ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସେବା ବିପର୍ଯ୍ୟସ୍ତ

ମିଳୁନି ୨୪ ଘଣ୍ଟିଆ ଚିକିତ୍ସା

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଞ୍ଚଳର ବାଳକାଟିରେ ଥିବା ଏକମାତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏବେ ରୋଗୀ ସେବା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ସ୍ୱାସ୍ଥ୍ୟ ବିଭାଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିୟମ ଆଧାରରେ ଏଠାରେ ରୋଗୀଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ମିଳୁନି। ବିଭିନ୍ନ ବିଭାଗରେ ଆବଶ୍ୟକ ହେଉଥିବା ଡାକ୍ତର, ନର୍ସ ଓ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇ ନଥିବାରୁ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ଏକରକମ ଠପ୍‌ ହୋଇଯାଇଛି। ଏନେଇ ବାଲିଅନ୍ତାବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ଜଣେ ଡାକ୍ତରଙ୍କ ସୂଚନାନୁସାରେ, ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ମିଶାଇ ଶିଶୁ, ସ୍ତ୍ରୀରୋଗ, ସର୍ଜରି ଏବଂ ମେଡିସିନ୍‌ ବିଭାଗରେ ଅନ୍ୟୁନ ୫ଜଣ ବିଶେଷଜ୍ଞ ନିଯୁକ୍ତି ପାଇବା କଥା। ହେଲେ ଏଠାରେ ଜଣେ ମାତ୍ର ସ୍ତ୍ରୀ ରୋଗ ବିଶେଷଜ୍ଞ ଓ ଅନ୍ୟ ୩ ଜଣ ଆୟୁଷ ଡାକ୍ତରଙ୍କ ସମେତ ହୋମିଓପ୍ୟାଥିକ୍‌ ଡାକ୍ତରଙ୍କୁ ନେଇ ଚାଲିଛି ସ୍ୱାସ୍ଥ୍ୟସେବା। ସେହିପରି ୬ ଜଣ ନର୍ସଙ୍କ ସ୍ଥାନରେ ୪ ଜଣ ଅଛନ୍ତି। ଏଠାରେ ଜଣେ ବି ସୁଇପର୍‌ ନାହାନ୍ତି। ଏଭଳି ସ୍ଥିତିରେ ଜରୁରୀକାଳୀନ ଆଉଟ୍‌ଡୋର୍‌ ଓ ଇନ୍‌ଡୋର ସେବା ପ୍ରଦାନ କ୍ଷେତ୍ରରେ ସମସ୍ୟା ଉପୁଜିଛି। ଏପରି ଅବ୍ୟବସ୍ଥା ଯୋଗୁ ଏଠାକୁ ଆସୁଥିବା ରୋଗୀ ଉପଯୁକ୍ତ ଚିକିତ୍ସା ସେବା ନପାଇ ଅନ୍ୟତ୍ର ଯିବାକୁ ବାଧ୍ୟ ହେଉଛନ୍ତି। ଖାଲି ସେତିକି ନୁହେଁ, ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ମାଗଣା ଔଷଧ ମଧ୍ୟ ରୋଗୀମାନଙ୍କୁ ମିଳୁ ନଥିବା ଅଭିଯୋଗ ହେଉଛି। ପାଥୋଲାବ୍‌ ସେବା ମିଳୁନି। ଡାକ୍ତରଖାନା ପରିସରରେ ଥିବା ଭଙ୍ଗା ଓ ମୁକୁଳା ଓଭରହେଡ୍‌ ସିନ୍ଥେଟିକ୍‌ ପାଣିଟାଙ୍କିରୁ କ୍ୱାର୍ଟର୍ସ ଓ ବିଭିନ୍ନ ଓ୍ଵାର୍ଡକୁ ପ୍ରଦୂଷିତ ପାନୀୟ ଜଳ ଯୋଗାଇ ଦିଆଯାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ବରିଷ୍ଠ ନାଗରିକ ତଥା ସମାଜସେବୀ ମାଧବ ମହାପାତ୍ରଙ୍କ କହିବାନୁଯାୟୀ, ରୋଗୀ କଲ୍ୟାଣ ସମିତି ଅର୍ଥ ବାଟବଣା ହେଉଛି। ଡାକ୍ତରଖାନାର ବିକାଶ ଏବଂ ରୋଗୀମାନଙ୍କ ଉଦ୍ଦେଶ୍ୟରେ ଏହାକୁ ବ୍ୟୟ ଅଟକଳ କରା ନଯାଇ ସୌଖୀନ ସାମଗ୍ରୀ ଖର୍ଚ ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ବାଟମାରଣା ହେଉଛି। ଡାକ୍ତରଖାନାର ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିୟମିତ ଭାବେ ଆସୁ ନଥିବା ଭଳି ଗୁରୁତର ଅଭିଯୋଗ ଆସିଛି। ଅନ୍ୟପକ୍ଷରେ କାର୍ଯ୍ୟରତ ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ପ୍ରଦୀପ୍ତ ସାହୁ ତାଙ୍କ ବିରୋଧରେ ହୋଇଥିବା ଏଭଳି ଅଭିଯୋଗକୁ ସଂପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି। ତେବେ ରୋଗୀ ସେବାଠାରୁ ଆରମ୍ଭ କରି ଡାକ୍ତରଖାନାର ସାମଗ୍ରିକ ବିକାଶ ଦିଗରେ ଜିଲ୍ଲା କର୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର