ଭୁବନେଶ୍ବର: ସାମାନ୍ୟ ବର୍ଷାରେ ଧସିଲା ବଡ଼ଗଡ଼ ଦୟାୱେଷ୍ଟ କେନାଲ ରାସ୍ତା। କେନାଲ ତଳେ ଯାଇଥିବା ସାଇଫନ୍ ଭାଙ୍ଗିଯିବାରୁ ଉପର ରାସ୍ତା ପ୍ରାୟ ୭ ଫୁଟ ଦବି ଯାଇଥିଲା। ଫଳରେ ୬ ନମ୍ବର ଡ୍ରେନ୍ ପାଣି ନିଷ୍କାସନ ହୋଇ ନପାରି କେନାଲ କଡ଼ରେ ଥିବା ପ୍ରାୟ ୩୦ ଲୋକଙ୍କ ଘରେ ପଶିଥିଲା। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା। ଘଟଣା ସ୍ଥଳରେ ପହଞ୍ଚିଥିବା ମେୟର ସୁଲୋଚନା ଦାସ, ଜଳ ସମ୍ପଦ ଓ ପୂର୍ତ୍ତ ଅଧିକାରୀଙ୍କୁ ସାଧାରଣ ଲୋକ ଘେରିଯାଇଥିଲେ।
୬ ନମ୍ବର ଡ୍ରେନ୍ର ମଇଳା ପାଣି ଏହି ଭୂତଳ ସାଇଫନ୍ ଦେଇ ବଡ଼ଗଡ଼ ଗାଁ ପାର୍ ହୋଇ ଗଙ୍ଗୁଆରେ ପଡ଼ିଛି। ଏହି ୬ ନମ୍ବର ଡ୍ରେନ୍ରେ ଅଶୋକନଗରଠାରୁ ବଡ଼ଗଡ଼ ପର୍ଯ୍ୟନ୍ତ ସମସ୍ତ ମଇଳା ପାଣି ଯାଇଥାଏ। ବହୁ ବର୍ଷ ହେବ ଏହି ସାଇଫନ୍ ବିପଦଜନକ ଅବସ୍ଥାରେ ରହିଛି। ଏହାକୁ ନେଇ ସ୍ଥାନୀୟ ଲୋକ ଜଳସମ୍ପଦ ବିଭାଗ ନିକଟରେ ବାରମ୍ବାର ଅଭିଯୋଗ କରିଛନ୍ତି। ହେଲେ ବିଭାଗୀୟ ଯନ୍ତ୍ରୀ ଟଙ୍କା ନଥିବା କହି ଲୋକଙ୍କୁ କଥାକୁ ଗୁରୁତ୍ବ ଦେଇ ନଥିଲେ। ସପ୍ତାହ ତଳେ ସାଇଫନ୍ଟି ସାମାନ୍ୟ ଦବି ଥିବା ବେଳେ ପୂର୍ତ୍ତ ବିଭାଗ ରାସ୍ତା ଉପରେ ବଜୁରି ପକାଇ ସମତୁଲ କରି ଦେଇଥିଲା। କିନ୍ତୁ ଆଜି ବର୍ଷା ହେବା ପରେ ସାଇଫନ୍ ଭାଙ୍ଗିଯିବା ପରେ ପ୍ରାୟ ୩୦ ଫୁଟ ଚଉଡ଼ାର ରାସ୍ତା ଧସିଯାଇଛି। ଘଟଣାସ୍ଥଳରେ ମେୟର ପହଞ୍ଚିବା ପରେ ସ୍ଥାନୀୟ ଲୋକ ମେୟରଙ୍କୁ ଘେରାଉ କରିଥିଲେ। ତେବେ ଉପସ୍ଥିତ ଜଳସମ୍ପଦ ଅଧିକାରୀଙ୍କ ଉପରେ ମେୟର ଭୀଷଣ ବିରକ୍ତ ହୋଇଥିଲେ। ମେୟର କହିଛନ୍ତି, ଏନେଇ ମୁଖ୍ୟ ଶାସନ ସଚିବଙ୍କ ସମେତ ଜଳସମ୍ପଦ ବିଭାଗକୁ ଚିଠି ଲେଖାଯାଇଛି। ହେଲେ କାମ ହୋଇପାରିନାହିଁ। ଜଳ ସମ୍ପଦ ବିଭାଗ କାମ କରିବା ପରିବର୍ତ୍ତେ ନିଜ ଦୋଷ ଲୁଚାଇବାକୁ ଚେଷ୍ଟା କରୁଛି।