ପ୍ରଗତି ପଥରେ ବଡ଼ଗଡ଼ ବିଦ୍ୟାଳୟ, ବାଜିରେ ଲାଗିଛି ଗ୍ରାମବାସୀ ଓ ପୁରାତନ ଛାତ୍ରଙ୍କ ଶ୍ରମ

ପୁରୁଣା ଭୁବନେଶ୍ବର : ଏକ ସୁନ୍ଦର ବିଦ୍ୟାଳୟ ଗାଁର ପରିଚୟ। ଉନ୍ନତ ବିଦ୍ୟାଳୟ ଗାଁ ତଥା ଅଞ୍ଚଳର ମାନବ ସମ୍ବଳ ବିକାଶର ଚାବିକାଠି। ତେଣୁ ଭୁବନେଶ୍ବର ବଡ଼ଗଡ଼ ଗ୍ରାମବାସୀମାନେ ପୁରାତନ ଛାତ୍ରଛାତ୍ରୀଙ୍କ ସହ ମିଶି ଗାଁ ଉଚ୍ଚ ବିଦ୍ୟାଳୟକୁ ରାଜ୍ୟର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନରେ ପରିଣତ କରିବାକୁ ଲାଗିପଡ଼ିଛନ୍ତି। ମୋ ସ୍କୁଲ୍‌ ଯୋଜନାରେ ନିଜକୁ ସାମିଲ୍‌ କରି ଶ୍ରମଦାନ ଓ ଅର୍ଥଦାନ କରୁଛନ୍ତି। ସେମାନେ ମୋ ସ୍କୁଲ୍ ଅଭିଯାନରେ ଏକ ବୃହତ ପରିମାଣର ଆର୍ଥିକ ଅନୁଦାନ ଦେଇ ଉଦାହରଣ ସୃଷ୍ଟି କରିଛନ୍ତି। ଏହା ଏକ ନିରନ୍ତର ପ୍ରକ୍ରିୟା‌ ଓ ବିଦ୍ୟାଳୟକୁ ଏକ ସ୍ବତନ୍ତ୍ର ପରିଚୟ ଦେବା ପର୍ଯ୍ୟନ୍ତ ସେମାନଙ୍କ ଶ୍ରମ ବାଜିରେ ଲାଗିଛି ବୋଲି କୁହାଯାଉଛି।

ଏହି ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ପାଳନ କରିସାରିଛି। ତେଣୁ ରାଜଧାନୀର ବେଶ୍‌ ପୁରୁଣା ଏହି ବିଦ୍ୟାଳୟର ଉନ୍ନତି ପା‌ଇଁ ପୁରାତନ ଛାତ୍ର ସଂସଦ, ଗ୍ରାମବାସୀ, ବର୍ତ୍ତମାନର ଅଭିଭାବକଙ୍କ ସହ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିଥିବା ମୋ ସ୍କୁଲ କମିଟିର ସମ୍ପାଦକ ପ୍ରତାପ କୁମାର ଜେନା ପ୍ରମୁଖ ଅଣ୍ଟା ଭିଡ଼ିଛନ୍ତି। ପ୍ରଧାନଶିକ୍ଷକ ଡ. ପ୍ରଜ୍ଞା ପାରମିତା ଜେନା ଭିତ୍ତିଭୂମି ସଜାଡ଼ିବାରେ ଲାଗିଛନ୍ତି। ଖେଳପଡ଼ିଆର ପାଚେରି ନିର୍ମାଣ, ପଡ଼ିଆର ଉନ୍ନତିକରଣ, ଉଦ୍ୟାନ, ପାକଶାଳା ଉଦ୍ୟାନ ଆଦି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ହୋଇସାରିଛି।

ବିଦ୍ୟାଳୟର ସୌନ୍ଦର୍ଯ୍ୟୀକରଣ ଦେଖି ଦିନକୁ ଦିନ ଅଧିକରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଏହି ଅଭିଯାନରେ ଯୋଡ଼ି ହେବାରେ ଲାଗିଛନ୍ତି। ବିଧାୟକ ପାଣ୍ଠିରୁ ମଧ୍ୟ ଆର୍ଥିକ ସହାୟତା ମିଳିଛି। ଭୁବନେଶ୍ବର ମହାନଗର ନିଗମ ସହାୟତାରେ ଖେଳ ପଡ଼ିଆରେ ବର୍ଷା ଜଳ ଅମଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ନୂତନ ଶ୍ରେଣୀଗୃହ ନିର୍ମାଣ, ପୂରାତନ ଗୃହର ମରାମତି, ସଭାଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଇଛି। ଖୁବ୍‌ ଶୀଘ୍ର ବିଦ୍ୟାଳୟରେ ସ୍ମାର୍ଟ ଶ୍ରେଣୀଗୃହ, ଇ-ଲାଇବ୍ରେରି, ବିଜ୍ଞାନାଗାର, ପାନୀୟ ଜଳ ବ୍ୟବସ୍ଥାରେ ଅଧିକ ଉନ୍ନତି କରାଯିବ। ମୋଟାମୋଟି ଭାବେ ରାଜଧାନୀର ଘରୋଇ ବିଦ୍ୟାଳୟ ସହ ବଡ଼ଗଡ଼ ଉଚ୍ଚ ବିଦ୍ୟାଳୟ ସମତାଳରେ ଗତି କରିବ ବୋଲି ମିଳିତ ପ୍ରୟାସ ଜାରି ରହିଛି।

ସମ୍ବନ୍ଧିତ ଖବର