ପୁରୁଣା ଭୁବନେଶ୍ବର: ବର୍ଷା ଆସିଲେ ନିଦ ହଜି ଯାଉଛି। ଘରେ ନାଳ ପାଣି ଲହଡ଼ି ମାରିବା ଭୟରେ ଆତଙ୍କିତ ହୋଇ ପଡ଼ୁଛନ୍ତି। କିଏ ଘରର ମୁଖ୍ୟ ଦ୍ବାରରେ ୪ ଫୁଟ୍ ଉଚ୍ଚାର ପାଚେରି କରି ବାଡ଼ିପଟେ ରାସ୍ତା ଖୋଲିଛି ତ ଆଉ କିଏ ଘର ଚଟାଣକୁ ୪ଫୁଟ୍ ପୋତି ଦେଇ ଉଚ୍ଚା କରି ଦେଇଛି। ଯିଏ କିଛି କରିପାରିନି, ସେ ନାଳପାଣିରେ ଉବୁଟୁବୁ ହେଉଛି। ଗତ ୪ ବର୍ଷ ହେଲା ଏମିତି ସଂତ୍ରସ୍ତ ଅବସ୍ଥାରେ ଅଛନ୍ତି ବଡ଼ଗଡ଼ ବ୍ରିଟ୍ର ଇଏ କଲୋନିର ୨ଶହ ପରିବାର।
ଡ୍ରେନ୍ ନିର୍ମାଣରେ ପୂର୍ତ୍ତ ବିଭାଗର ତ୍ରୁଟି ଯୋଗୁଁ ଜଳ ନିଷ୍କାସନ ହୋଇପାରୁନାହିଁ। ଅସରାଏ ବର୍ଷାରେ ନଳାରୁ ପାଣି ଉଛୁଳି ଘର ଭିତରେ ପଶୁଛି। ବିଏମ୍ସି କେବଳ ପୂର୍ତ୍ତ ବିଭାଗକୁ ତାଗିଦ୍ କରୁଛି। ସମନ୍ବୟ ବୈଠକରେ ଏହାକୁ ନେଇ ହୋ-ହଲ୍ଲା ହେଉଛି। ହେଲେ ଇଏ କଲୋନି ବାସିନ୍ଦାଙ୍କ ଦୁଃଖ ଯାଉନି। ପୂର୍ତ୍ତ ବିଭାଗର ନିକଟ ଭବିଷ୍ୟତରେ ଏ ନେଇ କୌଣସି ଯୋଜନା ନାହିଁ କିମ୍ବା ବିଏମ୍ସି ପାଖରେ ମଧ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନାହିଁ। ଏଣୁ ଆସନ୍ତା ବର୍ଷାଋତୁରେ ଇଏ କଲୋନି ବାସିନ୍ଦା ପୂର୍ବବର୍ଷ ଭଳି ନଳାପାଣିରେ ଭାସିବା ଥୟ ହୋଇଛି।
ତିନିରୁ ଚାରି ଦଶନ୍ଧି ତଳେ ବିଡିଏଠାରୁ ଜମି କିଣି ଏହି ଇଏ କଲୋନି ବାସିନ୍ଦା ବସବାସ ଆରମ୍ଭ କରିଥିଲେ। ପୂର୍ତ୍ତ ବିଭାଗର ରାସ୍ତାକଡ଼ରେ ଏହି କଲୋନି ରହିଥିବାରୁ ରାସ୍ତା କଡ଼ରେ ପୂର୍ତ୍ତ ବିଭାଗ ଡ୍ରେନ୍ ନିର୍ମାଣ କରିଥିଲା। ଜଗନ୍ନାଥ ଆଶ୍ରମଠାରୁ ବଡ଼ଗଡ଼ ଛକ ଆଡ଼କୁ ରାସ୍ତାର ଦୁଇ ପାଖରେ ଡ୍ରେନ୍ ହୋଇଥିଲା। ପୁରୁଣା ଡ୍ରେନ୍ ଯେଉଁ ଓସାରରେ ଥିଲା ନୂଆ ଡ୍ରେନ୍ ତା’ଠାରୁ କମ୍ ଓସାରର ହେଲା ଓ ଏହାର ଗଭୀର ପ୍ରାୟ ୭ ଫୁଟ୍ ରହିଲା। ଏହି ୭ ଫୁଟ୍ ଗଭୀର ଡ୍ରେନ୍ ଜଗନ୍ନାଥ ଆଶ୍ରମଠାରୁ ଗଙ୍ଗୁଆ ନାଳ ଆଡ଼କୁ ଯାଇଥିବା ଡ୍ରେନ୍ ସହ ସଂଯୋଗ କରାଗଲା, ଯାହାର ଗଭୀର ଥିଲା ୩ ଫୁଟ। ଫଳରେ ୭ ଫୁଟ୍ ଗଭୀର ଡ୍ରେନ୍ରେ ଆସୁଥିବା ନଳାପାଣି ୩ ଫୁଟ୍ ଗଭୀର ଡ୍ରେନ୍ରେ ନିଷ୍କାସନ ହୋଇ ନପାରିବାରୁ ସବୁ ପାଣି ଇଏ କଲୋନି ଭିତରକୁ ପଶିଗଲା। ରାସ୍ତା ଉପରେ ନଳାପାଣି ସୁଅ ପଡ଼ିଲା। ରାସ୍ତା କଡ଼ରେ ଥିବା ଘର ଭିତରେ ପଶିଗଲା।
ବର୍ଷ ବର୍ଷ ଧରି ସ୍ଥାନୀୟ ବାସିନ୍ଦା ଏଭଳି ଯନ୍ତ୍ରଣା ପାଇଲେ। ବିଭିନ୍ନ ସମୟରେ ଏମାନେ ପୂର୍ତ୍ତ ବିଭାଗ ପାଖରୁ ହତାଶ ହେବା ପରେ ବିଏମ୍ସିର ଦ୍ବାରସ୍ଥ ହେଲେ। କିନ୍ତୁ ଉଭୟ ନଳା ପୂର୍ତ୍ତ ବିଭାଗର ହୋଇଥିବାରୁ ବିଏମ୍ସି ହାତ ଟେକି ଦେଲା। ଏଣୁ କିଛି ଲୋକ ଘରର ମୁଖ୍ୟଦ୍ବାରରେ ପାଚେରି କରି ନଳା ପାଣିକୁ ରୋକିବାକୁ ଉଦ୍ୟମ କଲେ। କେହି କେହି ଘରର ମୁଖ୍ୟ ଦ୍ବାରକୁ ସମ୍ପୂର୍ଣ୍ଣ ବନ୍ଦ କରି ବାଡ଼ିପଟେ ଦୁଆର ଖୋଲିଲେ। ହେଲେ ନଳାପାଣିରୁ ନିସ୍ତାର ମିଳିଲା ନାହିଁ। ଏବେ ବଡ଼ଗଡ଼ ଛକରୁ ଜଗନ୍ନାଥ ଆଶ୍ରମ ପର୍ଯ୍ୟନ୍ତ ଦେଢ଼ କିଲୋମିଟର ରାସ୍ତା ଚାରି ଥାକିଆ କରିବାକୁ ପୂର୍ତ୍ତ ବିଭାଗ ଯୋଜନା ହୋଇଛି। ୪ କୋଟି ୨୮ ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ରାସ୍ତା ପାଇଁ ଗତ ଫେବ୍ରୁଆରି ମାସରେ ଶୁଭ ଦିଆଯାଇଛି। ଏହାର କଡ଼େ କଡ଼େ ପୁରୁଣା ଡ୍ରେନ୍କୁ ତାଡ଼ି ନୂଆ ଡ୍ରେନ୍ ହେବ। କିନ୍ତୁ ଏଥିରେ ବି ସମସ୍ୟା ସମାଧାନ ହେବ ନାହିଁ।
ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ପାଣ୍ଡବନଗର ଓ ବ୍ରିଟ୍ କଲୋନିରୁ ଆସୁଥିବା ପାଣିକୁ ଚାରିଛକ ନିକଟରେ ଇବି-୩୨୩ ଠାରୁ ଇବି-୩୩୦ ପର୍ଯ୍ୟନ୍ତ ଏକ ନୂଆ ଡ୍ରେନ୍ ନିର୍ମାଣ କରି ଗଙ୍ଗୁଆକୁ ଛଡ଼ାଗଲେ ଏହି ଜଳବନ୍ଦୀ ସମସ୍ୟାର ସମାଧାନ ହୋଇପାରିବ। ଏହି ରାସ୍ତା ବିଏମ୍ସି ଅଧୀନରେ ଯାଉଛି। ଏଣୁ ଏହାକୁ ବିଏମ୍ସି ତିଆରି କରୁ। ଏହି ଦାବି ହେବା ପରେ ମେୟର ସୁଲୋଚନା ଦାସ କ୍ଷେତ୍ର ପରିଦର୍ଶନ କରିଥିଲେ। ବାସିନ୍ଦାଙ୍କ ଦାବି ମୁତାବକ ଡ୍ରେନ୍ ତିଆରି କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ନିକଟ ଭବିଷ୍ୟତରେ ତାହା ହେଉ ନାହିଁ ବା ବିଏମ୍ସି କରିଥିବା ଯୋଜନାରେ ନାହିଁ। ଏଣୁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି।
ଇଟା କାନ୍ଥ କରି ଦୁଆର ବନ୍ଦ କରିଦେଲୁ
ଚାକିରି ଜୀବନରେ ଯାହା କିଛି ରୋଜଗାର ହୋଇଥିଲା ସେଥିରେ ଇ-ଏ କଲୋନିରେ ଘର ଖଣ୍ଡେ କରିଥିଲି। ଭାବିଥିଲା ଶେଷ ଜୀବନ ଶାନ୍ତିରେ କଟିବ। ହେଲେ ବର୍ଷା ହେବା କ୍ଷଣି ଘରେ ୪ ଫୁଟର ପାଣି ପଶୁଛି। ଜିନିଷପତ୍ର ନଷ୍ଟ ହେଉଛି। ନିକଟରେ ଯାଇଥିବା ଡ୍ରେନ୍ ସଫା ହେଉନି। ବାଧ୍ୟ ହୋଇ କିଛି କିଛି ନିଜେ ସଫା କରୁଛି। କିନ୍ତୁ ତାହା ଯଥେଷ୍ଟ ହେଉନଥିବାରୁ ପାଣି ଯାଉନାହିଁ। କ’ଣ ଆଉ କରିବୁ? କିଛି ଉପାୟ ନପାଇ ଘରର ମୁଖ୍ୟ ଦ୍ବାର ବନ୍ଦ କରିବାକୁ ପଡ଼ିଲା।
ଶରତ ପ୍ରଧାନ
ବିଏମ୍ସି ପୂର୍ତ୍ତ ମିଶି ତୁରନ୍ତ ସମାଧାନ କରନ୍ତୁ
ବର୍ଷା ଦିନେ ଜଗନ୍ନାଥ ଆଶ୍ରମ ଠାରୁ ଫ୍ୟୁଜନ୍ କ୍ଲବ୍ ଦେଇ ଚାରିଛକ ପର୍ଯ୍ୟନ୍ତ ଯାଏ ୪ ଫୁଟର ପାଣି ବୁଡ଼ି ରହୁଛି। ଘରେ ପଣି ପଶିବାରୁ ରୋଷେଇ ବନ୍ଦ ହେଇ ଯାଉଛି। ସରକାର ସ୍ବାର୍ଟସିଟି ବୋଲି କହି ବାଃବାଃ ନେଉଛନ୍ତି କିନ୍ତୁ ବର୍ଷ ହେବ ଗୋଟିଏ ଛୋଟ ସମସ୍ୟାର ସମାଧାନ କରି ପାରୁନାହାନ୍ତି। ବିଏମ୍ସି ପୂର୍ତ୍ତ ମିଶି ତୁରନ୍ତ ସମାଧାନ କରନ୍ତୁ।
ନମିତା ଷଡଙ୍ଗୀ
ଆନ୍ଦୋଳନ ହେବ
ଏ ସମ୍ପର୍କରେ ଆମେ ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେଇଛୁ। ଜଗନ୍ନାଥ ଆଶ୍ରମରୁ ବଡ଼ଗଡ଼ ଛକ ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ ପୂର୍ବରୁ ସ୍ବତନ୍ତ୍ର ଡ୍ରେନ୍ ନିର୍ମାଣ କରି ଲୋକଙ୍କ ମୌଳିକ ସମସ୍ୟାକୁ ଦୂର କରିବାକୁ ଜଣାଇଥିଲୁ। ଭୁବନେଶ୍ବର ମେୟର ଘଟଣାସ୍ଥଳକୁ ଆସି ଏହି ସମସ୍ୟାର ନିରାକରଣ ପାଇଁ ବିଏମ୍ସି ଇବି-୩୨୩ ଠାରୁ ୩୩୦ ପର୍ଯ୍ୟନ୍ତ ନୂଆ ଡ୍ରେନ୍ ନିର୍ମାଣ କରି ଗଙ୍ଗୁଆ ନାଳକୁ ପାଣି ଛାଡ଼ିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସମସ୍ୟା ସମାଧାନ ନ ହେଲେ ଆମେ ଆନ୍ଦୋଳନ କରିବୁ।
ସଂଗ୍ରାମ ମାର୍ଥା, ସମାଜସେବୀ