ଭୁବନେଶ୍ବର: ଗଣ୍ଡମୁଣ୍ଡାଠାରେ ଆଜି ବାଗ୍ଚୀ-କରୁଣାଶ୍ରୟ ଗୃହଭିତ୍ତିକ ସେବା କେନ୍ଦ୍ର ଉଦ୍ଘାଟିତ ହୋଇଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହାର ଉଦ୍ଘାଟନ କରିଛନ୍ତି। ରାଜ୍ୟରେ ଉନ୍ନତ ମାନର କର୍କଟ ଚିକିତ୍ସା ସେବା ଯୋଗାଇବା ପାଇଁ ରାଜ୍ୟ ସରକାର ଇନ୍ଫୋ ଭ୍ୟାଲି ଅଞ୍ଚଳରେ ୨୦ଏକର ପରିମିତ ସ୍ଥାନ ଯୋଗାଇ ଦେଇଛନ୍ତି। ଏହାସହ ତୁରନ୍ତ ଗୃହଭିତ୍ତିକ ସେବା ଆରମ୍ଭ କରିବା ପାଇଁ ରାଜ୍ୟ ସରକାର ଗୁଣ୍ଡମୁଣ୍ଡାଠାରେ ୧୦ହଜାର ବର୍ଗଫୁଟର ବିଲ୍ଡିଂ ଯୋଗାଇ ଦେଇଛନ୍ତି। ଅକ୍ଟୋବର ୧୮ ତାରିଖରୁ ଏହି ସେବା ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଛି। ଏହି ଅନୁଭୂତି ଭିତ୍ତିରେ ଆଜି ଗୃହଭିତ୍ତିକ ସେବା ବ୍ୟବସ୍ଥାର ଆନୁଷ୍ଠାନିକ ଆରମ୍ଭ ହୋଇଛି।
ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ ରାଜ୍ୟରେ ପ୍ରଥମଥର ପାଇଁ ଏହି ପ୍ରକାର ଅନନ୍ୟ ଅନୁଷ୍ଠାନ ଆରମ୍ଭ ହୋଇଛି। ଆଗାମୀ ଦିନରେ ସ୍ବେଚ୍ଛାସେବୀ ସଂସ୍ଥାମାନଙ୍କ ସହାୟତା ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଏହି ସେବା ସଂପ୍ରସାରିତ କରିବା ପାଇଁ ଯୋଜନା ରହିଛି। ଇନ୍ଫୋଭ୍ୟାଲି-୨ରେ ରାଜ୍ୟ ସରକାର ଦେଇଥିବା ଜମିରେ ବାଗ୍ଚୀ-ଶ୍ରୀ ଶଙ୍କର କର୍କଟ ଚିକିତ୍ସାଳୟ ଓ କରୁଣାଶ୍ରୟ ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ସମୟ ପୂର୍ବରୁ ଶେଷ ହେବ। ଏହା ପୂର୍ଣ୍ଣାଙ୍ଗ ହେଲେ କର୍କଟ ଚିକିତ୍ସା କ୍ଷେତ୍ରରେ ଓଡ଼ିଶା ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ସେ କହିଛନ୍ତି।
ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ଗବେଷଣା ପ୍ରତିଷ୍ଠାନର ନିର୍ଦେଶକ ଡା. ଲଲାଟେନ୍ଦୁ ଷଡ଼ଙ୍ଗୀ କହିଥିଲେ, ଆସନ୍ତା ୫ ବର୍ଷ ଭିତରେ ରାଜ୍ୟରେ କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ଅନେକ ପରିବର୍ତନ ଆସିବ। କରୁଣାଶ୍ରୟ କର୍କଟ ପୀଡ଼ିତମାନଙ୍କ ପାଇଁ ଆବଶ୍ୟକ ଥିବା ମାନବିକ ଯତ୍ନର ଏକ ବଡ଼ ଶୂନ୍ୟସ୍ଥାନ ପୂରଣ କରୁଛି। ବେଙ୍ଗାଲୁରୁ ହସ୍ପିସ୍ ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ଗୁରୁମିତ ସିଂ ରନ୍ଧାୱା କହିଥିଲେ, ଏହି କେନ୍ଦ୍ର ଏମ୍ସ, ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ଗବେଷଣା ପ୍ରତିଷ୍ଠାନ ଓ ରାଜଧାନୀ ଚିକିତ୍ସାଳୟ ସହ ସମନ୍ବିତ ଭାବେ କାର୍ଯ୍ୟ କରିବ। ଟ୍ରଷ୍ଟର ସହ-ନିର୍ଦେଶକ ଡା. ବବିତା ଭାରକେ କର୍କଟ ରୋଗୀଙ୍କୁ ଗୃହ ଭିତ୍ତିକ ସେବା ଯୋଗାଉଥିବା କର୍ମଚାରୀ ଓ ଅନୁଷ୍ଠାନ ସଂପର୍କରେ ସୂଚନା ରଖିଥିଲେ। ସେବିକା ରୋଜାଲିନ୍ ସେନାପତି ଓ ଜଣେ କର୍କଟ ରୋଗୀ ରୂପଚନ୍ଦ୍ର ମଲ୍ଲିକ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ।
ଏହି ଅବସରରେ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ଗବେଷଣା କେନ୍ଦ୍ର ଓ ବାଗ୍ଚୀ-କରୁଣାଶ୍ରୟ ହସପିସ୍ ଟ୍ରଷ୍ଟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। ବାଗ୍ଚୀ କରୁଣାଶ୍ରୟ କେନ୍ଦ୍ରରେ ନିୟୋଜିତ ଡାକ୍ତର, ସେବିକା, କାଉନ୍ସିଲର, ଫାର୍ମାସିଷ୍ଟ ଓ ଅନ୍ୟ କର୍ମଚାରୀ ବିଏଚ୍ଟି ବେଙ୍ଗାଲୁରୁରେ ପ୍ରଶିକ୍ଷଣ ନେଇଛନ୍ତି। ବର୍ତ୍ତମାନ ଏହି ସେବା ଭୁବନେଶ୍ବର ସହର ଓ ଏହାକୁ ଲାଗିଥିବା ୨୦କି.ମି ପରିଧି ଅଞ୍ଚଳମାନଙ୍କରେ ଉପଲବ୍ଧ ହେଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ୭୦ରୁ ଅଧିକ ରୋଗୀଙ୍କୁ ଗୃହଭିତ୍ତିକ ସେବା ଯୋଗାଇ ଦିଆଯାଉଛି। ଏହି କେନ୍ଦ୍ର ଦ୍ବାରା ରୋଗୀମାନଙ୍କୁ ମାଗଣାରେ ଔଷଧ, ସେବା, ସ୍ବାନ୍ତନା ଦିଆଯିବା ସହିତ ମାନସିକସ୍ତରରେ ଦୃଢ଼ କରାଯାଉଛି।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ, ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷ ସୁସ୍ମିତା ବାଗ୍ଚୀ, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁଙ୍କ ସମେତ କରୁଣାଶ୍ରୟର ଡାକ୍ତର, ସେବିକା ଓ କର୍ମଚାରୀମାନେ ସାମିଲ ହୋଇଥିଲେ।