ଭୁବନେଶ୍ବର: ଶନିବାର ପୂର୍ବାହ୍ଣ ୯ଟାରେ ଭୁବନେଶ୍ବରରେ ପହଞ୍ଚିଲା ଖଲିସ୍ତାନୀ ଆତଙ୍କୀ ପନ୍ନୁ ପଠାଇଥିବା ଧମକପୂର୍ଣ୍ଣ ଇ-ମେଲ୍‌ ଓ ଅଡିଓ ବାର୍ତ୍ତା। ଭୁବନେଶ୍ବରରେ ଚାଲିଥିବା ଡିଜି-ଆଇଜି ସମ୍ମିଳନୀକୁ ଟାର୍ଗେଟ୍‌ କରିଥିବା ଏହି ଧମକ ଇ-ମେଲ୍‌ ଜରିଆରେ ଜଣେ ବରିଷ୍ଠ ସାମ୍ବାଦିକଙ୍କ ନିକଟକୁ ଆସିଥିଲା। ‌ଫଳରେ ସହରରେ ଖେଳିଯାଇଥିଲା ଭୟର ବାତାବରଣ। ଠିକ୍‌ ଏହାର ୩ଘଣ୍ଟା ପରେ ଭୁବନେଶ୍ବର ବିମାନବନ୍ଦରରୁ ମିଳିଲା ଏକ ସନ୍ଦିଗ୍ଧ ବ୍ୟାଗ୍‌। କେହି ଦାବିଦାର ନଥିବା ଏହି ବ୍ୟାଗ୍‌କୁ ଦେଖିବା ପରେ ପୂରା ବିମାନବନ୍ଦରରେ ଖେଳିଯାଇଥିଲା ବୋମା ବିସ୍ଫୋରଣ ଭୟ। ବୋମା ଯାଞ୍ଚ ସ୍କ୍ବାଡ୍‌ ଓ ଡଗ୍‌ ସ୍କ୍ବାଡ୍‌ ଯାଞ୍ଚ କରିବା ପରେ ଅବଶ୍ୟ ଏହି ଭୟ ଦୂର ହୋଇଥିଲା। କାରଣ ବ୍ୟାଗ୍‌ରେ ବୋମା ନଥିବା ସ୍ପଷ୍ଟ ହୋଇଥିଲା। କିନ୍ତୁ ଆତଙ୍କୀ ପନ୍ନୁର ଧମକ ପଛେପଛେ ବିମାନବନ୍ଦରରୁ ସନ୍ଦିଗ୍ଧ ବ୍ୟାଗ୍‌ ମିଳିବା ଘଟଣା ପ୍ରଥମେ ରାଜଧାନୀରେ ହଇଚଇ ସୃଷ୍ଟି କରିଥିଲା।  

Advertisment

ଆଜି ମଧ୍ୟାହ୍ନ ୧୨ଟା ବେଳେ ବିମାନବନ୍ଦରର ଲେନ୍‌-୨ରେ ଏକ କଳାରଙ୍ଗର କ୍ୟାରି ବ୍ୟାଗ୍‌ ମିଳିଥିଲା। ଯାତ୍ରୀମାନେ ନିଜନିଜର ଲଗେଜ୍‌ ନେଇଥିଲେ, ମାତ୍ର ବ୍ୟାଗ୍‌ର ଦାବିଦାର କେହି ନଥିଲେ। ବିମାନବନ୍ଦର କର୍ମଚାରୀମାନେ ବାରମ୍ବାର ଘୋଷଣା କରିବା ପରେ ବି ଉକ୍ତ ବ୍ୟାଗ୍‌ ନେବାକୁ କେହି ଆସିନଥିଲେ। ଏହାପରେ ଖେଳିଯାଇଥିଲା ଭୟର ବାତାବରଣ। କେହି ବି ବ୍ୟାଗ୍‌ର ପାଖ ମାଡ଼ିନଥିଲେ। ଖବର ପାଇ ବିମାନବନ୍ଦର ସୁରକ୍ଷାରେ ଥିବା ସିଆଇଏସ୍‌ଏଫ୍‌ ଘଟଣାସ୍ଥଳକୁ ଆସିଥିଲା। ‌ସେହିଭଳି କିଛି ମିନିଟ୍‌ ମଧ୍ୟରେ ଡଗ୍‌ ସ୍କ୍ବାଡ୍‌ ଓ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ୍‌ ବିମାନବନ୍ଦରରେ ପହଞ୍ଚିଯାଇଥିଲେ। ବ୍ୟାଗ୍‌କୁ ସୁରକ୍ଷିତ ସ୍ଥାନକୁ ନେଇ ଯାଞ୍ଚ କରାଯାଇଥିଲା। ମାତ୍ର ସେଥିରୁ ମିଳିଥିଲା କିଛି ପୋଷାକପତ୍ର। ଆଜି ଖଲିସ୍ତାନୀ ଆତଙ୍କୀ ପନ୍ନୁ ଧମକପୂର୍ଣ୍ଣ ବାର୍ତ୍ତା ପଠାଇଥିବା ବେଳେ ଏହି ବ୍ୟାଗ୍‌ ମିଳିବା ଘଟଣା କେବଳ ଏକ ସଂଯୋଗ ଥିଲା ନା ଏହା ପଛରେ କିଛି ରହସ୍ୟ ରହିଛି, ତାହା ଏବେ ବଡ଼ ପ୍ରଶ୍ନବାଚୀ। ଗୋଟିଏ ପଟେ ଧମକପୂର୍ଣ୍ଣ ବାର୍ତ୍ତା ଓ ଠିକ୍‌ ପରେପରେ ସନ୍ଦିଗ୍ଧ ବ୍ୟାଗ୍‌ ମିଳିବା ଘଟଣାକୁ ତଦନ୍ତକାରୀ ସଂସ୍ଥା ଗୁରୁତ୍ବର ସହ ନେଇଛି। ସିସିଟିଭି ଯାଞ୍ଚ କରି ବ୍ୟାଗ୍ ଛାଡ଼ିଥିବା ବ୍ୟକ୍ତିକୁ ଠାବ କରିବାକୁ ଜୋର୍‌ଦାର୍‌ ଉଦ୍ୟମ ହୋଇଛି।