ଭୁବନେଶ୍ବର: ବଡ଼ଦିନ ଉପଲକ୍ଷେ ଆଜି ସହର ସମେତ ବିଭିନ୍ନ ପର୍ଯ୍ୟଟନସ୍ଥଳୀ‌ରେ ଦିନତମାମ ଭିଡ଼ ଲାଗି ରହିଥିଲା। ସଂଧ୍ୟା ବେଳକୁ ରସୁଲଗଡ଼ ଛକରେ ସ୍ଥିତି ଅସମ୍ଭାଳ ହୋଇଯାଇଥିଲା। ସଂଧ୍ୟା ୬ଟାରୁ ରାତି ପ୍ରାୟ ସାଢ଼େ ୮ଟା ପର୍ଯ୍ୟନ୍ତ ଲୋକେ ଜାମ୍‌ରେ ଫସି ରହିଥିଲେ। ରସୁଲଗଡ଼ ଛକଠାରୁ ଆରମ୍ଭ କରି ବମିଖାଲ ପର୍ଯ୍ୟନ୍ତ ଉଭୟ ପଟ ରାସ୍ତାରେ ଶହ ଶହ କାର୍, ବାଇକ୍‌ ଫସି ରହିଥିଲେ। ଚକ, ଅଖ ସବୁ ଜାମ୍‌ ହୋଇଯାଇଥିଲା। ଗହଳି ଏତେ ହୋଇଥିଲା ଯେ ଲୋକେ ଗାଡ଼ି ବନ୍ଦ କରି ସେହିଠାରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ରହିଥିଲେ।

Advertisment

ସୂଚନାନୁଯାୟୀ, ବଡ଼ ଦିନ ପାଇଁ ଏଠାରେ ଥିବା ଏସ୍‌ପ୍ଲାନେଡ଼୍‌ ମଲ୍‌ରେ ନାଚ ଗୀତର ଆସର ଜମିଥିଲା। ଏଥିରେ ସାମିଲ୍‌ ହେବା ପାଇଁ ସନ୍ଧ୍ୟ‌ା ପରଠୁ ମଲ୍‌ରେ ଅସମ୍ଭାଳ ଭିଡ଼ ହୋଇଯାଇଥିଲା। ବାଇକ୍‌, କାରର ଲମ୍ବା ଧାଡ଼ି ଏସ୍‌ପ୍ଲାନେଡ଼୍‌ ଭିତରକୁ ଲମ୍ବିଥିଲା। ଫଳରେ ଅନ୍ୟ ଗାଡ଼ିଗୁଡ଼ିକ ରାସ୍ତା ଅତିକ୍ରମ କରିବା ପାଇଁ ବିଳମ୍ବ ହୋଇଥିଲା। ଯାହାଦ୍ବାରା ଗୋଟେ ପରେ ଗୋଟେ ଗାଡ଼ି ରାସ୍ତାରେ ଭିଡ଼ ସୃଷ୍ଟି କରିଥିଲା। ଏପଟେ ରସୁଲଗଡ଼ ଫରେନ୍‌ସିକ୍‌ ଲାବରୋଟାରି ପର୍ଯ୍ୟନ୍ତ ଗାଡ଼ିର ଲମ୍ବା ଧାଡ଼ି ଲାଗିଥିବା‌ ବେଳେ ବମିଖାଲ ପାର୍ଶ୍ବରେ ମଧ୍ୟ ସେହିଭଳି ଦୁର୍ଗା ମଣ୍ଡପ ପର୍ଯ୍ୟନ୍ତ ଧାଡ଼ି ଲମ୍ବିଥିଲା। ଜାମ୍‌ରୁ ବର୍ତ୍ତିବା ପାଇଁ କିଛି ଲୋକ ଓଭରବ୍ରିଜ୍‌ରେ ରଙ୍ଗ୍‌ ରୁଟ୍‌ରେ ମଧ୍ୟ ଚଢ଼ି ଯାଇଥିଲେ।