ବାହାଦଲପୁର ପପୁ ଜେନା ହତ୍ୟା ମାମଲା : ଗୁମର ଖୋଲିଯିବା ଭୟରେ ମାରିଦେଲା

ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଗଠନ ହେଲା ସ୍ବତନ୍ତ୍ର ଟିମ, ଗ୍ରାମବାସୀଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ, ହତ୍ୟାକାରୀ ଚିହ୍ନଟ

ଭୁବନେଶ୍ବର : ଖଣ୍ଡଗିରି ଥାନା ଅଧୀନ ବାହାଦଲପୁର ପପୁ ଜେନା ହତ୍ୟା ଘଟଣାକୁ ଗୋଟିଏ ଦିନ ବିତିଛି। କିନ୍ତୁ ହତ୍ୟାକାରୀ ଯୁବକଙ୍କୁ ଗିରଫ କରିବାରେ ସକ୍ଷମ ହୋଇନାହିଁ ପୁଲିସ। ଯାହାକୁ ନେଇ ପପୁଙ୍କ ପରିବାରଲୋକ ଓ ବାହାଦଲପୁର ଗ୍ରାମବାସୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଆଜି ଗ୍ରାମବାସୀମାନେ ଜାତୀୟ ରାଜପଥ ଅବରୋଧ କରିବାକୁ ଯୋଜନା ମଧ୍ୟ କରିଥିଲେ। କିନ୍ତୁ ଶେଷ ମୁହୂର୍ତରେ ସେଥିରୁ ଓହରି ଯାଇଥିଲେ।

ଡିସିପି ଅନୁପ ସାହୁ କହିଛନ୍ତି, ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରୁଛି ପୁଲିସ। ଅଭିଯୁକ୍ତମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ। ଏଥିପାଇଁ କମିସନରେଟ ପୁଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ଗଠନ ହୋଇଛି। ଯେଉଁଥିରେ ସ୍ପେସାଲ ସ୍କ୍ବାଡ୍‌ ସମେତ ୬ ଥାନାର ଅଧିକାରୀ ସାମିଲ ଅଛନ୍ତି। ଅଭିଯୁକ୍ତ ବାପି, ହାପି ଓ ଆଲୋକକୁ ପୁଲିସ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି। ସେମାନଙ୍କ ସମ୍ପର୍କୀୟ ଓ ପରିବାରଲୋକଙ୍କୁ ଥାନାକୁ ଡକାଇ ପଚରାଉଚରା କରୁଛି। ସେହିପରି ଆଜି ଏମ୍‌ସ ହସ୍ପିଟାଲରେ ମୃତ ପପୁଙ୍କର ଶବ ବ୍ୟବଚ୍ଛେଦ ପରେ ଗାଁରେ ଶେଷକୃତ୍ୟ ସଂପନ୍ନ ହୋଇଛି।

ବ୍ରାଉନସୁଗାର କାରବାରକୁ ନେଇ ପପୁଙ୍କୁ ହତ୍ୟା କରାଯିବା ଘଟଣାକୁ ସ୍ଥାନୀୟ ଲୋକ ସହଜରେ ଗ୍ରହଣ କରି ପାରୁନାହାନ୍ତି। ସେମାନଙ୍କ ଅଭିଯୋଗ ଯେ ହତ୍ୟା‌ ଅଭିଯୁକ୍ତ ବାପି ଅନ୍ୟ ଏକ ହତ୍ୟାକାଣ୍ଡରେ ସଂପୃକ୍ତ ଥାଇ ଜେଲ୍‌ ଯାଇଥିଲା। ୮ ମାସ ତଳେ ଜାମିନରେ ଆସି ଧଳା ଜହର ବେପାର ଆରମ୍ଭ କରିଥିଲା। ଏପରିକି ବାପି ସବୁବେଳେ ପାଖରେ ମାଉଜର୍‌ ରଖି ବୁଲୁଥିଲା। କେହି ତାର ଏହି କାରବାରକୁ ବିରୋଧ କଲେ, ସେ ମାଉଜର୍‌ ଦେଖାଇ ଧମକ ଚମକ ଦେଉଥିଲା। ଦୀପାବଳି ରାତିରେ ମୃତ ପପୁର ଜଣେ ସମ୍ପର୍କୀୟ ଭାଇକୁ ବାପି ବ୍ରାଉନସୁଗାର ଖାଇବାକୁ ଦେଇଥିଲା। ଏହାକୁ କେନ୍ଦ୍ର କରି ବାପି ଓ ପପୁଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ମୃତ ପପୁ ଓ ତାଙ୍କ ବାପା ଅଭିମନ୍ୟୁ ସରକନ୍ତରା ଗାଁକୁ ଯାଇ ବାପିକୁ ଏଭଳି ନିଶା ବେପାର ନ କରିବାକୁ ଚେତାବନୀ ଦେଇଥିଲେ। ବୁଧବାର ବାପିର ନିଶା କାରବାରକୁ ନେଇ ବାହଦଲପୁର ଗାଁରେ ଏକ ବୈଠକ ବସିଥିଲା। ଏହା ଜାଣିବା ପରେ ବାପିର ମୁଣ୍ଡକୁ ପିତ୍ତ ଚଢ଼ି ଯାଇଥିଲା। ଗୁରୁବାର ସକାଳୁ ବାପି ନିଶାସକ୍ତ ଅବସ୍ଥାରେ ପପୁ ଓ ତାଙ୍କ ବାପାଙ୍କୁ ଗାଁ ଭିତରେ ପଶି ଖୋଜିବା ସହ ବିଭିନ୍ନ ସ୍ଥାନରେ ଗାଳିଗୁଲଜ ମଧ୍ୟ କରିଥିଲା। ଗାଁ ଲୋକେ ଏହା ଦେଖି ପପୁଙ୍କ ପରିବାରଲୋକଙ୍କୁ ଜଣାଇଥିଲେ। ପରେ ପପୁଙ୍କ ବାପା ଅଭିମନ୍ୟୁ ଓ ସମ୍ପର୍କୀୟ ଏନେଇ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ। କିନ୍ତୁ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ଘଟଣାକୁ ନେଇ ଥାନାରେ ସେତେବେଳେ ଭିଡ଼ ଲାଗି ରହିଥିଲା। ଏ ସମ୍ପର୍କରେ ସେମାନେ ସଂଧ୍ୟାରେ ଅଭିଯୋଗ କରିବେ ବୋଲି ଚିନ୍ତା କରିଥିଲେ। କିନ୍ତୁ ସଂଧ୍ୟା ନ ହେଉଣୁ ପପୁକୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ।

୨୪ ଘଣ୍ଟା କଣ୍ଟ ଦେଇଥିଲା

ଜେଲ୍‌ରୁ ଜାମିନ୍ ଆସିବା ପରେ ବାପି ଖୋର୍ଧା ତାପଙ୍ଗ ଅଞ୍ଚଳରେ ଗ୍ରାନାଇଟ୍‌ ଖଣି ମାଫିଆଙ୍କ ସହ ମିଶି ଭଲ ପଇସା ରୋଜଗାର କରୁଥିଲା। କିନ୍ତୁ ଏସ୍‌ଟିଏଫ୍‌ ଚଢ଼ଉ ପରେ ସେହି ବେପାର ବନ୍ଦ ହୋଇଯିବାରୁ ସେ ଟଙ୍କା ପାଇଁ ପାଗଳ ହୋଇପଡ଼ିଥିଲା। ତେଣୁ ସେ ଗାଁରେ ବ୍ରାଉନ୍ ସୁଗାର କାରବାର ଆରମ୍ଭ କଲା ଓ ନିଶାଡ଼ିମାନଙ୍କୁ ଧରି ଉତ୍ପାତ କଲା। ଗାଁରେ ତାକୁ ଏଭଳି କାରବାରୁ ନିବୃତ୍ତ କରିବା ଜୁ’ କାହା ପାଖରେ ନଥିଲା। ମାତ୍ର ପପୁ ଏହାକୁ ସହ୍ୟ କରିନଥିଲା। ଗଉ ଗୁଳିକାଣ୍ଡ ମାମଲାରେ ସମ୍ପୃକ୍ତ ପପୁ ନିଜ ଦମ୍‌ରେ ବାପିକୁ ମୁକାବିଲା କରିବାକୁ ବାହାରିଥିଲା ଓ ଗାଁରୁ ନିଶା କାରବାର ବନ୍ଦ କରିବାକୁ ସେ ବାପିକୁ ଚେତାବନୀ ଦେଇଥି‌ଲା। ଏଭିତରେ ଗତ ମଙ୍ଗଳବାର ଦିନ ପପୁ ଓ ତାଙ୍କ ସାହିର ହାପି ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ହାପି ସପକ୍ଷରେ ବାହାରିବାରୁ ବାପି ଓ ପପୁ ମଧ୍ୟରେ କଣ୍ଟ ଦିଆନିଆ ହୋଇଥିଲା। ବାପି ୨୪ ଘଣ୍ଟା ପାଇଁ କଣ୍ଟ ଦେଇଥିଲା। ବୁଧବାର ସନ୍ଧ୍ୟାରେ କଣ୍ଟ ଦେଲା ଓ ଗୁରୁବାର ସନ୍ଧ୍ୟାରେ କଣ୍ଟ ପୂରଣ କଲା।

ଫେଲ୍‌ ମାରିଛି ଅପରାଧୀ ଟ୍ରାକିଂ

ହତ୍ୟା ମାମଲାରେ ଜେଲ୍‌ ଯାଇଥିବା ବାପି ୮ ମାସ ତଳେ ଜାମିନ୍‌ରେ ଆସିବା ପରେ ଖଣ୍ଡଗିରି, ସରକନ୍ତରା, ବାହାଦଲପୁର, ଡୁମୁଡୁମା ଆଖପାଖ ଅଞ୍ଚଳରେ ନିଶା ବେପାର କରୁଥିଲା। ସବୁବେଳେ ମାଉଜର୍‌ ଖୋସି ବୁଲୁଥିଲା। ହେଲେ ପୁଲିସ କରୁଥିଲା କ’ଣ? ଏହାକୁ ନେଇ ଏବେ ପ୍ରଶ୍ନ ଉଠୁଛି। କାରଣ ବ୍ରାଉନସୁଗାର କାରବାର କରୁଥିବା ବେପାରୀ ଓ ଅପରାଧୀମାନଙ୍କ ଉପରେ ନଜର ରଖିବାକୁ ସ୍ଥାନୀୟ ଥାନା ଓ କ୍ୟୁଏଟିକୁ ସ୍ବତନ୍ତ୍ର ଭାବେ ଦାୟିତ୍ବ ଦିଆଯାଇଛି। ବ୍ରାଉନସୁଗାର ବେପାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିବାକୁ ପୁଲିସ କମିସନର୍‌ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କେଉଁ ଅପରାଧୀ କେବେ ଜେଲ୍‌ରୁ ମୁକୁଳିଲା, ସେମାନେ କ’ଣ କରୁଛନ୍ତି ତା’ ଉପରେ ନଜର ରଖିବାକୁ କୁହାଯାଇଥିଲା। ହେଲେ ବାପି ଦୀର୍ଘ ୮ମାସ ହେଲା ଜାମିନରେ ଆସି ବ୍ରାଉନସୁଗାର କାରବାରରେ ସଂପୃକ୍ତ କଥାକୁ ପୁଲିସ ଜାଣି ପାରିଲା ନାହିଁ କିପରି? ବାପି ଜଣେ ଛୋଟିଆ ଅପରାଧୀ ନ ଥିଲା। ସେ ହତ୍ୟାକାଣ୍ଡ ଭଳି ଜଘନ୍ୟ ଅପରାଧରେ ସାମିଲ ଥିଲା। ଏକାଧିକ ହତ୍ୟା, ହତ୍ୟା ଉଦ୍ୟମ, ଦାଦାବଟି ଓ ଦଙ୍ଗା ସୃଷ୍ଟି ଭଳି ମାମଲା ରହିଛି ତା’ ବିରୋଧରେ। ଏଥିରୁ ଜଣାପଡ଼ୁଛି, ପୁଲିସ୍‌ କେଉଁଭଳି ଭାବେ ଜେଲ୍‌ ଫେରନ୍ତା ଅପରାଧୀଙ୍କ ଉପରେ ନଜର ରଖିଛି।

ସମ୍ବନ୍ଧିତ ଖବର