ଚନ୍ଦ୍ରଶେଖରପୁର: ‘ମାରାଙ୍ଗବୁରୁ ସାନାମ କଗେ ବେସ୍‌ରେ ଦୋହୋ କମାଏ’ ଅର୍ଥାତ ଆମ ମାଟିର ଦେବତା ଆମ ସମସ୍ତଙ୍କୁ ସବୁବେଳେ ଭଲରେ ରଖିଥା। ଏପରି କିଛି ଉଚ୍ଚାରଣ କରି ପ୍ରତିଟି ଶ୍ରଦ୍ଧାଳୁଙ୍କ କାନରେ ଗୋଟିଏ ଲେଖାଏ ଶାଳ ଫୁଲ ଖୋସି ଦେଉଥାନ୍ତି ଆଦିବାସୀ ପୂଜକ। ଆଉ କହୁଥାନ୍ତି ସମସ୍ତେ ନିଜର ମନସ୍କାମନା ପୂର୍ଣ୍ଣ ପାଇଁ ମାରାଙ୍ଗବୁରୁ ଅର୍ଥାତ ଠାକୁରଙ୍କ ନିକଟରେ ଅଧିଆ ପଡ଼। ଶ୍ରଦ୍ଧାଳୁମାନେ ମଧ୍ୟ ପୂଜକଙ୍କ କଥାମାନି ପାରମ୍ପରିକ ବେଶପୋଷାକ ପରିଧାନ କରି ସାଷ୍ଟାଙ୍ଗ ଦଣ୍ଡବତ ହେଉଥାନ୍ତି। ସାନ୍ତାଳୀ ଆଦିବାସୀ ସମ୍ପ୍ରଦାୟ ଲୋକମାନଙ୍କ ବଡ଼ ପର୍ବ ବାହାବଙ୍ଗା ଆଜି ସାଲିଆସାହିସ୍ଥିତ ଆଦିବାସୀ ଗାଁ ବାହା ଫାର୍ମ ଜାହେର୍‌ ଗାଳ କମିଟି ଠାକୁର ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। 

Advertisment

ଏହି ବାହାବଙ୍ଗା ପର୍ବ ଠିକ୍ ଆମ ଦୋଳ ପୂର୍ଣ୍ଣିମା ଭଳି। ଦୋଳରେ ଯେପରି ପହିଲି ଆମ୍ବକୁ ଠାକୁରଙ୍କ ନିକଟରେ ଭୋଗ ଲଗାଯାଏ। ଠିକ୍ ସେିହଭଳି ଆଦିବାସୀମାନେ ବୃକ୍ଷଦେବତାଙ୍କୁ ପୂଜାକରି ତା’ର ପ୍ରଥମ ଫୁଲକୁ ଉପହାର ‌ଭାବେ ମୁଣ୍ଡ‌ରେ ଖୋସିଥାନ୍ତି। ପରେ ଜଙ୍ଗଲକୁ ଯାଇ ଦେବତାଙ୍କ ଅନୁମତି ଆଣିବା ସହ ବିଭିନ୍ନ ପ୍ରକାର ଫଳକୁ ‌ଖାଇବା ପାଇଁ ସଂଗ୍ରହ କରିଥାନ୍ତି। ଆଜି ରାଜଧାନୀରେ ରହି ମଧ୍ୟ ନିଜ ପରମ୍ପରାକୁ ଭୁଲି ନଥିବା ସାନ୍ତାଳୀ ଆଦିବାସୀମାନେ ବାହାବଙ୍ଗା ପର୍ବ ପାଳି ନିଜ ସଂସ୍କୃତିକୁ ମନେ ପକାଇଛନ୍ତି। ଯେଉଁଥିରେ ଶତାଧିକ ସ୍ଥାନୀୟ ସାନ୍ତାଳୀ ଯୁବକ, ଯୁବତୀ, ମହିଳା, ପୁରୁଷ, ପିଲା ଓ ବୃଦ୍ଧ ଆଦିବାସୀମାନେ ଯୋଗଦେଇ ମାରାଙ୍ଗବୁରୁଙ୍କ ନିକଟରେ ପୂଜା କରିବା ସହ ହାତକୁ ହାତ ଛନ୍ଦି ପାରମ୍ପରିକ ସାନ୍ତାଳୀ ନୃତ୍ୟ କରିଥିଲେ। ଯୁବତୀ ଓ ମହିଳାମାନେ ଫୁଟା ସୂତା ଶାଢ଼ୀ ସାଙ୍ଗକୁ ଆଦିବାସୀ ଅଳଙ୍କାର ପରିଧାନ କରିବା ସହିତ ଶାଳଫୁଲକୁ ଖୋସାକରି ନୃତ୍ୟ କରୁଥିଲେ।

ସେହିଭଳି ପୁରୁଷ ଓ ଯୁବକମାନେ କାଚା ଧୋତି ପିନ୍ଧି ଡେଇଁଡେଇଁ ନାଚୁଥିବା ଦେଖିବାକୁ ମିଳିଥିଲା। ଆୟୋଜକ ଅନୁଷ୍ଠାନ ପକ୍ଷରୁ ପୂଜା କରୁଥିବା ଏକ ଦଳ ଢୋଲ, ତୁମଦା, ତାସା, ଚଡ଼ଚଡ଼ି, ଟମକ, ଚୁଙ୍ଗା, ଝାଞ୍ଜ, ଗିନି, ଘଣ୍ଟ ଓ ଝୁମୁକା ବଜେଇ ‌ଠାକୁରଙ୍କ ବେଢ଼ା ଚାରିପାଖେ ବୁଲୁଥିଲେ। ଏହି ବାହାବଙ୍ଗା ଉତ୍ସବକୁ ଆୟୋଜକ କମିଟି ସଭ୍ୟ ରସିକ ମୁର୍ମୁ, ଶାଲ ମାରାଣ୍ଡି, କୁଅଁର ମୁର୍ମୁ, ଭୁଜୁ ମାରାଣ୍ଡି, ସୁନିଲ ହେମ୍ବ୍ରମ, ଶିବଶଙ୍କର ସୋରେନ୍, ସୁଶାନ୍ତ ମହାକୁଡ଼, ଜୟଦେବ ନାୟକ ଓ ଅଞ୍ଜନ ନାଥ ପରିଚାଳନା କରିଥିଲେ। ସୂଚନାଥାଉକି ଏହି ଭଳି ସମାନଢଙ୍ଗରେ ନୀଳାଦ୍ରିବିହାର ଜାରପା ଜାହେର, କଳିଙ୍ଗନଗର ଓ ମଞ୍ଚେଶ୍ବର ଲାଇନସାହିରେ ହୋଲି ପୂର୍ବରୁ ବାହାବଙ୍ଗା ପର୍ବ ଅନୁଷ୍ଠିତ ହେବ।