ପୁନର୍ଜନ୍ମ ନେଲା ଉପନ୍ୟାସ ‘ବଢ଼ିପାଣିର ଦାନ୍ତ’; ନଈବଢ଼ି ନୁହେଁ, ଶୁଷ୍କ ନଈ ଚିନ୍ତାର କାରଣ: ସୌମ୍ୟ

ଭୁବନେଶ୍ବର: ବିଶିଷ୍ଟ ସାହିତ୍ୟିକ ସ୍ବର୍ଗତ ପ୍ରସନ୍ନ କୁମାର ମିଶ୍ରଙ୍କ ୪୩ବର୍ଷ ପୁରୁଣା ଉପନ୍ୟାସର ନୂତନ ସଂସ୍କରଣ ‘ବଢ଼ିପାଣିର ଦାନ୍ତ’ ଓ ସଦ୍ୟ ପ୍ରକାଶିତ ଏହାର ଇଂରାଜୀ ଅନୁବାଦ ‘ଦ ଫେଞ୍ଜଡ୍‌ ୱାଟର୍‌’ ଆଜି ‘ସମ୍ବାଦ ଭବନ’‌ରେ ଲୋକାର୍ପିତ ହୋଇଯାଇଛି। ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ଚିର ସହଚର। ସେତେବେ‌ଳେ ନଈବଢ଼ିର କରୁଣ ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଥିଲା। ଲୋକେ ଖାଇବାକୁ ନ ପାଇ ଅନାହାରରେ ମରୁଥିଲେ। ଗାଁ, ଗଣ୍ଡା ଭାସି ଯାଉଥିଲା। ହେଲେ ବର୍ତ୍ତମାନ ଆଉ ସେ ଅବସ୍ଥା ନାହିଁ। ଏବେ ଲୋକେ ନଈ ବଢ଼ି ଅପେକ୍ଷା ନଈ ଶୁଖିଯିବାକୁ ନେଇ ବେଶି ଚିନ୍ତିତ। ତେଣୁ ବର୍ତ୍ତମାନର ପାଠକମାନଙ୍କ ପାଇଁ ଏହା ଗୋଟିଏ ନୂଆ ବହି କହିଲେ ଅତ୍ୟୁକ୍ତି ହେବ ନାହିଁ। ଦୀର୍ଘ ୪୩ ବର୍ଷ ପରେ ଉପନ୍ୟାସ ‘ବଢ଼ିପାଣିର ଦାନ୍ତ’ ପୁନର୍ଜନ୍ମ ପାଇଛି।

ଅନ୍ୟତମ ଅତିଥି କଥାକାର ଗୌରହରି ଦାସ କହିଲେ, କାଗଜଟିଏ କ୍ଷଣ ଭଙ୍ଗୁର। କିନ୍ତୁ ସେଥିରେ ଲେଖାଯାଇଥିବା ଶବ୍ଦ ଚିରକାଳ ବଞ୍ଚି ରହେ। ସେଇ ଶବ୍ଦ ପରବର୍ତ୍ତୀ ସମୟରେ ଲେଖକକୁ ପରିଚୟ ଦେଇଥାଏ। ଆଜି ପ୍ରସନ୍ନ ମିଶ୍ର ନାହାନ୍ତି, ହେଲେ ତାଙ୍କର ଶବ୍ଦଗୁଡ଼ିକ ଏତେ ଗୁରୁତ୍ବପୂର୍ଣ୍ଣ ଥିଲା ଯେ ଆଜି ଏତେ ବର୍ଷ ପରେ ମଧ୍ୟ ଆମ ସମ୍ମୁଖକୁ ପୁଣିଥରେ ଆସିଛି। ‘ବଢ଼ିପାଣିର ଦାନ୍ତ’ର ଇଂରାଜୀ ଅନୁବାଦିକା ସ୍ନେହପ୍ରଭା ଦାସ କହିଲେ, ଉପକୂଳ ଓଡ଼ିଶାର ନଦୀକୂଳରେ ବାସ କରୁଥିବା ଗୋଟିଏ ପରିବାର ବଢ଼ି ପାଣିରେ ଦୁଃଖ ଦୁର୍ଦ୍ଦଶାରେ କାଳ କାଟିବାର ଦୃଶ୍ୟ ଅତି ନିଖୁଣ ଭାବେ ଏଥିରେ ବର୍ଣ୍ଣନା କରାଯାଇଛି। ୯ ବର୍ଷର ଏକ ଛୋଟ ଝିଅର ‘ସ୍ବପ୍ନ ଭଙ୍ଗୁର କାହାଣୀ’ ଉପରେ ଏହା ପର୍ଯ୍ୟବସିତ। କାର୍ଯ୍ୟକ୍ରମରେ ପେନ୍‌-ଇନ୍‌-ବୁକ୍ସର ପ୍ରକାଶକ ଶୁଭ୍ରାଂଶୁ ପଣ୍ଡା, ଶିଶୁ ସାହିତ୍ୟିକ ମାନସ ରଞ୍ଜନ ସାମଲ, ଗାଳ୍ପିକ ଅରବିନ୍ଦ ରାୟ, ସ୍ବର୍ଗତ ମିଶ୍ରଙ୍କ ଝିଅ ପ୍ରାଚୀତାରା, ପୁତ୍ର, ପତ୍ନୀ ଓ ଶାଳକ ପ୍ରମୁଖ ଉପସ୍ଥିତ ଥିଲେ। ‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ‘କଥା’ର ସହ-ସମ୍ପାଦକ କ୍ଷେତ୍ରବାସୀ ନାଏକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର