ଏବର୍ଷ ବି ଭାସିବ ବଡ଼ଗଡ଼ ଗାଁ ରାସ୍ତା

ଭୁବନେଶ୍ବର: ୪୪ ନମ୍ବର ୱାର୍ଡ ଅନ୍ତର୍ଗତ ବଡ଼ଗଡ଼ ଗ୍ରାମର ପାତ୍ରସାହି ଓ ପୋଡ଼ାସାହି ରାସ୍ତା ଏବର୍ଷ ମଧ୍ୟ ବର୍ଷାଜଳରେ ଉବୁଟୁବୁ ହେବ ବୋଲି ଜଳଜଳ ଦିଶିଲାଣି। ଦେଢ଼ ବର୍ଷ ତଳେ ଏଠାରେ ରାସ୍ତା ଖୋଳି ଏଠାରେ ସ୍ବେରେଜ୍‌ ପାଇପ୍‌ ବିଛା ଯାଇଥିଲା। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରାସ୍ତାର ମରାମତି କରାଯାଇନାହିଁ। ଏଠାରେ ଡ୍ରେନେଜ୍‌ ବ୍ୟବସ୍ଥା ନଥିବାରୁ, ଏମିତିରେ ବର୍ଷସାରା ଆବର୍ଜନା ପାଣି ରାସ୍ତା ଉପ‌ରେ ଲହଡ଼ି ମାରିଥାଏ। ବର୍ଷା ହେଲେ ସମସ୍ୟା ଆହୁରି ବଢ଼ିଯିବ। ଗତବର୍ଷ ମୌସୁମୀ‌ରେ ମଧ୍ୟ ଏହି ସମସ୍ୟା ଦେଖାଦେଇଥିଲା।

ବର୍ଷେ ତଳେ ୱାଟ୍‌କୋ ଖୋଳିଥିଲା, ଏଯାଏଁ କାମ ଆରମ୍ଭ ହୋଇନି
ଡ୍ରେନ୍‌ ନାହିଁ, ଗାଁ ଦାଣ୍ଡରେ ଲହଡ଼ି ମାରୁଛି ବର୍ଜ୍ୟଜଳ

ବର୍ଷା ବେଳେ ଆଣ୍ଠୁଏ ଉଚ୍ଚର ପାଣି ଜମିବା ଫଳରେ ଲୋକେ ଘରୁ ବାହାରି ପାରିନଥିଲେ। ସେହିପରି ପାଣି ଛାଡ଼ିଯିବା ପରେ ଗାଁ ରାସ୍ତା ସାରା କାଦୁଅ ପଚପଚ। ଗାଡ଼ିରେ ଯିବା ଦୂରର କଥା, ଲୋକେ ଚାଲି ଚାଲି ବି ସ୍ଥାନୀୟ ବଜାର ଘାଟକୁ ଯିବା ବି କଷ୍ଟକର ହୋଇପଡ଼ିଥିଲା। ହଜାର ହଜାର ବାସିନ୍ଦା ଏମିତି ହନ୍ତସନ୍ତ ହେବାରୁ ଗାଁ ଲୋକ‌େ ୱାଟ୍‌କୋର ଦ୍ବାରସ୍ଥ ହୋଇଥିଲେ। ସେତେବେଳେ ଅଧିକାରୀମାନେ ଉତ୍ତର ଦେଇଥିଲେ ଯେ ଅଳ୍ପ ଦିନ ହେବ ସ୍ବେରେଜ୍‌ ପାଇପ୍‌ ବିଛା ସରିଛି। ଏବେ ରାସ୍ତା ତିଆରି କଲେ, ଦବି ଯିବାର ସମ୍ଭାବନା ରହିଛି। ତେଣୁ ବର୍ଷା ଋତୁ ପରେ କାମ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ମାତ୍ର ଇତିମଧ୍ୟରେ ବର୍ଷେ ବିତିଥିଲେ ସୁଦ୍ଧା କାମ ଆରମ୍ଭ ହୋଇନାହିଁ। ଏବର୍ଷ ରାଜଧାନୀକୁ ମୌସୁମୀ ଛୁଇଁବା ପରେ ୟା’ ମଧ୍ୟରେ ୨/୩ଥର ଭଲ ବର୍ଷା ହୋଇସାରିଲାଣି। ତେଣୁ ଆଗକୁ ଦୁର୍ଦ୍ଦଶା ଆହୁରି ବଢ଼ିବା ଚିନ୍ତାରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭାଳେଣି ପଡ଼ିଗଲାଣି।

ସ୍ଥାନୀୟ ଅଧିବାସୀଙ୍କ ସୂଚନା ଅନୁସାରେ, ବର୍ଷକରୁ ଅଧିକ ସମୟ ହେବ, ଏହି ରାସ୍ତା ଖୋଳି ‌ସ୍ବେରେଜ୍‌ ପାଇପ୍‌ ବିଛାଯାଇଥିଲା। କାମ ସରିବା ପରେ ମାଟି ପକାଇ ରାସ୍ତାକୁ ସେମିତି ଛା‌ଡ଼ି ଦେଇଥିଲେ। ବର୍ଷା ଋତୁ ସରିବା ପରେ କାମ ହେବ ବୋଲି କୁହାଯାଇଥିଲା। ଫଳରେ ରାସ୍ତା ଉପରେ ନିର୍ଭର କରୁଥିବା ୪୦୦-୫୦୦ ପରିବାର ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବ‌େ ନବନିର୍ବାଚିତ କର୍ ପୋରେଟର୍‌ ଏବର୍ଷ ବର୍ଷା ପୂର୍ବରୁ ରାସ୍ତା ମରାମତି କରି‌ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବର୍ଷା ଆରମ୍ଭ ହୋଇଯାଇଥିଲେ ସୁଦ୍ଧା କାମ ଆରମ୍ଭ ହୋଇ ନାହିଁ। ଏ ସଂପର୍କରେ ସ୍ଥାନୀୟ କର୍ପୋରେଟର୍‌ଙ୍କ ସହ ଯୋଗଯୋଗ କରାଯାଇଥିଲେ ହେଁ ସମ୍ଭବପର ହୋଇପାରିନଥିଲା।

ସମ୍ବନ୍ଧିତ ଖବର