କଟକ: ଲକ୍ଡାଉନ୍ ପରେ ବାଦାମବାଡ଼ି ବସ୍ଷ୍ଟାଣ୍ଡରେ ଆରମ୍ଭ ହୋଇଥିବା ବଟି କାରବାର ଉପରେ ପୁଲିସ ଚଢ଼ଉ ଆରମ୍ଭ କରିଛି। ବସ୍ କର୍ମଚାରୀଙ୍କ ନିକଟରୁ ଦୈନିକ ବଟି ଆଦାୟ କରୁଥିବା ଏକ ବଡ଼ ଗ୍ୟାଙ୍ଗର ୭ଜଣଙ୍କୁ ବାଦାମବାଡ଼ି ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ, ଶଙ୍କରପୁର ଉପରସାହିର କାଳନ୍ଦୀ ଖୁଣ୍ଟିଆ, ଶଙ୍କରପୁର ଡିହସାହିର ଅନିଲ ନାୟକ(୨୫), ଉପରସାହିର ସଞ୍ଜୟ ନାୟକ (୪୪), ଦେବରାଜ ସେଠୀ ଓରଫ ଦେବ(୪୧), ପାଣିଆପଡ଼ାର ଅନୁପ କୁମାର ବାରିକ ଓରଫ ବବୁଲ(୩୧) ଏବଂ ଡିହସାହିର ସଚ୍ଚିଦାନନ୍ଦ ରାଉତ ଓରଫ ସଚିନ(୩୮)। ପୁଲିସ୍ ଏହି ଗ୍ୟାଙ୍ଗ ନିକଟରୁ ମୋଟ ୯ହଜାର ୮୪୦ଟଙ୍କା ଜବତ କରିଛି। ଏହି ଟଙ୍କା ବସରୁ ଆଦାୟ ହୋଇଥିବା ବଟି ଟଙ୍କା ବୋଲି ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ତେବେ ଏହି ଗ୍ୟାଙ୍ଗରେ ସାମିଲ ଥିବା ଆହୁରି ୨୫ଜଣଙ୍କ ତାଲିକା ପୁଲିସ ପ୍ରସ୍ତୁତ କରିଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଚଳିତ ବର୍ଷ ଯଦିଓ ବାଦାମବାଡ଼ିରେ ବଟି କାରବାର ନିୟନ୍ତ୍ରଣରେ ଥିଲା, ଲକଡାଉନ୍ ପରେ ପୁଣି ଆରମ୍ଭ ହୋଇଯାଇଥିଲା। ଅନୁପ କୁମାର ବାରିକ ଓରଫ ବବୁଲର ନେତୃତ୍ବରେ ଏକ ଗ୍ୟାଙ୍ଗ୍ ବାଦାମବାଡ଼ିରୁ ଦୈନିକ ବଟି ଆଦାୟ ଆରମ୍ଭ କରି ଦେଇଥିଲେ। ବସ୍ ମାଲିକ ସମେତ କଣ୍ଡକ୍ଟର, ଡ୍ରାଇଭର, ହେଲପରଙ୍କ ନିକଟରୁ ବଟି ଆଦାୟ କରାଯାଉଥିଲା। ବଟି ନଦେଲେ ସେମାନଙ୍କୁ ହତ୍ୟା ଧମକ ଦିଆଯାଉଥିଲା। ବଟି ଦେଉନଥିବା ବସ୍ରେ ଯାତ୍ରୀଙ୍କୁ ଚଢ଼ିବାକୁ ମନା କରାଯାଉଥିଲା। ବାଦାମବାଡ଼ିରେ ବସ ଚଳାଚଳ ଆରମ୍ଭ ହେବା ପରେ ଏଭଳି ଘଟଣା ଦୈନିକ ସକାଳ ଓ ସନ୍ଧ୍ୟାରେ ଘଟି ଚାଲିଥିଲା। ପ୍ରତି ବସରୁ ୨୦୦ରୁ ୪୦୦ ଟଙ୍କା ଲେଖାଏଁ ବଟି ଆଦାୟ କରାଯାଉଥିଲା। ୧୪ ତାରିଖ ରାତି ପ୍ରାୟ ସାଢ଼େ ୭ଟା ବେଳେ ଏ ସଂକ୍ରାନ୍ତରେ ବାଦାମବାଡ଼ି ଥାନାରେ ବସ୍ ମାଲିକ ଏବଂ କର୍ମଚାରୀଙ୍କ ପକ୍ଷରୁ ଏତଲା ଦିଆଯାଇଥିଲା। ବବୁଲର ନିର୍ଦ୍ଦେଶରେ ଏଭଳି ଚାଲି ଆସିଥିବା ବେଳେ ବାଦାମବାଡ଼ି ଥାନାରେ ନୂଆ ଆଇଆଇସି ଭାବେ ଯୋଗଦେଇଥିବା ରଶ୍ମିରଂଜନ ମହାପାତ୍ରଙ୍କ ନେତୃତ୍ବରେ ପୁଲିସର ଏକ ଟିମ୍ ସାଦା ପୋଷାକରେ ବାଦାମବାଡ଼ି ବସ ଷ୍ଟାଣ୍ଡରେ ଚଢ଼ଉ କରିଥିଲା। ମୋଟ ୭ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆହୁରି ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।
ପୁଲିସ ତଦନ୍ତ ବେଳେ କାଳନ୍ଦୀ ବିରୋଧରେ ବାଦାମବାଡ଼ି ଥାନାରେ ୮ଟି ଓ କ୍ୟାଣ୍ଟନମେଣ୍ଟ ଥାନାରେ ଗୋଟିଏ ହତ୍ୟା, ହତ୍ୟା ଉଦ୍ୟମ, ଅସ୍ତ୍ରଶସ୍ତ୍ର କାରବାର ଏବଂ ବଳ ପୂର୍ବକ ଧମକ ଦେଇ ଦାଦାବଟି ଆଦାୟ ଭଳି ସଂଗିନ ମାମଲା ରହିଛି। ସେହିପରି ସଞ୍ଜୟ ବିରୋଧରେ ବାଦାମବାଡ଼ି ଥାନାରେ ପୂର୍ବରୁ ଦୁଇଟି ମାମଲା, ଜିତେନ୍ଦ୍ର ବିରୋଧରେ ଦୁଇଟି ଏବଂ ସଚ୍ଚିଦାନନ୍ଦ ବିରୋଧରେ ବାଦାମବାଡ଼ି ଥାନାରେ ଦୁଇଟି ଲେଖାଏ ଦାଦାବଟି ଆଦାୟ ମାମଲା ରୁଜୁ ହୋଇଛି। ପୁଲିସ୍ ଏବେ ତାଲିକା ପ୍ରସ୍ତୁତ କରିଥିବା ଆହୁରି ୨୫ ଜଣଙ୍କୁ ଚିହ୍ନଟ କରିଛି। ସେମାନଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବା ନେଇ ଥାନା ପୁଲିସ ପକ୍ଷରୁ ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/badambadi-1.jpg)