ଶୋଚନୀୟ ଅବସ୍ଥାରେ ବଡ଼ଗଡ଼ ପୋଖରୀ

ପୁରୁଣା ଭୁୁବନେଶ୍ୱର : ବଡ଼ଗଡ଼ ଗ୍ରାମରେ ଥିବା ଦୁଇ ପୋଖରୀ ଏବେ ଶୋଚନୀୟ ଅବସ୍ଥାରେ। ଗୋପାଳୁଣୀ ପୋଖରୀ ଅବସ୍ଥା କିଛିଟା ଭଲ ଥିବାବେଳେ ଶନିମନ୍ଦିର ପୋଖରୀ ପୂରା ନଷ୍ଟ ହୋଇପଡ଼ିଛି। ୧୦ ବର୍ଷ ପୂର୍ବେ ନବୀକରଣ ହୋଇଥିବା ଗୋପାଳୁଣୀ ପୋଖରୀ ପୁଣି ପୋତି ହେବାକୁ ବସିଥିବାବେଳେ ଶନିମନ୍ଦିର ପୋଖରୀର ଶତକଡ଼ା ୯୦ ପ୍ରତିଶତ ଅଂଶ ପୋତି ହୋଇପଡ଼ିଛି। ବିଏମ୍‌ସି ପକ୍ଷରୁ ତୁରନ୍ତ ଗୋପାଳୁଣୀ ପୋଖରୀ ପ୍ରତି ନଜର ଦିଆନଗଲେ, ତାହା ଶନିମନ୍ଦିର ‌ପୋଖରୀ ଅବସ୍ଥାକୁ ଚାଲିଯିବ ବୋଲି ଗ୍ରାମବାସୀମାନେ କହିଛନ୍ତି।

ଗ୍ରାମବାସୀମାନଙ୍କ ଅଭିଯୋଗ ଅନୁସାରେ ୨୦୧୦ ମସିହାରେ ଗୋପାଳୁଣୀ ପୁଷ୍କରଣୀକୁ ନବୀକରଣ କରାଯାଇଥିଲା। ଖରାଦିନରେ ପାଣି କମିଗଲେ, ପୁଣି ଜଳ ଭର୍ତ୍ତି କରିବା ପାଇଁ ଏକ ବୋର୍‌ୱେଲ୍‌ ଖନନ କରାଯାଇଥିଲା। ଫଳରେ ଗ୍ରାମର ପ୍ରାୟ ୨ ହଜାର ଲୋକ ଏହା ଉପରେ ବିଭିନ୍ନ କାର୍ଯ୍ୟ ପାଇଁ ନିର୍ଭର କରୁଥିଲେ। ଅଧିକାଂଶ ଲୋକ ଏଠାରେ ନିୟମିତ ଗାଧୁଆପାଧୁଆ କରୁଥିଲେ। ସେହିଭଳି ଏହି ଏକ ମାତ୍ର ପୋଖରୀ ଗାଁର ସମସ୍ତ ସାମାଜିକ କାର୍ଯ୍ୟ ପାଇଁ ବ୍ୟବହାର ହେଉଥିଲା। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ କିଛି ଦିନ ପରେ ଉକ୍ତ ବୋର୍‌ୱେଲ୍‌ଟି ଅଚଳ ହୋଇଗଲା। ପରେ ତାହା ମାଟିରେ ପୋତି ହୋଇଗଲା। ତେଣୁ ଏବେ ଖରାଦିନରେ ମାତ୍ର ଆଣ୍ଠୁଏ ପାଣି ରହୁଛି। ଖରା ଚାରି ମାସ ଅବ୍ୟବହୃତ ଅବସ୍ଥାରେ ରହୁଥିବାରୁ ପୋଖରୀ ଚାରିପଟେ ଅଳିଆ ଆବର୍ଜନା ଜମା ହୋଇଯାଉଛି ଓ ପୋଖରୀ ଭିତରେ ପ୍ରଚୁର ପଙ୍କ ଜମା ହୋଇ ରହିଛି। ମାନସ ଜେନାଙ୍କ କହିବା କଥା ଗୋପାଳୁଣୀ ପୋଖରୀର ଏଭଳି ଅବସ୍ଥା ପାଇଁ ଏବେ ପୂରା ଗାଁଟି ଯାକର ଲୋକେ ହଇରାଣ ହେଉଛନ୍ତି। ସେହିଭଳି ଦୀର୍ଘ ଦିନ ହେବ ନୂଆସାହି ଶନି ମନ୍ଦିର ପୋଖରୀ ମଧ୍ୟ ଅବ୍ୟବହୃତ ଭାବେ ପଡ଼ି ରହିଛି। ପୋଖରୀ ମଧ୍ୟରେ ଅଳିଆ ଆବର୍ଜନା ସହ ଅନାବନା ଗଛରେ ଭରି ହୋଇ ରହିଛି। ବାହାରକୁ ଏହା ଆଉ ଏକ ପୋଖରୀ ହୋଇ ଦୃଶ୍ୟମାନ ହେଉନାହିଁ। ଏବେ ଏହା ଏକ ଅଳିଆ ଆବର୍ଜନା ଖାଲ ଭଳି ଦେଖାଯାଉଛି। ଫଳରେ ଗୃହପାଳିତ ପଶୁଙ୍କ ସହ ଛୋଟଛୋଟ ପିଲାମାନେ ଏଥିରେ ପଡ଼ି ଆହତ ହେଉଛନ୍ତି। ସେହିଭଳି ଏଥିରେ ମଶା ବଂଶ ବୃଦ୍ଧି ପାଉଥିବାରୁ ସ୍ଥାନୀୟ ଲୋକେ କଲବଲ ହେଉଛନ୍ତି। ଏହି ଦୁଇଟିଯାକ ପୋଖରୀର ଯଥାଶୀଘ୍ର ପୁନରୁଦ୍ଧାର ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର