ଚନ୍ଦ୍ରଶେଖରପୁର: ନିଜ ଭିଟାମାଟିଠାରୁ ବହୁ ଦୂରରେ ଥାଇବି ରାଜଧାନୀରେ ବାସ କରୁଥିବା ସାନ୍ତାଳ ସମ୍ପ୍ରଦାୟ ଆଦିବାସୀ ମାନେ ଧୂମଧାମରେ ପାଳନ କରିଛନ୍ତି ବାହାବଙ୍ଗା ପରବ। ଏହି ଉତ୍ସବରେ ଆଦିବାସୀମାନେ ନିଜର ମାଟିଦେବତା ମାରାଂବୁରୁଙ୍କୁ ପୂଜାକରି ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବାପାଇଁ ଯାତ୍ରା ଅରମ୍ଭ କରିଥାନ୍ତି। ଏହା ସହିତ ମାଟି ଓ ବୃକ୍ଷ ଦେବତାକୁ ପୂଜାକରି ନୂଆ ଗଛ ରୋପଣ କରାଯାଇଥିଲା। ସାନ୍ତାଳ ପୂଜକ ବାଦଣେ ସମସ୍ତଙ୍କୁ ନୂଆ ଫଳ ପ୍ରସାଦ ବାଣ୍ଟିଥିଲେ। ନିଜ ଆରାଧ୍ୟ ମାରାଂବୁରୁଙ୍କ ନିକଟରେ ସେମାନଙ୍କ ସମାଜକୁ କୁଶଳମଙ୍ଗଳରେ ରଖିବା ପାଇଁ କାମନା କରିଥିଲେ। ଶାଳ ଗଛର ଫୁଲକୁ ଶାନ୍ତାଳ ପିଲାଠାରୁ ବୃଦ୍ଧମାନେ କାନରେ ଖୋସିଥିବା ବେଳେ ମହିଳା ଓ ଯୁବତୀମାନେ ନିଜ ବେଣୀର ଖୋସାରେ ଲଗାଇ ପୂଜାରେ ସାମିଲ ହୋଇଥିଲେ। ଏହି ପୂଜାକୁ ସାନ୍ତାଳ ଭାଷାରେ ବାହାବଙ୍ଗା ପରବ ବୋଲି କୁହାଯାଏ। ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଏହା ସାନ୍ତାଳ ଭାଷାବାସୀଙ୍କର ଏକ ବଡ଼ ପର୍ବ ହୋଇଥିବା ବେଳେ ରାଜଧାନୀରେ ମଧ୍ୟ ଏହି ବର୍ଷକୁ ବଡ଼ ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଛି। ଗତକାଲି ନୀଳାଦ୍ରିବିହାର ଜାରପା ପଡ଼ିଆରେ ଏହି ପର୍ବ ପାଳିତ ହୋଇଥିବା ବେଳେ ଆଜି ମଞ୍ଚେଶ୍ବର ସାନ୍ତାଳ ବସ୍ତିରେ ଅନୁଷ୍ଠିତ ହୋଇଥିଲା। ପରବରେ ଚୁନୁକୋଳି, ମଞ୍ଚେଶ୍ବର ଲାଇନ୍ ସାହି, ଜାରପା, ଚିରଗାଲଟୋଲା, ନୀଳାଦ୍ରିବିହାର ସାନ୍ତାଳ ସାହି ଓ ସାଲିଆସାହିର ସାନ୍ତାଳ ନୃତ୍ୟ ଦଳ ଯୋଗଦେଇଥିଲେ। ସଂଧ୍ୟାରେ ଶ୍ରେଷ୍ଠ ଦଳକୁ ଅତିଥିମାନେ ପୁରସ୍କୃତ କରିଥିଲେ। ସେହିଭଳି ସାନ୍ତାଳ ବସ୍ତିରେ ଅନୁଷ୍ଠିତ ବାହାବଙ୍ଗା ପରବରେ ଆଦିବାସୀ ଯାତ୍ରା କଳାକାର କୁନି ମୁର୍ମୁ, ସଂଗୀତ ନିର୍ଦେଶକ ପଞ୍ଚାନନ ବାସ୍କେ, ନୃତ୍ୟ ନିର୍ଦେଶକ ବିଦ୍ୟାଧର ବାରିକ, ଅଭିନେତା ଫାଲଗୁନି ନାୟକ ଅତିଥି ଭାବେ ଯୋଗଦେଇ ନୃତ୍ୟ ଶିଳ୍ପୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ରାଜଧାନୀର ବିଭିନ୍ନ ଆଦିବାସୀ ବସ୍ତିରେ ଏହି ପରବ ସପ୍ତାହ ବ୍ୟାପୀ ଅନୁଷ୍ଠିତ ହେବ।
ଧୂମାଧାମରେ ପାଳିଲେ ‘ବାହାବଙ୍ଗା’ ପରବ, ମାରାଂବୁରୁଙ୍କୁ ପୂଜିଲେ ଆଦିବାସୀ
/sambad/media/post_attachments/wp-content/uploads/2020/03/65dg4j98dg7jdg987jdg98j7dg98j7dg98jjgjgjjdgjgd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)