ବସୁଧା ଯୋଜନାରୁ ବଞ୍ଚିତ ବାଗିଲୋ ନାୟକ ସାହି

ବାଲିପାଟଣା : ପ୍ରତ୍ୟେକ ଘରକୁ ସ୍ୱଜଳ ଧାରା ପ୍ରକଳ୍ପ ପାଣି ଯୋଗାଇ ଦେବାକୁ ସରକାର ଘୋଷଣା କରିଛନ୍ତି। କିନ୍ତୁ ସ୍ଥାନୀୟ କୁଳନ୍ତିରା ବାଗିଲୋ ନାୟକସାହି ବାସିନ୍ଦା ଏହି ଯୋଜନାରୁ ବଞ୍ଚିତ। ବସୁଧା ଯୋଜନା ଏହି ସାହି‌ରେ ପହଞ୍ଚିନଥିବାରୁ ଏକ ମାତ୍ର ନଳକୂପ ଏମାନଙ୍କ ଭରସା। କିନ୍ତୁ ଏହି ନଳକୂଅର ଲୌହମିଶ୍ରିତ ପାଣି ସାହି ଲୋକଙ୍କୁ ବଞ୍ଚାଇବ କ’ଣ ଓଲଟା ବିଭିନ୍ନ ରୋଗର ଶିକାର କରୁଛି।

ସୂଚନାନୁସାରେ ପମ୍ପାଲୋ ପଞ୍ଚାୟତ କୁଳନ୍ତିରା ବାଗିଲୋ ନାୟକସାହିରେ ୧୦ଟି ଦଳିତ ପରିବାର ରହୁଛନ୍ତି। ଗରିବ ଶ୍ରେଣୀୟ ଏହି ଲୋକମାନେ ବ୍ୟକ୍ତିଗତ କୂଅ ଖୋଳି ପାରିନାହାନ୍ତି କି ନଳକୂପ ବସାଇ ପାରିନାହାନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ ଉକ୍ତ ଗ୍ରାମରେ ବସା ଯାଇଥିବା ଏକ ମାତ୍ର ନଳକୂପ ଏମାନଙ୍କ ଭରସା। ମାତ୍ର ସେହି ନଳକୂପରୁ ଲୌହ ମିଶ୍ରିତ ପାଣି ବାହାରୁଛି। ଫଳରେ ଏହି ପାଣି ନା ପିଇ ହେଉଛି ନା ଏଥିରେ ରୋଷେଇ କରି ହେଉଛି। ଏମିତିକି ଏହି ପାଣି‌ରେ ଲୁଗାପଟା ସଫା କରିବା ମଧ୍ୟ ହେଉନାହିଁ। ତେଣୁ ପିଇବା ଓ ରୋଷେଇ କରିବା ପାଇଁ ଏମାନେ ଦୂରରୁ ପାଣି ବୋହି ଆଣନ୍ତି। ତେବେ ଖରା ଦିନ ଆସିଲେ, ଏମାନଙ୍କ ଜଳକଷ୍ଟ ବଢ଼ିଯାଏ। ସେହିଭଳି କୌଣସି ସମୟରେ ସାହିର ଏହି ନଳକୂଅଟିରେ ଯାନ୍ତ୍ରିକ ତ୍ରୁଟି ଦେଖାଗଲେ, ପାଣି ପାଇଁ ଏମାନେ ଛଟପଟ ହେଲା ଭଳି ଅବସ୍ଥାରେ ପଡ଼ନ୍ତି। ତେଣୁ ତୁରନ୍ତ ପାଇପ୍‌ ଜଳ ଯୋଗାଣ ପାଇଁ ସାହି ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର