍ଷ ହେଲା କୁକୁଡ଼ା ଖାଦ୍ୟ ପ୍ରସ୍ତୁତ ହେଉଥିବା ବିଭିନ୍ନ ଉତ୍ପାଦନର ମୂଲ୍ୟ ଅତ୍ୟଧିକ ବୃଦ୍ଧି ଯୋଗୁଁ ଅଣ୍ତାର ଉତ୍ପାଦନ ଦର ମଧ୍ୟ ତଦନୁଯାୟୀ ବୃଦ୍ଧି ପାଇଛି। ଏଭଳି ସ୍ଥିତିର ଫାଇଦା ନେଇ କିଛି ଅଣ୍ତା ବ୍ୟବସାୟୀ ବାହାର ରାଜ୍ୟରୁ ୧୦ରୁ ୧୫ ଦିନର ବାସି ଓ ନିମ୍ନମାନର ଅଣ୍ତାକୁ କମ୍ ଦରରେ ଆଣି ରାଜ୍ୟରେ ବେପାର କରୁଛନ୍ତି। ଏଥିସହ ରାଜ୍ୟର ଅଣ୍ତା ଉତ୍ପାଦନ କରୁଥିବା ଚାଷୀଙ୍କୁ ସ୍ବଳ୍ପ ମୂଲ୍ୟରେ ଅଣ୍ତା ବିକ୍ରି କରିବା ପାଇଁ ବାଧ୍ୟ କରୁଛନ୍ତି। ଏହାଦ୍ବାରା ଚାଷୀମାନେ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହୁଛନ୍ତି ବୋଲି ସଂଘ ଅଭିଯୋଗ କରିଛି।
/sambad/media/post_attachments/wp-content/uploads/2020/02/A-tray-of-eggs._16bdc16903d_large.jpg)
ରାଜ୍ୟ ସରକାରଙ୍କ ପରିଚାଳିତ ବିଭିନ୍ନ କାର୍ଯ୍ୟକ୍ରମରେ ବାହାର ରାଜ୍ୟରୁ ଆମଦାନୀ ହେଉଥିବା ଅଣ୍ତା ବଣ୍ଟନ ହେଉଛି। ଏହାଦ୍ବାରା ଶିଶୁ ଓ ଗର୍ଭବତୀ ମହିଳାଙ୍କ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି। ତେବେ କେତେକ ବ୍ୟବସାୟୀ ଉପରୋକ୍ତ ଭୟଙ୍କର ସ୍ଥିତିକୁ ଖାତିର ନକରି ନିଜର ଲାଭ ପାଇଁ ନିମ୍ନମାନର ଅଣ୍ତାକୁ ବିକ୍ରି କରି ଚାଲିଛନ୍ତି। ବାରମ୍ବାର ବାରଣ ସତ୍ତ୍ବେ ସେମାନେ କର୍ଣ୍ଣପାତ କରୁନାହାନ୍ତି। ଜାତୀୟ ଅଣ୍ତା ସମନ୍ବୟ କମିଟି(ଏନ୍ଇସିସି) ଦ୍ବାରା ସର୍ବଭାରତୀୟ ସ୍ତରରେ ଅଣ୍ଡାର ଦର ପ୍ରତିଦିନ ଧାର୍ଯ୍ୟ ହୋଇଥାଏ। କିନ୍ତୁ ଏହି ସ˚ସ୍ଥାରେ ସଭ୍ୟ ଥିବା କିଛି ଅସାଧୁ ଓ ଖଳ ପ୍ରକୃତିର ଲୋକ ନିଜର ସ୍ବାର୍ଥ ପାଇଁ ଅଣ୍ତା ଦରକୁ ନିଜର ନିୟନ୍ତ୍ରଣରେ ରଖୁଛନ୍ତି। କମ୍ ଦର ଧାର୍ଯ୍ୟ କରୁଛନ୍ତି। ଫଳରେ ରାଜ୍ୟର କୁକୁଡ଼ା ଚାଷୀମାନେ ଅଣ୍ତାର ସର୍ବନିମ୍ନ ଉତ୍ପାଦନ ମୂଲ୍ୟ ପାଇପାରୁ ନାହାନ୍ତି। ଏନ୍ଇସିସିକୁ ଏଓଏଲ୍ଏଫ୍ଏ ପକ୍ଷରୁ ବାରମ୍ବାର ଅନୁରୋଧ କରିବା ସତ୍ତ୍ବେ ତାଙ୍କର ମନୋଭାବରେ କୌଣସି ପରିବର୍ତନ ହେଉ ନାହିଁ।
ଏନ୍ଇସିସିର ଏଭଳି ମନମୁଖୀ କାର୍ଯ୍ୟ ଉପରେ ରାଜ୍ୟ ସରକାର କଟକଣା ଲଗାଇ କିଛି ପରିବର୍ତନ ପାଇଁ ଚେଷ୍ଟା କରନ୍ତୁ। ଓଡ଼ିଶାରେ ଉତ୍ପାଦିତ ହେଉଥିବା ସତେଜ ଅଣ୍ଡା ଯେପରି ମହିଳା, ଶିଶୁ ଓ ସାଧାରଣ ଖାଉଟି ପାଇପାରିବେ, ସେଥିପାଇଁ ନୀତି ନିର୍ଦ୍ଧାରଣ କରନ୍ତୁ। ବାହାର ରାଜ୍ୟରୁ ଆସୁଥିବା ବାସି ତଥା ନିମ୍ନମାନର ଅଣ୍ଡା ଆମଦାନି ବନ୍ଦ କରନ୍ତୁ। ନ ହେଲେ ଆଗାମୀ ଦିନରେ ରାଜ୍ୟ ଭିତରକୁ ପ୍ରବେଶ କରୁଥିବା ସମସ୍ତ ତନଖି ଫାଟକରେ ଅଣ୍ଡା ଆମଦାନିକୁ ବନ୍ଦ କରି ଦିଆଯିବ ବୋଲି ଏଓଏଲ୍ଏଫ୍ଏର ସାଧାରଣ ସମ୍ପାଦକ ସରୋଜ କୁମାର ପାତ୍ର କହିଛନ୍ତି।