ଭୁବନେଶ୍ୱର : ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଘନ କୁହୁଡ଼ି ଯୋଗୁଁ ମଙ୍ଗଳବାର ବିଳମ୍ବିତ ରାତିରେ ବିମାନ ଉଡ଼ାଣ ପ୍ରଭାବିତ ହୋଇଛି। ଏପରିକି କ୍ୱାଲାଲମ୍ପୁରରୁ ଭୁବନେଶ୍ୱର ଆସୁଥିବା ଏୟାର ଏସିଆ ବିମାନ ରନେଓ୍ଵ ଉପରେ ପ୍ରାୟ ଅଧ ଘଣ୍ଟା ଚକ୍କର କାଟିବା ପରେ ଅବତରଣ କରି ନପାରି ବିଶାଖାପାଟଣାରେ ଅବତରଣ କରିଥିଲା। ଆଜି ରାତି ୮ଟା ୩୦ରେ ଯାତ୍ରୀଙ୍କୁ ନେଇ କ୍ୱାଲାଲମ୍ପୁର ଅଭିମୁଖେ ଯିବାର ଥିଲେ ହେଁ ବିମାନର ଉଡ଼ାଣ ବାତିଲ୍ କରିଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିମାନବନ୍ଦର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ବିମାନବନ୍ଦର ଅଞ୍ଚଳରେ ଭିଜିବିଲିଟି ପୂରା କମି ଯାଇଥିଲା। ଏପରିକି ୫୦ମିଟରକୁ ଖସି ଯାଇଥିଲା। ଏଥିରେ ବିମାନ ଅବତରଣ କରିବା ସମ୍ଭବ ନଥିବାରୁ ଏଟିସି ବିମାନ ଅବତରଣ କରିବାକୁ ଅନୁମତି ଦେଇନଥିଲା। ରାତି ୧୧ଟା ୨୫ରେ ବିମାନଟି ଅବତରଣ କରିବାକୁ ଥିଲେ ହେଁ ରାତି ୧୧ଟା ୧୫ରୁ ୧୧ଟା ୪୫ପର୍ଯ୍ୟନ୍ତ ରନେଓ୍ଵ ଉପରେ ଚକ୍କର କାଟିଥିଲା। ଘନ କୁହୁଡ଼ି ନ କମିବାରୁ ବିମାନକୁ ବିଶାଖାପାଟଣା ବିମାନବନ୍ଦରକୁ ଡାଇଭର୍ଟ କରାଯାଇଥିଲା। ସେଠାରେ ଯାତ୍ରୀଙ୍କୁ ବିଭିନ୍ନ ହୋଟେଲରେ ରଖାଯାଇଥିଲା। ଏପରିକି ଭୋର୍ ପର୍ଯ୍ୟନ୍ତ ଯାତ୍ରୀଙ୍କୁ ହୋଟେଲକୁ ନ ନେଇ ବିମାନବନ୍ଦରରେ ରଖିବାରୁ ବିଶାଖାପାଟଣା ବିମାନବନ୍ଦରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିମାନ ଯାତ୍ରୀ ଓ ଏୟାର ଏସିଆ କର୍ତ୍ତୃପକ୍ଷଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଶେଷରେ ଯାତ୍ରୀଙ୍କୁ ବିଭିନ୍ନ ହୋଟେଲରେ ରଖାଯାଇଥିଲା। ଏହି ଯାତ୍ରୀମାନଙ୍କୁ ବିଭିନ୍ନ ବିମାନରେ ଭୁବନେଶ୍ୱର ପଠାଯାଇଛି।
ଅପରପକ୍ଷେ ଆଜି କ୍ୱାଲାଲମ୍ପୁରରୁ ଭୁବନେଶ୍ୱର ଉଡ଼ାଣ ବାତିଲ୍ ହୋଇଥିବାବେଳେ ଭୁବନେଶ୍ୱରରୁ କ୍ୱାଲାଲମ୍ପୁର ଉଡ଼ାଣ ଶେଷ ମୁହୂର୍ତ୍ତରେ ବାତିଲ୍ କରାଯାଇଛି ବୋଲି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ସୂଚନା ଦେଇଛନ୍ତି।
ସେହିପରି ମଙ୍ଗଳବାର ବିଳମ୍ବିତ ରାତିରେ ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ଇଣ୍ଡିଗୋ ବିମାନ ଏଠାରେ ରାତି ୧୨ଟା ୩୦ରେ ଅବତରଣ କରିବାର ଥିଲେ ହେଁ ଘନ କୁହୁଡ଼ି ଯୋଗୁଁ ଅବତରଣ କରିପାରିନି। ଏହାକୁ କୋଲକତାକୁ ଡାଇଭର୍ଟ କରାଯାଇଥିଲା। ଆଜି ସକାଳୁ ଏହି ଯାତ୍ରୀମାନେ ଭୁବନେଶ୍ୱର ଫେରିଛନ୍ତି।
ସେହିପରି ଆଜି ବହୁ ବିମାନ ବିଳମ୍ବରେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିଛି।