ନନ୍ଦନକାନନ ପାଇଁ ଅଶୁଭ ଶନିବାର: ଚିତି କାମୁଡ଼ାରେ ଆଖି ବୁଜିଲା‌ ଗଙ୍ଗା, ଇସ୍ରାଏଲ୍‌ରୁ ଆସିଥିଲା

ଟ୍ରାନ୍ସମିଟର ଲାଗିଥିବା ବଜ୍ରକାପ୍ତା ମୃତ

ବାରଙ୍ଗ : ଗତକାଲି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଥିଲା ଅଶୁଭ ଶନିବାର। ଏକ ବିଷଧର ଚିତି ବୋଡ଼ା ସାପ କାମୁଡ଼ାରେ ଇସ୍ରାଏଲ୍‌ରୁ ଆସିଥିବା ସିଂହୀ ଗଙ୍ଗାର ମୃତ୍ୟୁ ଘଟିଛି। ଏହି ୧୨ ବର୍ଷୀୟା ଯୁବା ସିଂହୀର ମୃତ୍ୟୁ ନନ୍ଦନକାନନରେ ଶୋକର ଛାୟା ଖେଳାଇ ଦେଇଥିଲା। ୨୦୦୫ ମସିହା ପରେ ନନ୍ଦନକାନନରେ ଏହା ଦ୍ବିତୀୟ ଅଘଟଣ। ସେହିବର୍ଷ ଏମିତି ସାପ କାମୁଡ଼ାରେ କାବେରୀ ଓ କରିସ୍ମା ଦୁଇ ସିଂହୀଙ୍କର ମୃତ୍ୟୁ ହୋଇଥିଲା।

ସକାଳୁ ସକାଳୁ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ସକାଳ ପ୍ରାୟ ସାଢ଼େ ୮ଟା ବେଳେ ସମ୍ପୃକ୍ତ ଜନ୍ତୁରକ୍ଷକ ୩୦ ନମ୍ବର ଖୁଆଡ଼ ବୁଲିବାକୁ ଯିବା ବେଳେ ସିଂହୀ ଗଙ୍ଗା ଛଟପଟ ହେଉଥିବା ଦେଖିଥିଲେ। ସେ ତୁରନ୍ତ ବନରକ୍ଷୀଙ୍କୁ ସୂଚନା ଦେଇଥିଲେ। ଅଚାନକ ଗଙ୍ଗାର ଏଭଳି ଗୁରୁତର ଅବସ୍ଥା ବାବଦରେ ଖବର ପ୍ରଚାରିତ ହେବା ମାତ୍ରେ ପ୍ରାଣୀ ଚିକିତ୍ସାକେନ୍ଦ୍ରର ଡାକ୍ତର ଓ ଅନ୍ୟମାନେ ୩୦ ନମ୍ବର ଖୁଆଡ଼କୁ ଧାଇଁଥିଲେ। ପ୍ରାଣୀ ଚିକିତ୍ସକ ଡା. ଶରତ ସାହୁ ଦେଖୁଦେଖୁ ବୁଝିଯାଇଥିଲେ ଯେ ଗଙ୍ଗାକୁ କୌଣସି ବିଷଧର ସାପ କାମୁଡ଼ିଛି। ତେଣୁ ସେ ନିଜ ସହକର୍ମୀମାନଙ୍କ ସହାୟତାରେ ତାକୁ ଆଣ୍ଟିଭେନମ୍‌ ଟିକା ଦେଇଥିଲେ। ମାତ୍ର ସେତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା। ମାତ୍ର ପାଞ୍ଚ ମିନିଟ୍‌ ଭିତରେ ଗଙ୍ଗା ସବୁ ଦିନ ପାଇଁ ଆଖି ବୁଜି ଦେଇଥିଲା।

ନନ୍ଦନକାନନରେ ଶୋକର ଛାୟା

ଗଙ୍ଗାକୁ ବଞ୍ଚାଇବାକୁ ଭିନ୍ନ ବ୍ୟବସ୍ଥା କରାଯିବା ପୂର୍ବରୁ ସେ ଶେଷ ନିଃଶ୍ବାସ ଛାଡ଼ିଦେଇଥିଲା। ଏହା ଭିତରେ କର୍ମଚାରୀମାନେ ଖୁଆଡ଼ ପରିସରକୁ ତନ୍ନତନ୍ନ କରି ଖୋଜିଥିଲେ। କିଛି ସମୟ ପରେ ଖୁଆଡ଼ର ପାଣି କୁଣ୍ଡ ନିକଟରେ ସେମାନେ ସାପକୁ ଠାବ କରିଥିଲେ। ସାପଟି ଜଙ୍ଗଲି ଚିତି ବୋଡ଼ା ବୋଲି ଚିହ୍ନଟ ହୋଇଥିଲା। ଜଣେ କର୍ମଚାରୀ ବାଡ଼ି ପକାଇ ସାପଟିକୁ କାବୁ କରିଥିଲେ। ଏହାର ଲମ୍ବ ଥିଲା ୩ଫୁଟ୍। ସାପଟିକୁ ଆଣି ସରୀସୃପ ଉଦ୍ୟାନ ପରିସରରେ ରଖାଯାଇଛି। ଓୟୁଏଟି ଡିନ୍ ତଥା ନିଦାନ ବିଭାଗର ମୁଖ୍ୟ ପ୍ରଫେସର ସୁଷେଣ ପଣ୍ଡା ଗଙ୍ଗାର ମୃତଦେହ ବ୍ୟବଚ୍ଛେଦ କରିଛନ୍ତି। ବ୍ୟବଚ୍ଛେଦରୁ ଜଣାପଡ଼ିଛି ଯେ ଗଙ୍ଗା ଶରୀରରେ ବିଷ ପ୍ରକ୍ରିୟା ଯୋଗୁଁ ସ୍ନାୟୁ ନିଷ୍କ୍ରିୟ ହେବା ସହିତ ମସ୍ତିସ୍କ ପ୍ରଭାବିତ ହୋଇଛି। ସୂଚନାଯୋଗ୍ୟ, ଏହି ଏସୀୟ ସିଂହୀ ଗଙ୍ଗାକୁ ୨୦୧୫ ସେପ୍ଟେମ୍ବର ୧୩ରେ ଇସ୍ରାଏଲ୍‌ ତେଲ୍‌ଆବିଭ୍‌ରୁ ନନ୍ଦନକାନନ ଅଣାଯାଇଥିଲା। ଏବେ ନନ୍ଦନକାନନରେ ଆଉ ୧୬ଟି ସିଂହ ଅଛନ୍ତି। ସେମାନଙ୍କ ମଧ୍ୟରେ ଏକମାତ୍ର ଆଫ୍ରିକୀୟ ସିଂହୀ ‘ବିନି’ ରହିଛି। ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ବର୍ଣ୍ଣଶଙ୍କର (ହାଇବ୍ରିଡ) ପ୍ରଜାତୀର ୭ ସିଂହ ଓ ବାକି ୮ଟି ଏସୀୟ।

ଟ୍ରାନ୍ସମିଟର ଲାଗିଥିବା ବଜ୍ରକାପ୍ତା ମୃତ
ବାରଙ୍ଗ : ଯୁବା ସିଂହୀ ଗଙ୍ଗା ସାପ କାମୁଡ଼ାରେ ମରିବା ପରେ ଶନିବାର ଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଉ ଏକ ବନ୍ୟପ୍ରାଣୀର ମୃତ୍ୟୁ ହୋଇଛି। ଟ୍ରାନ୍ସମିଟର ଲାଗିଥିବା ଏକ ମାଈ ବଜ୍ରକାପ୍ତାର ମୃତ୍ୟୁ ହୋଇଛି। ୧୦ ବର୍ଷ ବୟସର ଏହି ମାଈ ବଜ୍ରକାପ୍ତାଟି ଗତ କିଛି ଦିନ ହେଲା ହଠାତ୍ ଅସୁସ୍ଥ ହୋଇପଡ଼ିଥିବାରୁ ତାକୁ ଚିକିତ୍ସାଧୀନ ଅବସ୍ଥାରେ ରଖାଯାଇଥିଲା। ଆଜି ଏହାର ମୃତ୍ୟୁ ଫଳରେ ବଜ୍ରକାପ୍ତାକୁ ନେଇ ଚାଲିଥିବା ଗବେଷଣା ବାଧାପ୍ରାପ୍ତ ହୋଇଛି। ତେଣୁ ଆଜି ଶନିବାରଟି ନନ୍ଦନକାନନ ପାଇଁ ବେଶ୍ ଅଶୁଭ ବୋଲି ଚର୍ଚ୍ଚା ହେଉଛି।

ଏହି ବଜ୍ରକାପ୍ତାଟିକୁ ଗତ ଡିସେମ୍ବର ମାସରେ ପାରଳାଖେମୁଣ୍ଡିରୁ ଉଦ୍ଧାର କରାଯାଇ ନନ୍ଦନକାନନକୁ ଅଣାଯାଇଥିଲା। ତା’ ଦେହରେ ଟ୍ରାନ୍ସମିଟର ଲଗାଇ ତାକୁ ନନ୍ଦନକାନନ ପରିସର ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା। ବଜ୍ରକାପ୍ତାଙ୍କ ଜୀବନଯାପନ ପଦ୍ଧତି ଓ ବଂଶବୃଦ୍ଧି ଉପରେ ଗବେଷଣା କରିବା ପାଇଁ ତା’ ଦେହରେ ଟ୍ରାନ୍‌ସମିଟର ଖଞ୍ଜା ଯାଇଥିଲା। ଏହା ଭିତରେ ସେ ନନ୍ଦନକାନନ ପରିସରରୁ ବାହାରି ପ୍ରାୟ ତିନି କଲୋମିଟର ଦୂର ପୁରୁଣା ବାରଙ୍ଗ ପର୍ଯ୍ୟନ୍ତ ଚାଲିଯାଇଥିଲା। ତେବେ ଟ୍ରାନ୍‌ସମିଟର ଯୋଗୁଁ ତାକୁ ସହଜରେ ଠାବ କରାଯାଇ ପୁଣି ସେଠାରୁ ତାକୁ ନନ୍ଦନକାନନକୁ ଫେରାଇ ଅଣାଯାଇଥିଲା। ବଡ଼ କଥା ହେଉଛି, ଏହା ଭିତରେ ସେ ଏକ ଅଣ୍ଡିରା ବଜ୍ରକାପ୍ତା ସହ ମିଶିଥିଲା। ଏହି ମିଳନରୁ କିଛି ବଜ୍ରକାପ୍ତା ଶାବକ ନନ୍ଦନକାନନକୁ ମିଳିବ ବୋଲି କର୍ତ୍ତୃପକ୍ଷ ଆଶାବାଦୀ ଥିଲେ। ମାତ୍ର ଏବେ ତା’ର ମୃତ୍ୟୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଆଶାକୁ ନିରାଶାରେ ପରିଣତ କରିଛି। ସୂଚନାଯୋଗ୍ୟ, ଏହାର ମୃତ୍ୟୁ ପରେ ନନ୍ଦନକାନନରେ ଆଉ ୨୫ଟି ବଜ୍ରକାପ୍ତା ଅଛନ୍ତି।

ସମ୍ବନ୍ଧିତ ଖବର